ରିଲିଫ୍ ପାଣ୍ଠିକୁ କର୍ପୋରେଟ୍ ଜଗତର ବିପୁଳ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଇମ୍ଫା ଦେଲା ୧.୨୬ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି କର୍ପୋରେଟ୍ ଜଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଠନ କରିଥିବା ପିଏମ୍-କେୟାରସ୍ ଫଣ୍ଡ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିପୁଳ ଅର୍ଥ ଦାନ କରୁଛନ୍ତି। ଆଜି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି), ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (ଜେଏସ୍‌ପିଏଲ୍‌), ପାୱାର ଫାଇନାନ୍ସ କର୍ପୋରେସନ, ଶାଓମି ଓ କେଆଇଓସିଏଲ୍ ଭଳି କଂପାନି ବଡ଼ ଧରଣର ଅର୍ଥ ଦାନ କରିଛନ୍ତି।

ଏଲ୍ଆଇସି ୧୦୫ କୋଟି ଟଙ୍କାର ସହାୟତା ପିଏମ୍-କେୟାରସ୍ ଫଣ୍ଡ୍‌କୁ ଦେଇଛି। ଜେଏସ୍‌ପିଏଲ୍‌ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି। ଏବିଷୟରେ ସଂସ୍ଥାର ଅଧ୍ୟକ୍ଷ ନବୀନ ଜିନ୍ଦଲ ଟୁଇଟ୍ କରି ଜଣାଇଛନ୍ତି। ଓପି ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୫ତମ ଶ୍ରାଦ୍ଧ ଦିବସରେ ସେ ଏହି ଘୋଷଣା କରିଛନ୍ତି। ଜେଏସ୍‌ପିଏଲ୍ ଫାଉଣ୍ଡେସନ ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜେଏସ୍‌ପିଏଲ୍‌ ଏହାର ଡାକ୍ତରଖାନାଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ଦେଶର ସରକାରୀ ଓ ଘରୋଇ ଇସ୍ପାତ କଂପାନିଗୁଡ଼ିକ ମିଶି ପିଏମ୍-କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଦାନ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ତୈଳ ଓ ଗ୍ୟାସ୍ କଂପାନିଗୁଡ଼ିକ ମିଶି ୧୦୩୧ କୋଟି ଟଙ୍କାର ସହାୟତା ଦେଇଛନ୍ତି ବୋଲି ସେ କହିଛନ୍ତି। ସିମେଣ୍ଟ୍ କମ୍ପାନି ଡାଲମିଆ ଭାରତ ଗ୍ରୁପ୍ ତରଫରୁ ପିଏମ୍-କେୟାରସ୍‌କୁ ୨୫ କୋଟି ଟଙ୍କା ଦାନ କରାଯାଇଛି। ଷ୍ଟେଟ୍ ବ୍ୟାଙ୍କର କର୍ମଚାରୀମାନେ ମିଶି ୧୦୦ କୋଟି ଟଙ୍କା ଦାନ କରିଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଗ୍ରୁପ୍‌ର ପ୍ରାୟ ୨ ଲକ୍ଷ ୬୫ ହଜାର କର୍ମଚାରୀ ସେମାନଙ୍କ ଦୁଇ ଦିନର ଦରମା ଦାନ କରିଛନ୍ତି। ପାୱାର ଫାଇନାନ୍ସ କର୍ପୋରେସନ ୨୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହା ବ୍ୟତୀତ କଂପାନିର କର୍ମଚାରୀମାନେ ସେମାନଙ୍କ ଗୋଟିଏ ଦିନର ଦରମା ପିଏମ୍-କେୟାରସ୍ ଫଣ୍ଡ୍‌କୁ ପ୍ରଦାନ କରିବେ ବୋଲି କହିଛନ୍ତି। ହିରୋ ଗ୍ରୁପ୍ ୧୦୦ କୋଟି ଟଙ୍କା ଦେଇଥିବା ବେଳେ କେଆଇଓସିଏଲ୍ ୧୦ କୋଟି ଟଙ୍କା ଏବଂ ସେଲୋ ଗ୍ରୁପ୍ ୩.୫ କୋଟି ଟଙ୍କା ଦାନ କରିଛି। ଅନ୍ୟ ପକ୍ଷରେ ଓଡ଼ିଶାରେ, ଶୁଭ୍ରକାନ୍ତ ପଣ୍ଡାଙ୍କ କଂପାନି ଇମ୍ଫା ଲିମିଟେଡ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୨୬ କୋଟି ଟଙ୍କା ଦାନ କରାଯାଇଛି। କଂପାନି ୧ କୋଟି ଟଙ୍କା ଦେଇଥିବା ବେଳେ ଇମ୍ଫାର ସମସ୍ତ କର୍ମଚାରୀ ବଳକା ଟଙ୍କା ପ୍ରଦାନ କରିଛନ୍ତି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨ କୋଟି ୩ ଲକ୍ଷ ୨୭ ହଜାର ୮୫୧ ଟଙ୍କା ପ୍ରଦାନ କରାଯାଇଛି। ମ୍ୟାନକାଇଣ୍ଡ ପକ୍ଷରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ରିଲିଫ ପାଣ୍ଠିକୁ ୫୧ କୋଟି ଟଙ୍କା ପ୍ରଦାନ କରିଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କମ୍ପାନି ୨କୋଟି ଟଙ୍କା ଦେଇଛି। ଏଥିସହିତ ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକୁ କମ୍ପାନି ପିପିଓ ଏବଂ ଭେଣ୍ଟିଲେଟର ପ୍ରଦାନ ନେଇ ଘୋଷଣା କରିଛି।

ସମ୍ବନ୍ଧିତ ଖବର