ବିଶ୍ୱ ବଜାରରେ ଦ୍ରୁତ ଗତିରେ କମୁଛି ଅଶୋଧିତ ତେଲଦର, ଆହୁରି କମିବ ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର କମିବା ଅବ୍ୟାହତ ରହିଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୨ ପଇସା ଓ ୧୩ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ପାଇବା ଯୋଗୁଁ ଦେଶରେ ତେଲ କମୁଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏବେ ଗତ କିଛି ଦିନ ଧରି ବିଶ୍ୱ ବଜାରରେ ଅଶୋଧିତ ତେଲଦର ଦ୍ରୁତ ଗତିରେ ହ୍ରାସ ପାଇଛି । ନଭେମ୍ବର ୧ ତାରିଖରେ ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲର ମୂଲ୍ୟ ୮୦ ଡଲାର ଥିବାବେଳେ ଏବେ ମାତ୍ର ୧୩ ଦିନ ପରେ ତାହା ୭୦ ଡଲାରକୁ ଖସିଆସିଛି । ସେହିପରି ଅନ୍ତର୍ଜାତୀୟ ସ୍ତରରେ ମାନଦଣ୍ଡଭାରେ ଧରାଯାଉଥିବା ବ୍ରେଣ୍ଟ କ୍ରୁଡର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଗତ ୧୨ ତାରିଖରେ ଏହା ୭୧.୭୬ ଡଲାର ଥିବାବେଳେ ମାତ୍ର ଦୁଇଦିନ ପରେ ତା ୬୫ ଡଲାରକୁ ହ୍ରାସ ପାଇଛି । ଓପେକ ଓ ଅନ୍ୟ ଦେଶମାନଙ୍କ ଦ୍ୱାରା ତୈଳ ଉତ୍ପାଦନ ବୃଦ୍ଧି ଫଳରେ ଯୋଗାଣ ବଢୁଛି ଓ ଦର କମୁଥିବା କୁହାଯାଉଛି । ଏସବୁକୁ ଦେଖିଲେ ଆଶା କରାଯାଇପାରେ ଯେ ଆସନ୍ତା କିଛି ଦିନ ମଧ୍ୟରେ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୩ରୁ ୪ ଟଙ୍କା କମିବ ।

ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୭.୪୩ ଓ ଡିଜେଲ ଦର ଲିଟର ପିଛା ଟ.୭୨.୧୯ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୬.୩୧ ଓ ଡିଜେଲ ୭୭.୪୭ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର