ବିଶ୍ୱର ଶ୍ରେଷ୍ଠ ୧୦ ଆଇବି ସ୍କୁଲ ତାଲିକାରେ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ

ମୁମ୍ବାଇ: ନୀତା ଏମ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ତଥା ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ସ୍ଥାପିତ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ (ଡିଏଆଇଏସ) ଏକ ମାତ୍ର ଭାରତୀୟ ସ୍କୁଲ ଭାବେ ବିଶ୍ୱର ଶ୍ରେଷ୍ଠ ୧୦ ଇଣ୍ଟରନ୍ୟାସନାଲ ବାକ୍କାଲରେଟ (ଆଇବି) ସ୍କୁଲ ମଧ୍ୟରେ ସ୍ଥାନ ପାଇଛି। ଇଂଲଣ୍ଡ (ୟୁକେ)ରୁ କାର୍ଯ୍ୟ କରୁଥିବା ନିରପେକ୍ଷ ଶିକ୍ଷା ପରାମର୍ଶ ସଂସ୍ଥା ଏଜୁକେସନ ଆଡଭାଇଜର୍ସ ଲିମିଟେଡର ଅନୁଧ୍ୟାନ ମତେ ‘ବିଶ୍ୱସ୍ତରୀୟ ଶ୍ରେଷ୍ଠ ୫୦ ଆଇବି ସ୍କୁଲ ୨୦୧୯’ ତାଲିକାରେ ଏହା ୧୦ମ ସ୍ଥାନରେ ରହିଛି। ଏହି ର‍୍ୟାଙ୍କିଂ ୨୦୧୯ର ହାରାହାରି ଆଇବି ଡିପ୍ଲୋମା ସ୍କୋରିଂ ଆଧାରରେ କରାଯାଇଛି।

୨୦୧୯ ଆଇବି ଡିପ୍ଲୋମା ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡିଏଆଇଏସ ଛାତ୍ରଛାତ୍ରୀ ହାରାହାରି ୩୯.୫ ପଏଣ୍ଟ ସ୍କୋର କରିଛନ୍ତି। ଏ କ୍ଷେତ୍ରରେ ସର୍ବାଧିକ ସମ୍ଭାବ୍ୟ ସ୍କୋର ୪୫ ପଏଣ୍ଟ ହୋଇଥିବା ବେଳେ ଡିଏଆଇଏସର ସ୍କୋର ଭାରତ ତଥା ଦକ୍ଷିଣ ଏସିଆରେ ସର୍ବାଧିକ (ଏସିଆରେ ଷଷ୍ଠ ଏବଂ ବିଶ୍ୱରେ ୧୦ମ ସ୍ଥାନ)।

ତାଲିକା ଅନୁଯାୟୀ ସ୍ଥାନିତ ଅଧିକାଂଶ ସ୍କୁଲର ସମୃଦ୍ଧି ରହିଛି – ସେସବୁ ମଧ୍ୟରୁ ଅନେକ ୧୦୦ ବର୍ଷରୁ ଅଧିକ ପୁରୁଣା ଏବଂ ଆଇବି ଡିପ୍ଲୋମା ପରୀକ୍ଷା ଫଳରେ ଉତ୍କର୍ଷ ହାସଲ କରିଛନ୍ତି। ଡିଏଆଇଏସ ୨୦୦୩ରେ ସ୍ଥାପିତ ହୋଇଥିଲା ଏବଂ ଏହାର ପ୍ରଥମ ବ୍ୟାଚ ଆଇବି ଡିପ୍ଲୋମା ଛାତ୍ରଛାତ୍ରୀ ୨୦୦୭ରେ ସ୍କୁଲରୁ ଉତୀର୍ଣ୍ଣ ହୋଇଥିଲେ। ସେମାନେ ନିରବଚ୍ଛିନ୍ନ ଭାବେ ଆଇବିି ଡିପ୍ଲୋମା ପରୀକ୍ଷାରେ ଉତ୍କର୍ଷ ହାସଲ କରିଛନ୍ତି।

ଏହି ସଫଳତା ଅବସରରେ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି, ‘ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ ବିଶ୍ୱସ୍ତରରେ ଶ୍ରେଷ୍ଠ ୧୦ ଆଇବି ସ୍କୁଲ ମଧ୍ୟରେ ସ୍ଥାନୀତ ହୋଇଥିବାରୁ ଆମେ ଉଲ୍ଲସିତ। ଏହି ସ୍ୱୀକୃତି ଆମର ସ୍କୁଲର ଉତ୍କର୍ଷ ସଂସ୍କୃତିକୁ ପ୍ରଦର୍ଶିତ କରୁଛି ଏବଂ ଏହା ଆମର ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ କଠିନ ପରିଶ୍ରମର ତଥା ଆମର ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ ପ୍ରତିଶ୍ରୁତିବଦ୍ଧତାର ଏକ ବାସ୍ତବ ନମୁନା। ଆମେ ଗର୍ବିତ ଯେ ୧୬ ବର୍ଷର ସ୍ୱଳ୍ପ ଅବଧି ମଧ୍ୟରେ ଆମର ସ୍କୁଲ ବିଶ୍ୱସ୍ତରରେ ସ୍ଥାପିତ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ମାନଙ୍କ ସହ ତାଳ ଦେବା ସହ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଏକ ସ୍କୁଲର ମାନ୍ୟତା ପାଇଛି। ଏହି ସଫଳତା ଆମର ପିଲାମାନଙ୍କୁ ଡିଏଆଇଏସରେ ଉତ୍କର୍ଷ ଶିକ୍ଷା ପ୍ରଦାନ ପାଇଁ ଆମକୁ ଅନୁପ୍ରେରିତ କରିବ।

ସମ୍ବନ୍ଧିତ ଖବର