ଠିକାଦାରମାନେ ଟଙ୍କା ଲୁଚାଇ ରଖିଛନ୍ତି: ଟିକସ ବିଭାଗ

ନୂଆଦିଲ୍ଲୀ: ଠିକାଦାରମାନେ ବିପୁଳ ପରିମାଣର ଟଙ୍କା ନିଜ ପାଖରେ ଗଚ୍ଛିତ ରଖିଛନ୍ତି। ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଠିକାଦାରମାନଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆୟକର ବିଭାଗ ୧୦ କୋଟି ୬୨ ଲକ୍ଷ ଟଙ୍କା ଜବତ କରିଛି। କେବଳ ମହୀଶୂରରେ ଥିବା ୪ ଜଣ ଠିକାଦାରଙ୍କଠାରୁ ୬ କୋଟି ୭୬ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମାନଙ୍କଠାରୁ ୫୦୦ ଓ ୨୦୦୦ ଟଙ୍କିଆ ଜବତ ହୋଇଛି। ଠିକାଦାରମାନେ ଏହି ନୋଟ୍‌ଗୁଡ଼ିକ ବିଷୟରେ ନିଜ ହିସାବ ଖାତାରେ କିଛି ବି ଉଲ୍ଲେଖ କରିନାହାନ୍ତି। ଠିକାଦାରମାନେ ଟଙ୍କା ମହଜୁଦ ରଖିଥିବାରୁ ଏଟିଏମ୍‌ରେ ନଗଦ ସଙ୍କଟ ଦେଖାଦେଇଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଆୟକର ବିଭାଗର ଗୁଇନ୍ଦା ୟୁନିଟ୍‌ ସୂଚନା ଦେଇଛି ଯେ ନିର୍ବାଚନ ମୁହାଁ ଥିବା କର୍ଣ୍ଣାଟକରେ ଠିକାଦାରମାନେ ବିପୁଳ ପରିମାଣର ବଡ଼ ନୋଟ୍‌କୁ ମହଜୁଦ କରି ରଖିଛନ୍ତି। ତାହାକୁ ବଜାରକୁ ଛାଡୁନାହାନ୍ତି। ସେମାନଙ୍କ ପାଖରେ ତେକେ ଟଙ୍କା ଗଚ୍ଛିତ ରହିଛି ତାହାର କୌଣସି ସୂଚନା ବିଭାଗ ପ୍ରଦାନ କରିନାହିଁ।

ସମ୍ବନ୍ଧିତ ଖବର