ଇଞ୍ଜିନିୟରିଂ ଶିକ୍ଷାର ଲୋକପ୍ରିୟତା ବଜାୟ ରହିବ : ଡି କେ ଗୋଏଲ

ସାରା ବିଶ୍ବରେ ଇଞ୍ଜିନିୟରିଂ ଶିକ୍ଷାର ଦୃଶ୍ୟପଟ୍ଟ, ଏକ୍ଷେତ୍ରରେ ଦରକାର ହେଉଥିବା ପରିବର୍ତ୍ତନ, ଯୁବପିଢ଼ିଙ୍କ ପାଇଁ ରହିଥିବା କ୍ୟାରିଅର ସୁଯୋଗ, ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ବେଳେ ଛାତ୍ରଛାତ୍ରୀମାନେ କେଉଁ ସବୁ ବିଷୟ ଉପରେ ଧ୍ୟାନ ଦେବା ଦରକାର ଓ ପରିବର୍ତିତ ପରିସ୍ଥିତିରେ ଅନ୍‌ଲାଇନ୍‌ରେ କିଭଳି ପାଠପଢ଼ା ହେଉଛି ସେ ସମ୍ପର୍କରେ ଫିଟ୍‌ଜି ଗ୍ରୁପ୍‌ର ଅଧ୍ୟକ୍ଷ ଓ ମୁଖ୍ୟ ମେଣ୍ଟର ଡି କେ ଗୋଏଲଙ୍କ ସାକ୍ଷାତକାରକୁ ଏଠାରେ ଉପସ୍ଥାପନ କରାଯାଇଛି…

ଭାରତରେ ଇଞ୍ଜିନିୟରିଂ ଶିକ୍ଷାର ସ୍ଥିତି କ’ଣ ରହିଛି?
ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ ଯେ ଏହା ଠିକ୍ ଦିଗରେ ଗତି କରୁଛି। ମେକାଟ୍ରୋନିକ୍ସ, ନାନୋ ଇଞ୍ଜିନିୟରିଂ, ମହାକାଶ ଇଞ୍ଜିନିୟରିଂ, କୃଷି ଇଞ୍ଜିନିୟରିଂ ଓ ବାୟୋମେଡିକାଲ୍‌ ଇଞ୍ଜିନିୟରିଂ ଭଳି ନୂଆ ପାଠ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ଭାରତରେ ଇଞ୍ଜିନିୟରିଂ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦେଶରେ ବିଶେଷ କରି ଘରୋଇ ଇଞ୍ଜିନିୟରିଂ କଲେଜରେ ଶିକ୍ଷା ଗ୍ରହଣ କରୁଥିବା ଅଧିକ ଛାତ୍ରଛାତ୍ରୀ ନିଯୁକ୍ତି ପାଉନାହାନ୍ତି। ସେମାନଙ୍କୁ ଯେଉଁ ପାଠପଢ଼ା ହେଉଛି ତାହା ପ୍ରାସଙ୍ଗିକତା ହରାଇଥିବା ବେଳେ ସେହି ପାଠ୍ୟକ୍ରମଗୁଡ଼ିକୁ ଶିଳ୍ପର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରାଯାଉନାହିଁ। ପିଲାମାନଙ୍କ ଆଶା ଏବଂ ଅଭିଭାବକଙ୍କ ଚାପ ଭିତରେ ବଡ଼ ଧରଣର ଅନ୍ତର ରହିଛି। ମାତ୍ର ଏବେବି ସମ୍ମାନଜନକ ଅନୁଷ୍ଠାନ ଯଥା ଆଇଆଇଟି, ଏନ୍‌ଆଇଟି, ଆଇଆଇଆଇଟି ଏବଂ ବିଟସ୍‌ ଆଦି ନୂତନ ପ୍ରଯୁକ୍ତି ଅନୁସାରେ ପାଠପଢ଼ାଇ ସାରା ବିଶ୍ବ ପାଇଁ ଭଲ ଇଞ୍ଜିନିୟର ସୃଷ୍ଟି କରୁଛନ୍ତି।

ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତି କରିବା ଦରକାର?
ପିଲାମାନେ ଦୈନନ୍ଦିନ ଜୀବନ ସମସ୍ୟାଗୁଡ଼ିକୁ ନେଇ ପରିକଳ୍ପନା ପ୍ରସ୍ତୁତ କରିବା ଦରକାର ଏବଂ ବିଭିନ୍ନ ପ୍ରଶ୍ନକୁ ଭିନ୍ନ ଉଭାୟରେ ସମାଧାନ କରିବା ବିଷୟରେ ଭାବିା ଉଚିତ। ପରୀକ୍ଷାରେ ସଫଳତା ପାଇଁ ଲାଗି ପଢ଼ିବା, ଅଭ୍ୟାସ କରିବା, ପରୀକ୍ଷା, ଅନୁଶୀଳନ ଏବଂ ଦୁର୍ବଳ ବଷୟ ପ୍ରତି ସେମାନଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ।

