ବ୍ୟାଙ୍କ୍‌କୁ ଚକ୍‌ମା ଦେଉଛନ୍ତି ଗ୍ରାହକ:ଋଣ ଆଣି ଓଭରଡ୍ରାଫ୍ଟ ଖାତାରେ ରଖୁଛନ୍ତି

ସେହି ଟଙ୍କା ଅନ୍ୟତ୍ର ବ୍ୟବହାର କରୁଛନ୍ତି

ନୂଆଦିଲ୍ଲୀ,ଗୃହ ଋଣ ନେଇଥିବା ଗ୍ରାହକମାନେ ଏବେ ଏଭଳି ଏକ ଉପାୟ ବାହାର କରିଛନ୍ତି ଯାହାକୁ ନେଇ ବ୍ୟାଙ୍କଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ଗ୍ରାହକମାନେ ଗୃହ ଋଣ ରାଶିର ଏକ ବଡ଼ ଭାଗ ଗୃହ ଋଣ ଓଭରଡ୍ରାଫ୍ଟ ଆକାଉଣ୍ଟ୍‌ରେ ରଖୁଛନ୍ତି। ସେହି ରାଶି ଉପରେ ଗ୍ରାହକଙ୍କୁ କୌଣସି ସୁଧ ଗଣିବାକୁ ପଡୁନାହିଁ। ସେମାନେ ତାହାକୁ ଅନ୍ୟାନ୍ୟ ନିବେଶ ବାବଦରେ ଖର୍ଚ କରିପାରୁଛନ୍ତି।
ବ୍ୟାଙ୍କଗୁଡ଼ିକର ସମସ୍ୟା ହେଉଛନ୍ତି ଗୃଡ ଋଣ ଓଭରଡ୍ରାଫ୍ଟ ଆକାଉଣ୍ଟ୍‌ରେ ଯେଉଁ ଋଣ ରାଶି ଜମା କରାଯାଉଛି ତା’ଉପରେ କୌଣସି ସୁଧ ମିଳୁନାହିଁ। ସେମାନଙ୍କ ସୁଧ ଆୟ କମିଯାଉଛି। କିନ୍ତୁ ଏହି ଋଣ ପାଇଁ ବ୍ୟାଙ୍କଗୁଡ଼ିକ ଏଜେଣ୍ଟ୍‌ମାନଙ୍କୁ ଯାହା କମିସନ ଗଣିବା କଥା ଗଣୁଛନ୍ତି। ଅନ୍ୟାନ୍ୟ ପ୍ରଶାସନିକ ଖର୍ଚ ମଧ୍ୟ କରୁଛନ୍ତି। ଗୋଟିଏ ପଟେ ବ୍ୟାଙ୍କଗୁଡ଼ିକର ଖର୍ଚ ବଢ଼ୁଥିବା ବେଳେ ସୁଧ ଆୟ ଏହି ଜମା ରାଶି ଉପରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। କିଛି ଅତ୍ୟନ୍ତ ଚତୁର ଗ୍ରାହକ ଏଭଳି କାମ କରୁଥିବା ବ୍ୟାଙ୍କଗୁଡ଼ିକ ପକ୍ଷରୁ କୁହାଯାଇଛି। ଏବେ ଦେଶର ଅନେକ ବ୍ୟାଙ୍କ ନୂଆ ଗ୍ରାହକଙ୍କୁ ଗୃହ ଋଣ ଦେବା ବେଳେ ବହୁତ ସର୍ତ୍ତ ରଖୁଛନ୍ତି। ଯେଉଁ ଗ୍ରାହକମାନେ ପୂର୍ବରୁ ଋଣ ନେଇ ଓଭର୍‌ଡ୍ରାଫ୍ଟ ଖାତାରେ କିଛି ଅଂଶକୁ ଜମା ରଖିଛନ୍ତି, ସେମାନଙ୍କୁ ଆଦୌ ଋଣ ଦେଉନାହାନ୍ତି।
ପୂର୍ବରୁ ସିଟି ବ୍ୟାଙ୍କ, ଡିଏସ୍‌ବି ଓ ଏଚ୍‌ଏସ୍‌ବିସି ଭଳି ବହୁଦେଶୀୟ ବ୍ୟାଙ୍କ ସେମାନଙ୍କର ଧନୀ ଗ୍ରାହକଙ୍କୁ ଗୃହ ଋଣ ଓଭରଡ୍ରାଫ୍ଟ ସୁବିଧା ପ୍ରଦାନ କରୁଥିଲେ। କିଛି ବର୍ଷ ପରେ ଆଇସିଆଇସିଆଇ ବ୍ୟାଙ୍କ ଓ ଏକ୍ସିସ୍‌ ବ୍ୟାଙ୍କ ଓ ଷ୍ଟେଟ୍‌ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏହି ସୁବିଧା ଦେଇଥିଲେ।

ସମ୍ବନ୍ଧିତ ଖବର