ଡି’ ଡେକର୍‌ ଖୋଲିଲା ପ୍ରଥମ ଷ୍ଟୋର

ଭୁବନେଶ୍ବର: ସହିଦନଗରଠାରେ ରାଜ୍ୟର ପ୍ରଥମ ସ୍ବତନ୍ତ୍ର ଡି’ ଡେକର୍‌ ଷ୍ଟୋର୍‌ ଉଦ୍‌ଘାଟିତ ହୋଇଛି। ପନ୍ଦର ଶହ ବର୍ଗଫୁଟ ବିଶିଷ୍ଟ ଦୁଇ ମହଲାର ଏହି ଷ୍ଟୋର୍‌ରେ କଂପାନିର ୧୦ ହଜାରରୁ ଅଧିକ ପ୍ରକାରର ଉତ୍ପାଦ ବିକ୍ରି କରାଯାଉଛି। ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କଂପାନିର ବରିଷ୍ଠ ଉପସଭାପତି-ବିଜନେସ୍ ଡେଭେଲପ୍‌ମେଂଟ୍‌ ସନ୍ଦୀପ ବାଗାଡେ ଓ ଫ୍ରାଞ୍ଚାଇଜି ମାଲିକ ସୁରେଶ କୁମାର ସନ୍ତୁକା ଓ ଷ୍ଟୋର୍‌ ମ୍ୟାନେଜର ଦେବାଶିଷ ଦାସ ଉପସ୍ଥିତ ଥିଲେ। ଡି’ଡେକର୍‌ର ଏହି ଷ୍ଟୋର୍‌ରେ ଗ୍ରାହକମାନେ ପରଦା, ସୋଫା ଫେବ୍ରିକ୍, ଟାୱେଲ, ବେଡ୍‌ସିଟ୍‌ ସହିତ ବିଭିନ୍ନ ପ୍ରକାର ବେଡ୍ ଲାଇନ୍ ଓ ବାଥ୍ ଉତ୍ପାଦ କିଣିପାରିବେ। ଉତ୍ପାଦଗୁଡ଼ିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଶ୍ରୀ ବାଗାଡେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା କଂପାନିର ସ୍ବତନ୍ତ୍ର ଷ୍ଟୋର୍‌ ସଂଖ୍ୟା ୩୫ ଓ ଆସନ୍ତା ବର୍ଷ ୫୦ରେ ପହଂଚିବ। ଚଳିତ ବର୍ଷ କଂପାନି ଦେଶରେ ଆଉ ୬ଟି ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖିଛି। କଂପାନି ଦେଶର ୧୫୦୦ ମଲ୍ଟି ବ୍ରାଣ୍ଡ୍‌ ଆଉଟଲେଟ୍‌ରେ ମଧ୍ୟ ଏହାର ସାମଗ୍ରୀ ବିକ୍ର୍ରି କରୁଛି। ଗତବର୍ଷ କଂପାନିର କାରବାର ପରିମାଣ ୧୬୦୦ କୋଟି ଟଙ୍କା ଥିଲା। ଦେଶ ଭିତରେ ବିକ୍ରିରୁ କଂପାନି ୬୦୦ କୋଟି ଟଙ୍କା ଓ ରପ୍ତାନିରୁ ୧୦୦୦ କୋଟି ଟଙ୍କା ଆୟ କରିଥିଲା। କଂପାନିର ୭୦% ରାଜସ୍ବ ଫେବ୍ରିକ୍ସ ବିକ୍ରିରୁ ଆସୁଛି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ କଂପାନିର ଏକ କାରଖାନା ରହିଛି ଯେଉଁଠାରେ ଦିନକୁ ୧.୨୫ ଲକ୍ଷ ମିଟର ଫେବ୍ରିିକ୍ ପ୍ରସ୍ତୁତ କରାଯାଉଛି। ସେହି ଠାରୁ କଂପାନି ଦେଶବିଦେଶର ଆବଶ୍ୟକତା ପୂରଣ କରୁଛି। ସ୍ଥାନୀୟ ଅଂଚଳରୁ ଏହା ୮୫% ଜିନିଷ ସଂଗ୍ରହ କରୁଥିବା ବେଳେ ୧୫% ଆମଦାନି କରୁଛି ବୋଲି ଶ୍ରୀ ବାଗାଡେ କହିଛନ୍ତି।

ସମ୍ବନ୍ଧିତ ଖବର