ବିମୁଦ୍ରାକରଣକୁ ବର୍ଷେ

ବିମୁଦ୍ରାକରଣକୁ ବର୍ଷେ ପୂରିଲା।  ୮୬ ପ୍ରତିଶତ ନୋଟ୍‌କୁ ଅଚଳ ଘୋଷଣା କରିବା ଥିଲା ଏକ ବିରଳ ପଦକ୍ଷେପ। ତେବେ ମୋଦି ସରକାରଙ୍କ ଏହି ବିମୁଦ୍ରାକରଣ  କେତେ ସଫଳ ହୋଇଛି ତାହାକୁ ନେଇ ବିତର୍କ ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ଅଭିଯୋଗ  କରୁଛନ୍ତି ଯେ ବିମୁଦ୍ରାକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମାତ୍ର ସରକାର ଦାବି କରୁଛନ୍ତି ଏହା ସଫଳ ହୋଇଛି। କିନ୍ତୁ ଅର୍ଥନୀତିକୁ ଏହା କେମିତି ପ୍ରଭାବିତ କରିଛି ତାହାକୁ ନେଇ ଏହି ଉପସ୍ଥାପନା…

୧୫.୪୪ ଲକ୍ଷ କୋଟି ଅଚଳ

ବିମୁଦ୍ରାକରଣ ଘୋଷଣା ହେବା ପରେ ହଠାତ ୧୫.୪୪ ଲକ୍ଷ କୋଟି ଟଙ୍କା ଅଚଳ ହୋଇଯାଇଥିଲା। ଏହା ସେହି ସମୟରେ ବଜାରରେ ପ୍ରଚଳନରେ ଥିବା ୮୬% ନୋଟ୍‌ ସହିତ ସମାନ ଥିଲା। ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଥିଲା।

୯୯% ଅଚଳ ନୋଟ୍‌ ଫେରି ଆସିଲା

ଅଚଳ ହୋଇଥିବା ୧୫.୪୪ ଲକ୍ଷ ଟଙ୍କା ମଧ୍ୟରୁ ୯୯% ନୋଟ୍‌ ବ୍ୟାଙ୍କ ପାଖକୁ ଫେରି ଆସିଛି। ସରକାର ଆଶା ରଖିଥିଲେ ୪-୫ ଲକ୍ଷ କୋଟି ଟଙ୍କା ଫେରିବନି। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି।  ୧୫ ଲକ୍ଷ ୨୮ ହଜାର କୋଟି ଟଙ୍କା ଫେରିଯାଇଛି। ମୋଟ ଅଚଳ ନୋଟ୍‌ ମଧ୍ୟରୁ ମାତ୍ର ୧୬ ହଜାର କୋଟି ଟଙ୍କା ମୂଲ୍ୟ ନୋଟ୍‌ର ଫେରିନାହିଁ। ଅର୍ଥାତ୍‌ ମୋଟ ଅଚଳ ନୋଟ୍‌ ମଧ୍ୟରୁ ୯୮.୯୬ ପ୍ରତିଶତ ନୋଟ୍‌ ବ୍ୟାଙ୍କ ଗୁଡ଼ିକୁ ଫେରି ଯାଇଥିବାବେଳେ ମାତ୍ର ୧.୦୪ ପ୍ରତିଶତ ଅଚଳ ନୋଟ୍‌ ଫେରିନାହିଁ।

ଶତାଧିକ ମୃତ

ବିମୁଦ୍ରାକରଣ ଯୋଗୁଁ କେତେ ଲୋକଙ୍କର ମୃତ୍ୟୁ ହୋଇଥିଲା ତାହାର କୌଣସି ସରକାରୀ ତଥ୍ୟ ନାହିଁ। କିନ୍ତୁ ସେହି ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟଗୁଡ଼ିକୁ ଅନୁଧ୍ୟାନ କଲେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ବିମୁଦ୍ରାକରଣ ଯୋଗୁଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଏହି ସବୁ ଲୋକମାନଙ୍କର ମୃତ୍ୟୁ ହୋଇଥିଲା। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲ କହିଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ କାହାର ମୃତ୍ୟୁ ହୋଇଥିବାର ଖବର ସରକାରଙ୍କ ପାଖରେ ପହଞ୍ଚିନି।