ନୂଆପିଢ଼ିର କ୍ୟାରିଅର ଚାହିଦାରେ ଥିବାରୁ ଇଞ୍ଜିନିୟରିଂର ଚାହିଦା କମ୍ ହୋଇଛି କି?
ଇଞ୍ଜିନିୟରିଂ ପଢ଼ିଲେ ଜଣେ କେବଳ ଇଞ୍ଜିନିୟର ହୋଇନଥାଏ। ଅନେକ କ୍ଷେତ୍ରରେ ସେ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ରହିଥାନ୍ତି। ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଅଣ-ବିଜ୍ଞାନ ଓ ଅଣ-ଇଞ୍ଜିନିୟରିଂକୁ ନେଇ ଅନେକ କ୍ୟାରିଅର ବିକଳ୍ପ ଖୋଲା ରହିଛି। କିନ୍ତୁ ଛାତ୍ର କିମ୍ବା ଛାତ୍ରୀ ଯଦି ବିଜ୍ଞାନ ପାଠପଢ଼ାକୁ ଚୟନ କରିବେ ତେବେ ସେ ଭବିଷ୍ୟତରେ ଯେକୌଣସି କ୍ଷେତ୍ରରେ କ୍ୟାରିଅର ଗଢ଼ିପାରିବେ। ଏବେବି ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ଜେଇଇରେ ସଫଳତା ହାସଲ କରିବା ହେଉଛି ବଡ଼ ସ୍ବପ୍ନ। ତେଣୁ ଇଞ୍ଜିନିୟରିଂ ଶିକ୍ଷାର ଚାହିଦା ଏବେବି ରହିଛି ଓ ବେଶ ଦୃଢ଼ ରହିଛି।

ବର୍ତ୍ତମାନ ସମୟରେ ଫିଟ୍‌ଜି ପିଲାଙ୍କୁ କିଭଳି ପାଠପଢ଼ାଉଛି?
କରୋନା ସଙ୍କଟ ଆରମ୍ଭ ହେବା ପରେ ଆମେ ଲାଇଭ୍ ଅନ୍‌ଲାଇନ୍‌ କ୍ଲାସେସ୍‌ ଆରମ୍ଭ କରିଛୁ। ବିଭିନ୍ନ ପ୍ରକାର ବ୍ୟାଚ୍‌କୁ ନେଇ ପାଠପଢ଼ା ହେଉଛି। ଏହି ଲାଇଭ୍‌ କ୍ଲାସେସ୍‌ଗୁଡ଼ିକରେ ପିଲାମାନେ ନିଜର ଦ୍ବନ୍ଦ୍ବ ଦୂର କରିବାର ସୁଯୋଗ ପାଉଛନ୍ତି। ଆମର ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ପାଠପଢ଼ା ଭିତରେ ବିଶେଷ ଫରକ ନାହିଁ। ଆମେ ଛାତ୍ରଛାତ୍ରୀମାନଙ୍କୁ ଘରେ ରହି ଅନ୍‌ଲାଇନ୍ ନାମଲେଖା ପରୀକ୍ଷା ଦେବାର ସୁଯୋଗ ଦେଉଛୁ। ସେଥିରେ ଯେଉଁମାନେ ପାସ୍ କରୁଛନ୍ତି ସେମାନେ ଆମର ଅନ୍‌ଲାଇନ୍ କ୍ଲାସେସ୍‌ରେ ଯୋଗ ଦେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି।

କୋଟାରୁ ଅନେକ ଛାତ୍ରଛାତ୍ରୀ ନିଜ ଘରକୁ ଫେରିଯାଇଛନ୍ତି। ସେମାନଙ୍କ ପାଇଁ ଫିଟ୍‌ଜି କ’ଣ ବ୍ୟବସ୍ଥା କରିଛି?
ଯେଉଁ ଛାତ୍ରଛାତ୍ରୀମାନେ ନିଜ ‌ଘରକୁ ଫେରିଛନ୍ତି ସେମାନଙ୍କୁ ଆମେ ଅନ୍‌ଲାଇନ୍ କ୍ଲାସେସ୍‌ ଜରିଆରେ ପାଠପଢ଼ାଉଛୁ। ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ବ୍ୟାଚ୍‌ ଗଠନ କରି ପାଠପଢ଼ା ହେଉଥିବାରୁ ସେମାନେ ତାହାକୁ ବେଶ ଉପ‌ଭୋଗ କରୁଛନ୍ତି। ସ୍ଥିତିରେ କିଛିଟା ସୁଧାର ହେବା ପରେ ଆମେ ସେମାନଙ୍କୁ ସେମାନଙ୍କ ଘର ନିକଟସ୍ଥ ଫିଟ୍‌ଜି କେନ୍ଦ୍ରରେ ପାଠପଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିଛୁ।

ସମ୍ବନ୍ଧିତ ଖବର