କରୋନା ପ୍ରଭାବରେ ବିଳମ୍ବ ହେବନି ବ୍ୟାଙ୍କ ମିଶ୍ରଣ

ନୂଆଦିଲ୍ଲୀ: ଦେଶର ୧୦ଟି ସରକାରୀ ବ୍ୟାଙ୍କକୁ ମିଶାଇ ଚାରିଟି ବଡ଼ ବ୍ୟାଙ୍କ ଗଠନ କରିବା ଲାଗି ସରକାର ଯେଉଁ ପଦକ୍ଷେପ ଘୋଷଣା କରିଥିଲେ ସେଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବ ଯୋଜନା ଅନୁସାରେ ଆସନ୍ତା ଏପ୍ରିଲ୍ ୧ରୁ ଏହି ମିଶ୍ରଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। କରୋନା ପ୍ରଭାବରେ ଅନେକ କାର୍ଯ୍ୟର ସମୟ ସୀମାକୁ ବୃଦ୍ଧି କରାଯାଉଥିଲେ ମଧ୍ୟ ବ୍ୟାଙ୍କ ମିଶ୍ରଣ ସମୟ ସୀମା ବଢ଼ାଇବା ଲାଗି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ କହିଛନ୍ତି। ଆର୍ଥିକ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଯେ, ମିଶ୍ରଣ ପ୍ରକ୍ରିୟା ଜାରି ରହିଛି। ପାଣ୍ଠି ହସ୍ତାନ୍ତର ଆଦି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ମିଶ୍ରଣ ଅବଧିକୁ ଘୁଞ୍ଚାଇବା ଲାଗି ଗତ ବୁଧବାର ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଥିଲା।

ଯୋଜନା ଅନୁସାରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହିତ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ହେବ। ସେହିପରି କାନାରା ବ୍ୟାଙ୍କ ସହିତ ସିଣ୍ଡିକେଟ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ବ୍ୟାଙ୍କ ସହିତ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ହେବ। ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ଘଟିବ। ଏହି ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ ଦେଶରେ ସରକାରୀ ବ୍ୟାଙ୍କ ସଂଖ୍ୟା ୧୨କୁ ହ୍ରାସ ପାଇବ। ୨୦୧୭ରେ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ ଥିଲା। ଆଗାମୀ ଦିନରେ ଦେଶରେ ୭ଟି ବଡ଼ ଓ ୫ଟି କ୍ଷୁଦ୍ର ସରକାରୀ ବ୍ୟାଙ୍କ ରହିବ। ଗତ ବର୍ଷ ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଥିଲା। ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ଏହାର ପାଞ୍ଚଟି ସହଯୋଗୀ ବ୍ୟାଙ୍କ ଓ ଭାରତୀୟ ମହିଳା ବ୍ୟାଙ୍କର ମିଶ୍ରଣ ଘଟିଥିଲା।

ସମ୍ବନ୍ଧିତ ଖବର