୧୫ ଲକ୍ଷ ଚାକିରି ହରାଇଲେ

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ଇକୋନମି ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ବିମୁଦ୍ରାକରଣ ଘୋଷଣା ହେବା ପରେ ୨୦୧୭ ଜାନୁଆରିରୁ ଏପ୍ରିଲ୍‌ ଭିତରେ ୧୫ ଲକ୍ଷ ଲୋକ ନିଜର ଚାକିରି ହରାଇଥିଲେ। ଅଣସଂଗଠିତ କ୍ଷେତ୍ରରେ ଶ୍ରମିକ ଭାବେ କାମ କରୁଥିବା ଲୋକମାନେ ଅଧିକ ପ୍ରଭାବିତ ହୋଇଥିଲେ।

ନଗଣ୍ୟ ପରିମାଣର ନକଲି ନୋଟ୍‌ ଠାବ

ବିମୁଦ୍ରାକରଣର ଏକ ପ୍ରମୁଖ ଲକ୍ଷ୍ୟ ଥିଲା ଦେଶରୁ ନକଲି ନୋଟ୍‌କୁ ବାହାର କରିବା। କିନ୍ତୁ ସରକାର ଏକ୍ଷେତ୍ରରେ ସେତେଟା ସଫଳ ହୋଇଥିବା ମନେହୁଏ ନାହିଁ। ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁଯାୟୀ ବିମୁଦ୍ରାକରଣ ପରେ ଯଦିଓ ଦେଶରେ ଚିହ୍ନଟ ଓ ଠାବ ହୋଇଥିବା ନକଲି ନୋଟ୍‌ର ସଂଖ୍ୟା ବୃଦ୍ଧି ପାଇଛି ହେଲେ ଏହାର ମୂଲ୍ୟ ମାତ୍ର ୪୨ କୋଟି ଟଙ୍କା ରହିଛି। ଆଶ୍ଚର୍ଯ୍ୟର ବିଷୟ ହେଲା ନୂଆ ନୋଟ୍‌ ଆସିବା ପରେ ମଧ୍ୟ ଦେଶରେ ନକଲି ନୋଟ୍‌କୁ ରୋକାଯାଇ ପାରିନାହିଁ। ୬୩୮ ଖଣ୍ଡ ୨୦୦୦ ଟଙ୍କିଆ ନକଲି ନୋଟ୍‌ ମିଳିଛି।

ନୋଟ୍‌ ଛାପିବାରେ ୭୯୬୫ କୋଟି ଖର୍ଚ

ପାଞ୍ଚ ଶହ ଓ ହଜାରେ ଟଙ୍କିଆ ନୋଟ୍‌ ଅଚଳ କରିବା ଫଳରେ ଦେଶରେ ନୋଟ୍‌ର ଭୟଙ୍କର ଅଭାବ ପରିଲକ୍ଷିତ ହୋଇଥିଲା। ସରକାର ଏହି ଅଭାବ ପୂରଣ ପାଇଁ ନୂଆ ନୋଟ୍‌ ଦ୍ରୁତଗତିରେ ଛାପିବା ସହିତ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ଲାଗି ହେଲିକପ୍ଟରର ବ୍ୟବହାର କରିଥିଲେ। ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟକୁ ଦେଖିଲେ ସରକାରଙ୍କ ନୋଟ୍‌ ଛାପିବା ଖର୍ଚରେ ଦୁଇଗୁଣରୁ ଅଧିକ ବୃଦ୍ଧି ଘଟିଛି। ୨୦୧୬ ଜୁଲାଇରୁ ୨୦୧୭ ଜୁନ୍‌ ମଧ୍ୟରେ ରିଜର୍ଭ ବ୍ୟାଙ୍କ ନୂଆ ନୋଟ୍‌ ଛାପିବାରେ ୭୯୬୫ କୋଟି ଟଙ୍କା ଖର୍ଚ କରିଛି। ନୂଆ ନୋଟ୍‌ ଛାପିବା ଖର୍ଚରେ ୧୩୩ ପ୍ରତିଶତ ବୃଦ୍ଧି ଘଟିଛି। ଗତ ୧୭ ବର୍ଷ ମଧ୍ୟରେ ନୋଟ୍‌ ଛାପିବା ଖର୍ଚରେ ଏହା ସର୍ବାଧିକ ବୃଦ୍ଧି।

