ଅଧ୍ୟକ୍ଷ, ପରିଚାଳନା ନିର୍ଦେଶକ ପଦ ଅଲଗା କର

ନୂଆଦିଲ୍ଲୀ: କର୍ପୋରେଟ୍‌ ଜଗତରେ ସ୍ୱଚ୍ଛତା ଆଣିବା ପାଇଁ କୋଟାକ୍‌ କମିଟି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ ପ୍ରଦାନ କରିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା କଂପାନିଗୁଡ଼ିକର ସିଏମ୍‌ଡି ପଦକୁ ବିଭାଜିତ କରିବାକୁ ଏହା ପରାମର୍ଶ ଦେଇଛି। ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ-ସିଇଓ ପଦକୁ ଅଲଗା ଅଲଗା କରିବା ଏବଂ କଂପାନି ବୋର୍ଡରେ ଅତି କମ୍‌ରେ ୬ ଜଣ ନିର୍ଦେଶକ ନିଯୁକ୍ତ କରିବାକୁ କମିଟି ସୁପାରିସ୍‌ କରିଛି। କୋଟାକ୍‌ କମିଟିର ଅନ୍ୟ ସୁପରିସଗୁଡ଼ିକ ହେଉଛି ପ୍ରତି କଂପାନି ବୋର୍ଡରେ ଜଣେ ମହିଳା ସ୍ୱାଧୀନ ନିର୍ଦେଶକ ରହିବା ଦରକାର। ସ୍ୱାଧୀନ ନିର୍ଦେଶକଙ୍କ ନିଯୁକ୍ତିରେ ସ୍ୱଚ୍ଛତା ଆଣିବା ଏବଂ ସେମାନଙ୍କୁ ବୋର୍ଡରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ମୂଳ କଂପାନି ଦ୍ୱାରା ଶାଖା କଂପାନିଗୁଡ଼ିକରେ ହେଉଥିବା ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ/ଋଣ/ଅଗ୍ରୀମର ସମୀକ୍ଷା ଅଡିଟ୍‌ କମିଟି ଦ୍ୱାରା କରାଇବାକୁ କୁହାଯାଇଛି। ବର୍ଷକୁ ଅଡିଟ୍‌ କମିଟି ବୈଠକ ୫ ଥର ବସିବା ଦରକାର। ସ୍ୱାଧୀନ ନିର୍ଦେଶକଙ୍କ ସ୍ଥାନରେ କୌଣସି ବ୍ୟକ୍ତିଙ୍କୁ ବିକଳ୍ପ ନିର୍ଦେଶକ ଭାବେ ନିଯୁକ୍ତ କରିବାକୁ କମିଟି ବାରଣ କରିଛି। ବୋର୍ଡରେ ପ୍ରତି ସ୍ୱାଧୀନ ନିର୍ଦେଶକଙ୍କ ନିଯୁକ୍ତି ଆନୁଷ୍ଠାନିକ ଭାବେ କରିବାକୁ କମିଟି ପରାମର୍ଶ ଦେଇଛି। ଦେଶର ଶ୍ରେଷ୍ଠ ୫୦୦ କଂପାନିର ସ୍ୱାଧୀନ ନିର୍ଦେଶକଙ୍କ ପାଇଁ ଡାଇରେକ୍ଟର ଆଣ୍ଡ ଅଫିସର୍ସ ବୀମା କରାଇବାକୁ କମିଟି କହିଛି।

ସମ୍ବନ୍ଧିତ ଖବର