ରାଜ୍ୟର ବନ୍ଦର ଉପରେ କରୋନା ପ୍ରଭାବ: ସୀମିତ କର୍ମଚାରୀରେ ଚାଲିଛି ମାଲ୍‌ ପରିବହନ

ଭୁବନେଶ୍ବର: ରାଜ୍ୟରେ ମାଲ ପରିବହନ ପାଇଁ ୩ଟି ବନ୍ଦର ରହିଛି। ଏହି ବାଟ ଦେଇ ଜଳପଥରେ ବିଦେଶକୁ ମାଲ ପରିବହନ ହୋଇ ଆସୁଛି। ତେବେ କରୋନା କଟକଣା ଯୋଗୁଁ ଏସବୁ ବନ୍ଦର ଗୁଡ଼ିକରେ ଏବେ କର୍ମଚାରୀ ସଂଖ୍ୟାକୁ କମାଇ ଦିଆଯାଇଛି। ସୀମିତ ସଂଖ୍ୟକ କର୍ମଚାରୀରେ ସାମଗ୍ରୀର ରପ୍ତାନି ଓ ଆମଦାନି କାର୍ଯ୍ୟ ଚାଲିଛି। ଦେଶରେ କରୋନା ବ୍ୟାପିବା ପରେ ବନ୍ଦରରେ ମାଲ ପରିବହନକୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସେବା ଅଧୀନରେ ରହିଥିବା ନେଇ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପାରାଦୀପ ବନ୍ଦର ବାଟେ ମାଲ ପରିବହନ କରୁଥିବା କମ୍ପାନି ଓ ସଂସ୍ଥା ଗୁଡ଼ିକର ଅଧିକାରୀଙ୍କୁ ନେଇ ନିକଟରେ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାୟ ଏକ ଜରୁରୀକାଳୀନ ବୈଠକ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବନ୍ଦରରେ ମାଲ ପରିବହନ କାର୍ଯ୍ୟକୁ ସ୍ବାଭାବିକ ରଖିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସିଆଇଏସ୍‌ଏଫ୍ ଏବଂ ପୁଲିସର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ମାଲ ବୋଝେଇ ଓ ଖଲାସ କାର୍ଯ୍ୟ ପାଇଁ ବନ୍ଦର ଅଞ୍ଚଳ ଭିତରକୁ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ଛଡ଼ାଯାଉଛି ବୋଲି ପିପିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଏବଂ ମାନ୍ଦାବସ୍ଥା ସତ୍ତ୍ବେ ପାରାଦୀପ ବନ୍ଦର ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ୨୩ ତାରିଖ ସୁଦ୍ଧା ୧୧୦ ନିୟୁତ ଟନ୍‌ରୁ ଅଧିକ ମାଲ୍‌ ପରିବହନ କରିବାକୁ ସକ୍ଷମ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ବନ୍ଦର ଅଞ୍ଚଳରେ ବ୍ୟାପକ ପଦକ୍ଷେପ ‌ନିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସେହିଭଳି ଅନ୍ୟ ଦୁଇଟି ଘରୋଇ ବନ୍ଦର ଧାମରା ଏବଂ ଗୋପାଳପୁର ମଧ୍ୟ ସମସ୍ତ ପ୍ରକାର ସତର୍କତା ସହିତ ମାଲ ପରିବହନ କାର୍ଯ୍ୟ ଜାରି ରଖିଛନ୍ତି। ସତର୍କତାମୂଳକ ପଦକ୍ଷେପ ସହିତ ମାଲ ପରିବହନ ଜାରି ରଖି କମ୍ପାନି ଦେଶର ଅର୍ଥନୈତିକ ବିକାଶରେ ଏହାର ଯୋଗଦାନ ଜାରି ରଖିବ ବୋଲି ଆଦାନି ପୋର୍ଟସ ଆଣ୍ଡ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସ୍‌ଇଜେଡ୍‌)ର ଜଣେ ପ୍ରବକ୍ତା କହିଛନ୍ତି। ଗୋପାଳପୁର ବନ୍ଦର ମଧ୍ୟ ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ମାଲ୍‌ ପରିବହନ କାର୍ଯ୍ୟ ଜାରି ରହିଛି। କରୋନା ପରେ ବନ୍ଦର ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ସରକାରଙ୍କ ନିୟମ ଅନୁଯାୟୀ ସାମାଜିକ ଦୂରତା ବଜାୟ ରଖାଯିବା ସହିତ ବିଶୋଧନ ସାମଗ୍ରୀ ସିଞ୍ଚନ କରାଯାଇ ବନ୍ଦରରେ ମାଲ ପରିବହନ କାର୍ଯ୍ୟ କରାଯାଉଛି ବୋଲି ସାପୁର୍‌ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ( ଗୋପାଳପୁର ପୋର୍ଟ ଲିମିଟେଡ)ର ସହଯୋଗୀ ଉପସଭାପତି ( କମ୍ପାନି ବ୍ୟାପାର ଓ‌ ଯୋଗାଯୋଗ) ଜଗଦୀଶ ଚନ୍ଦ୍ର ରାଉତ କହିଛନ୍ତି। ରାଜ୍ୟର ବନ୍ଦର ଗୁଡ଼ିକ ମାଧ୍ୟମରେ ମୁଖ୍ୟତଃ ଲୁହାପଥର, କୋକିଂ କୋଲ୍, ଚୂନ ପଥର ଆଦି ଉତ୍ପାଦନ ହୋଇଥାଏ। ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଆଦି ଦେଶକୁ ଓଡ଼ିଶାର ବନ୍ଦର ମାଧ୍ୟମରେ ମାଲ୍‌ ରପ୍ତାନି ଓ ଆମାଦାନି କରାଯାଇଥାଏ।

ସମ୍ବନ୍ଧିତ ଖବର