୧୧୫୨ ଆୟକର ଚଢ଼ଉ

ବିମୁଦ୍ରାକରଣ ଘୋଷଣା ହେବା ପରଠାରୁ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ଆୟକର ବିଭାଗ ପକ୍ଷରୁ ୧୧୫୨ ଥର  ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ପୂର୍ବର ଚଢ଼ଉ ପରିମାଣ ୪୪୭ ଥର ଥିଲା। ବିମୁଦ୍ରାକରଣ ପରେ ଆୟକର ଚଢ଼ଉରେ ୧୫୮% ବୃଦ୍ଧି ପରିଲକ୍ଷିତ ହୋଇଥିଲା।

ଡିଜିଟାଲ୍‌ କାରବାରରେ ବୃଦ୍ଧି

ବିମୁଦ୍ରାକରଣ ପରେ ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଇଛି। ବିମୁଦ୍ରାକରଣ ପୂର୍ବରୁ ୨୦୧୬ ଅଗଷ୍ଟରେ କ୍ରେଡିଟ୍‌ କାର୍ଡ ସଂଖ୍ୟା ୨୬.୩୯ ନିୟୁତ ରହିଥିଲା। କିନ୍ତୁ ବିମୁଦ୍ରାକରଣ ପରେ ଏଥିରେ ଦ୍ରୁତ ବୃଦ୍ଧି ଘଟିଛି। ୨୦୧୭ ଅଗଷ୍ଟ ବେଳକୁ ଦେଶରେ କ୍ରେଡିଟ୍‌ କାର୍ଡ ସଂଖ୍ୟା ୩୨. ୬୫ ନିୟୁତରେ ପହଞ୍ଚି ଯାଇଛି। କେବଳ କ୍ରେଡିଟ୍‌ କାର୍ଡ ସଂଖ୍ୟା ନୁହେଁ କ୍ରେଡିଟ୍‌ କାର୍ଡର ବ୍ୟବହାର ମଧ୍ୟ ବୃଦ୍ଧି ଘଟିଛି। ୨୦୧୭ ସେପ୍ଟେମ୍ବର ସୁଦ୍ଧା କ୍ରେଡିଟ୍‌ କାର୍ଡରେ ଲୋକମାନେ ୫୯,୯୦୦ କୋଟି ଟଙ୍କାର କିଣାକିଣି କରିଛନ୍ତି। ୨୦୧୬ ସେପ୍‌ଟେମ୍ବର ବେଳକୁ ଏହି ରାଶି ୪୩,୨୦୦ କୋଟି ଟଙ୍କାରେ ରହିଥିଲା।

କେତେ କଳାଧନ ଫେରିଲା, କାହା ପାଖରେ ହିସାବ ନାହିଁ

କଳାଧନକୁ ଦେଶରୁ ମୂଳପୋଛ କରିବା ପାଇଁ ବିମୁଦ୍ରାକରଣ ଘୋଷଣା ହୋଇଥିଲା। କିନ୍ତୁ ଏହି ଅଭିଯାନରୁ କେତେ ପରିମାଣର କଳାଧନ ମିଳିଲା ତାହାର ହିସାବ କାହା ପାଖରେ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ୮ ମାସ ସମୟ ଲାଗିଗଲା ଏହା ଜଣାଇବା ପାଇଁ ଯେ ଅଚଳ କରାଯାଇଥିବା ୯୯% ନୋଟ୍‌ ଫେରି ଆସିଛି। ବିମୁଦ୍ରାକରଣ ଯୋଗୁଁ ୧୫.୪୪ ଲକ୍ଷ କୋଟି ଟଙ୍କାର ନୋଟ୍‌ ଅଚଳ  ହୋଇଥିଲା। ୨୦୧୬ ନଭେମ୍ବରରେ ଆଟର୍ଣ୍ଣି ଜେନେରାଲ୍‌ ମୁକୁଲ ରୋହତୋଗି ସୁପ୍ରିମକୋର୍ଟରେ କହିଥିଲେ ଯେ ୪-୫ ଲକ୍ଷ କୋଟି ଟଙ୍କାର ଅଚଳ ନୋଟ୍‌ ଫେରିବ ନାହିଁ। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି।

୧୫.୨% ଅଧିକ ଟିକସ ଆଦାୟ

ବିମୁଦ୍ରାୟନ ଘୋଷଣା ହେବା ପରେ ଦେଶର ଟିକସ ଆଦାୟ ପରିମାଣ ବଢ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ୪.୩୯ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଛି ଯାହା ଗତବର୍ଷ ତୁଳନାରେ ୧୫.୨% ଅଧିକ। ୧.୨୬ କୋଟି ନୂଆ ଟିକସଦାତା ଟିକସ ପରିସରରେ ସାମିଲ ହୋଇଛନ୍ତି।

