ଆହୁରି ବଢିବ ପେଟ୍ରୋଲ, ଡିଜେଲ ଦର , କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦିଙ୍କ ସୌଭାଗ୍ୟ ଯେ ୨୦୧୪ ରେ ସେ ପ୍ରଧାନମନ୍ତ୍ରୀ ହେବାଠାରୁ ୨୦୧୭ ପର୍ଯ୍ୟନ୍ତ ବିଶ୍ୱ ବଜାରରେ ତେଲଦର କମ ଥିଲା । କିନ୍ତୁ ଏବେ ମୋଦିଙ୍କ ପାଇଁ କଠିନ ସମୟ ଆସୁଛି । କାରଣ ଅଶୋଧିତ ତୈଳ ଦର ଧୀରେ ଧୀରେ ବଢିବାକୁ ଲାଗିଛି । ବିଶ୍ୱ ବଜାରରେ ବ୍ରେଣ୍ଟ କ୍ରୁଡ ଅଏଲ ବ୍ୟାରେଲ ପିଛା ଏବେ ୭୫ ଡଲାରକୁ ଛୁଇଁଛି । ଆଗକୁ ଏହା ୮୫ ଡଲାର ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି । ୨୦୧୬ ଜାନୁୟାରୀରେ ତେଲଦର ମାତ୍ର ୨୭ ଡଲାରକୁ ଖସିଆସିଥିଲା । ଏଣୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢିବାର ଆଶଙ୍କା ରହିଛି । ଏବେ ଦେଶରେ ପେଟ୍ରୋଲ ଦର ୭୪ ଟଙ୍କା ଛୁଇଁଲାଣି । ଡିଜେଲ ଦର ମଧ୍ୟ ୭୦ ଛୁଇଁବ ଛୁଇଁବ ହେଉଛି । ଆଗକୁ ବିଭିିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ତାପରେ ସାଧାରଣ ନିର୍ବାଚନ ଥିବାରୁ ତେଲଦର ବଢିବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଦୁଇବର୍ଷ ତଳେ ତଲଦର କମିବାର କାରଣ ଥିଲା ତେଲ ଉତ୍ପାଦନର ମାତ୍ରାକୁ ନେଇ ତେଲ ଉତ୍ପାଦନକାରୀ ଦେଶ ସମୂହଙ୍କ ସଂଘ ଓପେକ୍‌ର ଥିବା ଅସହମତି । ଏହା ସହିତ ଆମେରିକାରେ ସେଲ ଗ୍ୟାସର ପ୍ରଚୁର ଉତ୍ପାଦନ ମଧ୍ୟ ଚାହିଦା କମାଉଥିଲା । କିନ୍ତୁ ଏବେ ଉତ୍ପାଦନକୁ ସୀମାବଦ୍ଧ କରିବାକୁ ଓପେକ ଦେଶମାନେ ରାଜି ହୋଇଥିବାରୁ ତେଲଦର ବଢିଚାଲିଛି । ଆହୁରିମଧ୍ୟ ଇରାନ ଉପରେ ଆମେରିକା ଆର୍ଥିକ କଟକଣା ଲଗାଇବ ବୋଲି ସଂକେତ ଦେବା ପରେ ତାହାର ପ୍ରଭାବ ଅଶୋଧିତ ତେଲଦର ଉପରେ ପଡୁଛି । ଆମେରିକା ଇରାନ ଉପରେ କଟକଣା ଲଗାଇଲେ ଅନେକ ଦେଶ ଇରାନଠାରୁ ତେଲ କିଣିପାରିବେ ନାହିଁ । ଏହା ଫଳରେ ଯୋଗାଣ କମିବ କିନ୍ତୁ ଚାହିଦା ବଢିବ ଯାହାକି ଦର ବଢାଇବ ।

ସମ୍ବନ୍ଧିତ ଖବର