ନୂଆଦିଲ୍ଲୀ : ଦେଶରେ ଲକ୍ ଡାଉନ୍ ଘୋଷଣା ହେବା ପରେ ବିଭିନ୍ନ ରାଜ୍ୟର ସୀମା ରେଖାରେ ଶହ ଶହ ଟ୍ରକ୍ ଠିଆ ହୋଇରହିଛି। ସେହି ଟ୍ରକ୍ର ଚାଳକ ଓ ସହାୟକମାନେ ଅସହାୟ ଅବସ୍ଥାରେ ରହିଛନ୍ତି। ଖାଇବା ପିଇବା ଯୋଗାଡ଼ କରିବା ସେମାନଙ୍କ ପାଖରେ କଷ୍ଟକର ହୋଇପଡ଼ିଛି। ଟ୍ରକ୍ରେ ସାମଗ୍ରୀ ଲୋଡ୍ ଥିବାରୁ ତାହାକୁ ଛାଡ଼ି ଯାଇ ହେଉନାହିଁ। ରୋଷେଇ ପାଇଁ ନିଜ ଗାଡ଼ିରେ ଯେତିକି ସାମଗ୍ରୀ ରହିଛି ତାହା ଶେଷ ହୋଇଆସୁଛି। ଏହିଭଳି ପରିସ୍ଥିତିରେ ସେମାନେ ପଡ଼ିରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟର ସୀମାରେଖାରେ ଏଭଳି ୫ ଲକ୍ଷରୁ ଅଧିକ ଟ୍ରକ୍ ଚାଳକ ଓ ସହାୟକ ପଡ଼ିରହିଛନ୍ତି। ଯେଉଁ ଟ୍ରକ୍ରେ ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ହୋଇଛି ସେଗୁଡ଼ିକୁ ମଧ୍ୟ ସହଜରେ ଆଗକୁ ବଢ଼ିବାକୁ ଦିଆଯାଉ ନାହିଁ ବୋଲି ଫାଉଣ୍ଡେସନ ଅଫ ଟ୍ରାନ୍ସପୋର୍ଟ ରିସର୍ଚ ଆଣ୍ଡ୍ ଟ୍ରେନିଂ (ଆଇଏଫ୍ଟିଆର୍ଟି) ପକ୍ଷରୁ କୁହାଯାଇଛି। ଏକ ଏଲ୍ପିଜି ସିଲିଣ୍ଡର ବୋଝେଇ ଟ୍ରକ୍ ଚଲାଉଥିବା ୨୮ ବର୍ଷୀୟ ମହମ୍ମଦ ଜାଭେଦ ହୁବ୍ଲି ଚେକ୍ପୋଷ୍ଟ୍ରେ ଠିଆ ହୋଇଛନ୍ତି। ସେ କହିଛନ୍ତି, ରାତି ୪ଟାରୁ ମାଙ୍ଗାଲୋରରୁ ମୁଁ ଟ୍ରକ୍ ଚଲାଇ ରାତି ଗୋଟାଏରେ ଏହି ଚେକ୍ପୋଷ୍ଟ୍ ପାଖରେ ପହଞ୍ଚିଲି। ଏଠାରୁ ଆଗକୁ ବଢ଼ିବାକୁ ଦିଆଯାଉନାହିଁ। ଆଗକୁ ଯିବା ଲାଗି ପୁଲିସ ଅଧିକାରୀଙ୍କୁ ଯାହା କହିଲେ ସେମାନେ ଶୁଣୁନାହାନ୍ତି। ମୋ କଥା ଶୁଣିବାକୁ ମଧ୍ୟ ସେମାନେ ଚାହୁନାହାନ୍ତି। ଓଲଟା ପିଟିବାକୁ ଧମକ ଦେଉଛନ୍ତି। ମୁଁ କେବଳ ପାଣି ପିଇ ପିଇ ବଞ୍ଚିଛି। ପାଣି ବି ଶେଷ ହେବାକୁ ବସିଲାଣି ବୋଲି ସେ କହିଛନ୍ତି। ହୁବ୍ଲି ଚେକ୍ ପୋଷ୍ଟ୍ ଅଂଚଳରେ ୩୦ରୁ ଅଧିକ ଏଲ୍ପିଜି ସିଲିଣ୍ଡର୍ ବୋଝେଇ ଟ୍ରକ୍ ଅଟକି ରହିଛି। ଟ୍ରକ୍ ଚାଳକଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ରାସ୍ତା କଡ଼ ହୋଟେଲ୍ ଓ ଢାବାଗୁଡ଼ିକ ବନ୍ଦ ହୋଇଯାଇଛି। ଯେଉଁଠାରେ ସାମଗ୍ରୀ ବୋଝେଇ ହୋଇଥିବାରୁ ସେଠାରୁ ଚାଳକମାନେ ତରବରିଆ ଭାବେ କିଛି ଖାଦ୍ୟ ଖାଇ ବାହାରିଥିଲେ। ରାସ୍ତାରେ ଅନ୍ୟ କୌଣସି ଠାରେ ସେମାନଙ୍କୁ ଖାଇବା ପିଇବା ମିଳୁନାହିଁ। ଗାଡ଼ି ଖରାପ ହେଲେ ତାହାକୁ ସଜାଡ଼ିବା ଲାଗି ଗ୍ୟାରେଜ୍ ମଧ୍ୟ ଖୋଲା ନାହିଁ। ଯେଉଁଠାରେ ଗାଡ଼ି ଖରାପ ହେବ ସେଠାରେ ପଡ଼ି ରହିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହାକୁ ନେଇ ଟ୍ରକ୍ ଚାଳକ ଓ ସହାୟକମାନଙ୍କ ପରିବାର ଲୋକ ମଧ୍ୟ ବହୁତ ଚିନ୍ତିତ ଅଛନ୍ତି। କିଛି ଟ୍ରକ୍ ଚାଳକ ଓ ସହାୟକ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ସେମାନେ ଆଉ ଘରୁ ବାହାରିବାକୁ ଚାହୁନାହାନ୍ତି। ସେମାନଙ୍କ ଘର ଲୋକ ତାଙ୍କୁ ବାହାରକୁ ଯିବାପାଇଁ ଛାଡ଼ୁନାହାନ୍ତି। ସାମଗ୍ରୀ ବୋଝେଇ ହେଉଥିବା ସ୍ଥାନରେ ଚାଳକ ଓ ସହାୟକ ମିଳୁନାହାନ୍ତି। ପ୍ରାୟ ଅଢ଼େଇ ଲକ୍ଷ ଚାଳକ ଓ ସହାୟକ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ସେମାନେ ନିଜ ଘରକୁ ପଳାଇଛନ୍ତି।
ଟ୍ରକ୍ ଚାଳକଙ୍କ ଦୁଃଖ : ଖାଇବାକୁ ଖାଦ୍ୟ, ପିଇବାକୁ ପାଣି ମିଳୁନି, ରାଜ୍ୟ ସୀମାରେଖାରେ ଠିଆ ହୋଇଛି ୫ ଲକ୍ଷରୁ ଅଧିକ ଟ୍ରକ୍
/sambad/media/post_attachments/wp-content/uploads/2020/03/truck-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)