ବିବାଦରେ ‘ଗୁଗୁଲ୍‌ ପେ’

ନୂଆଦିଲ୍ଲୀ: ମୋବାଇଲ୍‌ରେ ପେମେଣ୍ଟ୍‌ ସୁବିଧା ପ୍ରଦାନ କରୁଥିବା ‘ଗୁଗୁଲ୍‌ ପେ’କୁ ନେଇ ଦିଲ୍ଲୀ ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। ରିଜର୍ଭ ବ୍ୟାଙ୍କର ବିନା ସ୍ବୀକୃତିରେ ଏହି ସଂସ୍ଥା କିଭଳି ‌ପେମେଣ୍ଟ୍‌ ସମାଧାନ ପ୍ରଦାନ କରୁଛି ତାହାକୁ ନେଇ ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏବିଷୟରେ ଜବାବ ଦାଖଲ କରିବାକୁ ରିଜର୍ଭ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି। ଗୁଗୁଲ୍‌ ପେ’ ଭାରତ ପେମେଣ୍ଟ୍‌ ଆଣ୍ଡ୍‌ ସେଟଲ୍‌ମେଣ୍ଟ୍‌ ନିୟମ ପାଳନ କରୁନଥିବା ଅଭିଯୋଗ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା। ତାହାର ଶୁଣାଣି କରିବା ବେଳେ କଂପାନି ଏହି ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଥିଲା। ଏହି ମାମଲାରେ ରିଜର୍ଭ ବ୍ୟାଙ୍କ ଓ ଗୁଗୁଲ୍ ଇଣ୍ଡିଆକୁ ନୋଟିସ୍ ଜାରି କରାଯାଇଛି। ପେମେଣ୍ଟ୍‌ ସେବା ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଯେଉଁ ସବୁ ସଂସ୍ଥାକୁ ସ୍ବୀକୃତି ପ୍ରଦାନ କରିଛି, ସେହି ତାଲିକାରେ ଗୁଗୁଲ୍ ପେ’ର ନାମ ନାହିଁ। ଏହା ଜାଣିବା ପରେ ଅଭିଜିତ ମିଶ୍ର ନାମକ ଜଣେ ଆଇନଜୀବୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ନିଜ ଆବେଦନରେ ସେ ଅଭିଯୋଗ କରିଥିଲେ ଯେ, ଗୁଗୁଲ୍ ପେ’ କେବଳ ଭାରତୀୟ ଆଇନ ଉଲ୍ଲଂଘନ କରି କାମ କରୁଛି ତାହା ନୁହେଁ, ଏହା ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର