ଜିଡିପି ତଥ୍ୟରେ ସଂଶୋଧନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୧୭-୧୮ର ଜିଡିପି ଅଭିବୃଦ୍ଧି ତଥ୍ୟକୁ ସଂଶୋଧନ କରିଛନ୍ତି। ଏଥି ସହିତ ଜଣାଇଛନ୍ତି ଯେ ସେହି ବର୍ଷ ଅଭିବୃଦ୍ଧି ହାର ୬.୭% ନୁହେଁ, ୭.୨% ଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଅଭିବୃଦ୍ଧି ହାର ବଢ଼ିଛି ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ) ପକ୍ଷରୁ କୁହାଯାଇଛି। ୨୦୧୬-୧୭ରେ ଅଭିବୃଦ୍ଧି ହାର ୮.୨% ଭଳି ଉଚ୍ଚ ସ୍ତରରେ ଥିଲା। ବିଗତ ଚାରି ବର୍ଷ ମଧ୍ୟରେ ୨୦୧୭-୧୮ର ଅଭିବୃଦ୍ଧି ହାର ସବୁଠୁ କମ୍ ରହିଛି। ଏହା ପୂର୍ବରୁ ୨୦୧୩-୧୪ରେ ଦେଶର ଅଭିବୃଦ୍ଧି ହାର ୬.୪% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା।ସିଏସ୍‌ଓ ପକ୍ଷରୁ କୁହାଯାଇଛି ଯେ, ଦେଶର ମୋଟ୍‌ ଜିଡ଼ିପିର ଟଙ୍କା ହିସାବରେ ମୂଲ୍ୟ ହେଉଛି ୧୩୧.୮୦ ଲକ୍ଷ କୋଟି ଟଙ୍କା। ୨୦୧୬-୧୭ରେ ତାହା ୧୨୨.୯୮ ଲକ୍ଷ କୋଟି ଟଙ୍କା ଥିଲା। ୨୦୧୬-୧୭ରେ ମୁଣ୍ଡପିଛା ଆୟ ଏକ ଲକ୍ଷ ୪ ହଜାର ୬୫୯ ଟଙ୍କା ଥିବା ବେଳେ ୨୦୧୭-୧୮ରେ ତାହା ଏକ ଲକ୍ଷ ୧୪ ହଜାର ୯୫୮ ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର