ବିନା ଟିକଟ ଯାତ୍ରୀଙ୍କ ପାଇଁ କ୍ଷତି

ନୂଆଦିଲ୍ଲୀ: ଅନେକ ଯାତ୍ରୀ ବିନା ଟିକଟରେ ରେଳରେ ଯାତ୍ରା କରୁଥିବାରୁ ରେଳବାଇର ବିପୁଳ କ୍ଷତି ହେଉଛି। ଏହାକୁ ନେଇ ଏକ ସଂସଦୀୟ କମିଟି ଚିନ୍ତା ପ୍ରକଟ କରିଛି। ବିନା ଟିକଟର ଯାତ୍ରୀଙ୍କ ଯୋଗୁଁ ହେଉଥିବା କ୍ଷତିକୁ ସହିବା ଭଳି ସ୍ଥିତିରେ ରେଳବାଇ ନାହିଁ। ବିନା ଟିକଟରେ ଯାତ୍ରା କରୁଥିବା ବେଳେ ଯେତିକି ଯାତ୍ରୀ ଧରାପଡ଼ିଛନ୍ତି, ସମସ୍ତଙ୍କଠାରୁ ଜରିମାନା ଆଦାୟ କରାଯାଇପାରିନାହିଁ। ଯେତିକି ପରିମାଣର ଜରିମାନା ଆଦାୟ ହୋଇଛି ତାହା ଏଭଳି ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ବହୁତ କମ୍‌। ୨୦୧୬-୧୭ରେ ପାଖାପାଖି ୨ କୋଟି ବିନା ଟିକଟର ଯାତ୍ରୀଙ୍କଠାରୁ ୯୩୫.୬୪ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ନିୟମ ଅନୁଯାୟୀ, ବିନା ଟିକଟର ଯାତ୍ରୀମାନଙ୍କଠାରୁ ମୂଳ ଭଡ଼ା ସହିତ ୨୫୦ ଟଙ୍କାର ଜରିମାନା ଆଦାୟ କରାଯିବା ଦରକାର। ଟିକଟ ବିନା ଯେଉଁମାନେ ପ୍ଲାଟଫର୍ମରେ ପ୍ରବେଶ କରୁଛନ୍ତି ସେମାନଙ୍କଠାରୁ ପ୍ଲାଟଫର୍ମ ଟିକଟ ବାବଦ ଅର୍ଥ ସହିତ ୨୫୦ ଟଙ୍କାର ଜରିମାନା ଆଦାୟ କରାଯିବା କଥା। ବିନା ଟିକଟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରିବା ପାଇଁ ରେଳବାଇ ଏହାର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦରକାର ବୋଲି କମିଟି ଏହାର ରିପୋର୍ଟରେ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର