ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ଏବେ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରାୟତଃ ଠପ୍ ହୋଇଯାଇଛି। ଲୋକମାନେ ଘରେ ବସିଛନ୍ତି। ମାଲିକମାନେ କର୍ମଚାରୀମାନଙ୍କୁ କମ୍ ଦରମାରେ କାମ କରିବା ପାଇଁ କେତେକ ସ୍ଥଳରେ ବାଧ୍ୟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଗୁଡ଼ିକ ଇଏମଆଇ, ସୁଧ ଆଦି ଆଦାୟ ଉପରେ କିଛିଦିନର ମହଲତ ଦେବା ପାଇଁ ବିଭିନ୍ନ ମହଲରେ ଦାବି ଜୋର୍ ଧରିଛି। ଏପରିକି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଚିଠି ଲେଖାଯାଇଥିବା ରିପୋର୍ଟ ମିଳୁଛି। ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବ୍ୟାପାର ବିଭାଗ ସଚିବ ଦେବାଶିଷ ପଣ୍ଡା ଇଏମଆଇ ଏବଂ ରଣ ପୈଠ ଉପରେ କିଛି ମାସର ମହଲତ ଦେବା ପାଇଁ ଚିଠି ଲେଖିଥିବା କୁହାଯାଉଛି। ବ୍ୟାପକ ଛଟେଇ ଏବଂ ଦରମା ହ୍ରାସ ପରିପ୍ରେକ୍ଷୀରେ ବ୍ୟାବସାୟିକ ପ୍ରତିଷ୍ଠାନ ସହିତ ଲୋକମାନେ ମଧ୍ୟ ଋଣ ପରିଶୋଧ କରିବା ସ୍ଥିତିରେ ନାହାନ୍ତି। ଚାକିରି ଚାଲିଯିବା କିମ୍ବା ଦରମା କମିଯିବା ଆଶଙ୍କାରେ ଅନେକ ବ୍ୟକ୍ତି ଟ୍ବିଟରରେ ଋଣର ମାସିକ କିସ୍ତି ଆଦାୟକୁ କିଛିମାସ ପାଇଁ ସ୍ଥଗିତ ରଖିବାକୁ ଦାବି କରୁଛନ୍ତି। ଗାଡ଼ି ଋଣ ଉପରେ ସୁଧ ଆଦାୟକୁ କିଛିଦିନ ସ୍ଥଗିତ ରଖିବାକୁ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦେଶରେ ଓଲା ଏବଂ ଉବର ସେବା ବନ୍ଦ ରହିଥିବାରୁ ଅନେକ ଡ୍ରାଇଭର ଏବେ ଇଏମଆଇ ଦେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ବ୍ୟାଙ୍କ ଗୁଡ଼ିକ ଦ୍ବାରା ଋଣ ଉପରେ ଆଦାୟ କରାଯାଉଥିବା ସୁଧ ଏବଂ ଇଏମଆଇକୁ ୬ ମାସ ପର୍ଯ୍ୟନ୍ତ ଆଦାୟ ନକରିବାକୁ ଅନୁରୋଧ କରିଛନ୍ତି। ସରକାରୀ କର୍ମଚାରୀଙ୍କ ଦରମାକୁ କଟାଯାଉଥିବା ଇଏମଆଇକୁ ମଧ୍ୟ ୬ ମାସ ପର୍ଯ୍ୟନ୍ତ ନକାଟିବା ପାଇଁ ସେ କହିଛନ୍ତି। ସେହିଭଳି ବିଜେପି ଏମ୍ପି କୀରିଟ ସୋମେୟା ମଧ୍ୟ ନିକଟରେ ରିଜର୍ଭ ବ୍ୟାଙ୍କକୁ ଏ ନେଇ ଏକ ଚିଠି ଲେଖିଛନ୍ତି।
କରୋନା ଭୂତାଣୁ ପ୍ରଭାବ: ଇଏମ୍ଆଇ, ସୁଧ ରିହାତି ଦାବି ତେଜିଲା
/sambad/media/post_attachments/wp-content/uploads/2017/10/ea360d1d6eab3ee4b4e032e1708d3b67.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)