ହଠାତ୍‌ ୮୦ ଲକ୍ଷ ବ୍ୟାଙ୍କ ଖାତା ସକ୍ରିୟ

ବିମୁଦ୍ରାକରଣ ଘୋଷଣା କରିବା ପରେ ଦେଶରେ ହଠାତ୍‌ ସକ୍ରିୟ ହୋଇ ଯାଇଥିଲା ୮୦ ଲକ୍ଷରୁ ଅଧିକ ନିଷ୍କି୍ରୟ ଥିବା ବ୍ୟାଙ୍କ ଖାତା। ୨୦୧୬ ନଭେମ୍ବର ୯ରୁ ଡିସେମ୍ବର ୩୧ ମଧ୍ୟରେ ୮୦ ଲକ୍ଷ ୧୪ ହଜାର ଆକାଉଣ୍ଟରେ ହଠାତ୍‌ ଟଙ୍କା ଜମା ହେବା ଆରମ୍ଭ ହୋଇଥିଲା। ଏଗୁଡ଼ିକରେ ୩୧,୩୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜମା ହୋଇଥିଲା। ପଞ୍ଜାବରେ ସବୁଠୁ ଅଧିକ ( ୪୮୪୩.୯୧ କୋଟି ଟଙ୍କା) ଜମା ହୋଇଥିଲା। ଏହା ପଛକୁ ଉତ୍ତର ପ୍ରଦେଶ (୪୧୬୭.୨୪ କୋଟି ଟଙ୍କା) ରହିଥିଲା।

ଧରାପଡ଼ିଲେ ୨ ଲକ୍ଷ ଜାଲ୍‌ କମ୍ପାନି

ବିମୁଦ୍ରାକରଣ ପରେ ୨ ଲକ୍ଷରୁ ଅଧିକ ଜାଲ୍‌ କମ୍ପାନିକୁ ସରକାର ଧରିଛନ୍ତି। ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍‌ (ଆର୍‌ଓସି) ପକ୍ଷରୁ ୨ ଲକ୍ଷ  ୯ ହଜାର ୩୨ଟି ଜାଲ୍‌ କମ୍ପାନିକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକର ପଞ୍ଜୀକରଣ ରଦ୍ଦ କରାଯିବା ସହିତ ବ୍ୟାଙ୍କ ଖାତା ଗୁଡ଼ିକୁ ଅଚଳ କରାଯାଇଛି। ଜାଲ୍‌ କଂପାନିରେ ଥିବା ୩.୦୯ ଲକ୍ଷ ନିର୍ଦେଶକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯେଉଁ ଜାଲ୍‌ କଂପାନିଗୁଡ଼ିକ ବିମୁଦ୍ରାୟନ ସମୟରେ ୧୭ ହଜାର କୋଟି ଟଙ୍କା ଜମା କରିବ ତାହାକୁ ପରବର୍ତି ସମୟରେ ଉଠାଇ ନେଇଥିଲେ ସେଭଳି ୩୫ ହଜାର କଂପାନିର ପଞ୍ଜୀକରଣ ରଦ୍ଦ କରାଯାଇଛି।

୪ ପ୍ରକାର ନୂଆ ନୋଟ୍‌ ଆସିଲା

ବିମୁଦ୍ରାକରଣ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗତବର୍ଷକ ମଧ୍ୟରେ ୪ଟି ନୂଆ ନୋଟ୍‌ ଛାପିଛି। ଏଥିରୁ ଦୁଇଟି ସମ୍ପୂର୍ଣ୍ଣ ଭାବେ ନୂଆ ମୂଲ୍ୟର ନୋଟ୍‌। ସେଗୁଡ଼ିକ ହେଲା ୨୦୦୦ ଏବଂ ୨୦୦ ଟଙ୍କିଆ। ଏତଦ୍‌ବ୍ୟତୀତ ରିଜର୍ଭ ବ୍ୟାଙ୍କ ଦୁଇଟି ନୋଟ୍‌କୁ ନୂଆ ରୂପ ଓ ରଙ୍ଗରେ ଆଣିଛି। ତାହା ହେଲା ୫୦୦ ଏବଂ ୫୦ ଟଙ୍କିଆ ନୋଟ୍‌।

ସମ୍ବନ୍ଧିତ ଖବର