ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ସଦସ୍ୟମାନଙ୍କୁ ଅବସର ପରେ ମାସିକ ସର୍ବନିମ୍ନ ୭୫୦୦ ଟଙ୍କା ପେନସନ ଦେବା ପାଇଁ ଜାତୀୟ ସଂଘର୍ଷ ସମିତି ଦାବି କରିଛି। ଏହି ଦାବି ପୂରଣ ପାଇଁ ସମିତି ଆସନ୍ତାମାସରେ ଦିଲ୍ଲୀରେ ରାସ୍ତାରୋକ କରିବ ବୋଲି କହିଛି। ସମିତିର ସଭାପତି ତଥା ଜାତୀୟ ସଂଯୋଜକ ଅଶୋକ ରାଉତ କହିଛନ୍ତି, ୩୦ ବର୍ଷ ଧରି କାର୍ଯ୍ୟ କରିବା ପରେ ଏବଂ ଇପିଏସକୁ ନିରବଚ୍ଛିନ୍ନ ଭାବେ ଯୋଗଦାନ ରାଶି ଦେବା ପରେ କର୍ମଚାରୀମାନେ ସର୍ବାଧିକ ୨୫୦୦ ଟଙ୍କାର ପେନସନ ପାଉଛନ୍ତି। ଏହି ଅର୍ଥରେ ଅବସରପ୍ରାପ୍ତ କର୍ମଚାରୀମାନେ ପରିବାର ଚଳାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସର୍ବନିମ୍ନ ପେନସନ ୭୫୦୦ ଟଙ୍କା କରିବା ନୁହେଁ, ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିବା, ପରିବାରର ସଦସ୍ୟମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ଭଳି ଦାବି ସମିତି କରିଛି। ଇପିଏସ୍ ୯୫ ଅଧୀନରେ ଆସୁ ନଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସମେତ ସେମାନଙ୍କୁ ମାସିକ ସର୍ବନିମ୍ନ ୫୦୦୦ ଟଙ୍କା ପେନସନ ଦେବା ଲାଗି ପାଇଁ ବି ସମିତି ଦାବି କରିଛି।
ଶ୍ରୀ ରାଉତ କହିଛନ୍ତି, ଇପିଏସ୍-୯୫ ଅଧୀନରେ ଆସୁଥିବା କର୍ମଚାରୀମାନଙ୍କୁ ମାସିକ ସର୍ବନିମ୍ନ ୭୫୦୦ ଟଙ୍କାର ପେନସନ ପ୍ରଦାନ ପାଇଁ ଦୀର୍ଘଦିନ ହେଲା ଦାବି କରିଆସୁଛୁ। ଏହି ଦାବିକୁ ସମର୍ଥନ କରି ପେନସନଭୋଗୀମାନେ ଆସନ୍ତା ଡିସେମ୍ବର ୭ ତାରିଖରୁ ଦିଲ୍ଲୀରେ ରାସ୍ତା ରୋକୋ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପେନସନଭୋଗୀମାନେ ଉକ୍ତ ଦାବି ପୂରଣ ପାଇଁ ଗାଁଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ ଚଳିତମାସ ୧ ତାରିଖରୁ ଆରମ୍ଭ ହୋଇଛି। ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Employee-Pension-Scheme.jpg)