ସରଳ ଭାଷାରେ ଜଟିଳ ବଜେଟ୍‌

ଅର୍ଥ ମନ୍ତ୍ରଣାଳୟର ନୂଆ ଅଭିଯାନ

ନୂଆଦିଲ୍ଲୀ: ବଜେଟ୍‌ ପ୍ରସ୍ତୁତି ଏକ ଜଟିଳ ପ୍ରକ୍ରିୟା ଓ ଏଥିରେ ବ୍ୟବହାର କରାଯାଉଥିବା ଶବ୍ଦଗୁଡ଼ିକ ମଧ୍ୟ ବହୁତ ଜଟିଳ। ସେଥିପାଇଁ ଅଧିକାଂଶ ଲୋକ ବଜେଟ୍‌କୁ ଭଲ ଭାବେ ବୁଝିପାରନ୍ତି ନାହିଁ। ଜଟିଳ ବଜେଟ୍‌କୁ ଅତି ସରଳ ଭାଷା‌ରେ ଲୋକମାନଙ୍କୁ ବୁଝାଇବା ପ୍ରକ୍ରିୟା ଆରମ୍ଭ କରିଛି ଅର୍ଥ ମନ୍ତ୍ରଣାଳୟ। ଏଥିପାଇଁ ‘ଆପଣଙ୍କ ବଜେଟ୍‌କୁ ଜାଣନ୍ତୁ’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି। ମନ୍ତ୍ରଣାଳୟର ଟ୍ବିଟର୍‌ ହାଣ୍ଡେଲ୍‌ରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ବଜେଟ୍‌ରେ ବ୍ୟବହାର କରାଯାଉଥିବା ଜଟିଳ ଶବ୍ଦଗୁଡ଼ିକୁ ସରଳ ଭାଷାରେ ଲୋକମାନଙ୍କୁ ବୁଝାଇବାକୁ ପ୍ରୟାସ କରାଯାଉଛି। ବଜେଟ୍‌ ପ୍ରସ୍ତୁତିର ଗୁରୁତ୍ବ ଓ ଏହାକୁ କିଭଳି ପ୍ରସ୍ତୁତ କରାଯାଉଛି, ସେସବୁ ବିଷୟରେ ମନ୍ତ୍ରଣାଳୟ ସୂଚନା ଦେଉଛି। ଏହି ଅଭିଯାନ ୧୫ ଦିନ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍‌କୁ ଫେବ୍ରୁଆରି ୧ ତାରିଖରେ ସଂସଦରେ ଉପସ୍ଥାପନ କରିବେ। ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ବଜେଟ୍‌। ତେଣୁ ଏହାକୁ ଅନ୍ତରୀଣ ବଜେଟ୍ ଭାବେ ଉପସ୍ଥାପନ କରାଯିବ। ନିର୍ବାଚନ ପରେ ନୂତନ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ।
ମଙ୍ଗଳବାର ଠାରୁ ଅର୍ଥ ମନ୍ତ୍ରଣାଳୟ ଏହାର ବଜେଟ୍‌କୁ ଜାଣନ୍ତୁ ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ଲେଖାନୁଦାନ ଓ ବଜେଟ୍‌ ମଧ୍ୟରେ ଥିବା ଅନ୍ତରକୁ ବୁଝାଇବାକୁ ପ୍ରୟାସ କରାଯାଇଛି। ସେଥିରେ ଲେଖା ଯାଇଛି ଯେ, ବଜେଟ୍ ହେଉଛି କେନ୍ଦ୍ର ସରକାରଙ୍କ ଆର୍ଥିକ ନେଣଦେଣ ବିଷୟରେ ସୂଚନା ପ୍ରଦାନ କରୁଥିବା ସବୁଠୁ ବିସ୍ତୃତ ରିପୋର୍ଟ। ଏଥିରେ ସରକାରଙ୍କ ରାଜସ୍ବ ଉତ୍ସବ ଓ ଅନ୍ୟାନ୍ୟ ଗତିବିଧି ସହିତ ବ୍ୟୟ ଅଟକଳର ବିବରଣୀ ପ୍ରଦାନ କରାଯାଏ। ବଜେଟ୍‌ ସରକାର ଆସନ୍ତା ଆର୍ଥିକ ବର୍ଷର ଆୟବୟ ହିସାବ ଆକଳନକୁ ଉପସ୍ଥାପନ କରନ୍ତି।

ସମ୍ବନ୍ଧିତ ଖବର