ଜାଣନ୍ତୁ କେଉଁ କଏନ ନିର୍ମାଣ ପାଇଁ କେତେ ଖର୍ଚ୍ଚ ହୁଏ ? ରିଜର୍ଭ ବ୍ୟାଙ୍କ ଟଙ୍କାଶାଳରୁ ମିଳିଲା ତଥ୍ୟ

ମୁମ୍ବାଇ: ଗତ କିଛି ବର୍ଷ ହେବ ଲଗାତାର ଭାବେ ଖୁଚୁରା ଟଙ୍କାର ମୂଲ୍ୟ ହ୍ରାସ ପାଇ ଚାଲିଛି । ଏହାର ମୂଳ କାରଣ ହେଉଛି ବଜାରରେ ମିଳୁଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି । ଏବେ ବଜାରରେ ମିଳୁଥିବା ଅଳ୍ପ କିଛି ସାମଗ୍ରୀକୁ ଛାଡି ଦେଲେ ଖୁଚୁରା ପଇସାରେ ଅନ୍ୟ କିଛି ସାମଗ୍ରୀ କିଣାଯାଇ ପାରୁନାହିଁ । ଏପରିକି ବଜାରରେ ଏବେ ଅତ୍ୟାଧିକ ଖୁଚୁରାକୁ ନେଇ ସମସ୍ୟା ଦେଖିବାକୁ ମିଳୁଛି । ଖୁଚୁରା ନେବାକୁ ଅଧିକାଂଶ ଗ୍ରାହକ ଅମଙ୍ଗ ହେଉଛନ୍ତି । ଏବେ ଭାରତରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କିଅା କଏନର ବ୍ୟବହାର ହେଉଛି । କିନ୍ତୁ କେବେ ଭାବିଛନ୍ତି ପ୍ରତି କଏନର ପ୍ରସ୍ତୁତି ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ?

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଆରବିଆଇ ପ୍ରତି କଏନର ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି । ଆରଟିଆଇରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଦେଶର ସମସ୍ତ ମୁଦ୍ରାଶାଳକୁ ଏନେଇ ଚିଠି ଲେଖିଥିଲା ଆରବିଆଇ । ଏହାର ଜବାବରେ ମୁମ୍ବାଇ ଟଙ୍କାଶାଳ ପକ୍ଷରୁ କୁହାଯାଇଥିଲା ଯେ, ଏବେ ଦେଶରେ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କାର ନିର୍ମାଣ କରାଯାଉଛି । ଏପରିକି ବିଗତ ୫ ବର୍ଷ ମଧ୍ୟରେ କେତେ ଖୁଚୁରା ଟଙ୍କା ନିର୍ମାଣ କରାଯାଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଦେଇଛି ମୁମ୍ବାଇ ଟଙ୍କାଶାଳା ।

ତେବେ ଏହି କଏନ ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହେଉଛି ସେନେଇ କୌଣସି ସୂଚନା ଦେବାକୁ ମନା କରିଥିଲା ମୁମ୍ବାଇ ଟଙ୍କାଶାଳା । କିନ୍ତୁ ହାଇଦ୍ରାବାଦ ଟଙ୍କାଶାଳ ପକ୍ଷରୁ ଏନେଇ ସମସ୍ତ ସୂଚନା ଦିଆଯାଇଛି । ୧ ଟଙ୍କାର କଏନ ନିର୍ମାଣ ପାଇଁ ୧.୧୧ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨ ଟଙ୍କା କଏନ ପାଇଁ ୧.୨୮ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ସେହିଭଳି ୫ ଟଙ୍କାର କଏନ ପାଇଁ ୩.୬୯ ଟଙ୍କା ଓ ନୂଆ ଧାତୁରେ ନିର୍ମାଣ ହେଉଥିବା ୧୦ ଟଙ୍କିଆ କଏନ ପାଇଁ ୫.୫୪ ଟଙ୍କା ଖର୍ଚ୍ଚ ହେଉଥିବା କହିଛି ହାଇଦ୍ରାବାଦ ଟଙ୍କାଶାଳ ।

ସମ୍ବନ୍ଧିତ ଖବର