ବିମୁଦ୍ରାକରଣ, ଜିଏସ୍‌ଟି ପ୍ରଭାବ: ଆହୁରି ୨ ବର୍ଷ ରହିବ

ମୁମ୍ବାଇ: ସ୍ୱଳ୍ପ ସମୟ ଭିତରେ ଦେଶର ବିକାଶ ହାରରେ କୌଣସି ଦ୍ରୁତ ପରିବର୍ତନ ହେବ ନାହିଁ। ବିମୁଦ୍ରାକରଣ ଓ ଜିଏସ୍‌ଟି ଦେଶର ଅର୍ଥନୀତିକୁ ଯେଉଁ ଝଟ୍‌କା ଦେଇଛି, ସେହି ପରିସ୍ଥିତିରୁ ସମ୍ପୂର୍ଣ୍ଣ ମୁକୁଳିବା ପାଇଁ ଆହୁରି ସମୟ ଲାଗିବ। ଅର୍ଥନୀତି ସ୍ଥିର ହୋଇ ଆଗକୁ ଦ୍ରୁତ ଗତିରେ ବଢ଼ିବା ପାଇଁ ଆହୁରି ଦୁଇ ବର୍ଷ ସମୟ ଲାଗିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ଓ୍ଵାଇ ଭି ରେଡ୍ଡି କହିଛନ୍ତି।ସେ କହିଛନ୍ତି ଯେ ଅର୍ଥନୀତିର ଭବିଷ୍ୟତକୁ ନେଇ ଏବେଠାରୁ କୌଣସି ଆକଳନ କରିବା ଠିକ୍‌ ହେବ ନାହିଁ। ଆଗାମୀ ୨୪ ମାସ ଭିତରେ ଅଭିବୃଦ୍ଧି ହାର ୭.୫-୮% ଭଳି ସ୍ତରକୁ ଫେରିବାର ବହୁତ କମ ସମ୍ଭାବନା ରହିଛି।

ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଯୋଗୁଁ ଯେଉଁ ଝଟ୍‌କା ଲାଗିଛି ତାହାର ଉଭୟ ଲାଭ ଏବଂ ଯନ୍ତ୍ରଣାର ଦିଗ ରହିଛି। ଏବେ ଯନ୍ତ୍ରଣା ଅନୁଭବ କରିବାକୁ ପଡୁଛି। ଭବିଷ୍ୟତରେ ଏହାର ଲାଭ ମିଳିବ। ଯନ୍ତ୍ରଣା ଦୂର ହେବାଠାରୁ ଆରମ୍ଭ କରି ଲାଭ ମିଳିବା ପର୍ଯ୍ୟନ୍ତର ସମୟ ସୀମା କେତେ ତାହା ଏବେଠାରୁ ଆକଳନ କରିବା ସହଜ ନୁହେଁ ବୋଲି ସେ କହିଛନ୍ତି। ଦେଶର ଅର୍ଥନୀତିକୁ ବିମୁଦ୍ରାକରଣ, ଜିଏସ୍‌ଟି ଏବଂ ଏନ୍‌ପିଏ ଝଟ୍‌କା ଲାଗିଛି। ଯନ୍ତ୍ରଣା ଧୀରେ ଧୀରେ ଦୂର ହେବାରେ ଲାଗିଛି। କିନ୍ତୁ ଲାଭ ମିଳିବା ଆରମ୍ଭ ହୋଇନାହିଁ ବୋଲି ସେ କହିଛନ୍ତିି।ଉପା ସରକାରଙ୍କ ଅମଳରେ ଅଭିବୃଦ୍ଧି ବୃଦ୍ଧି ହାର ଉଚ୍ଚ ସ୍ତରରେ ଥିବା ବେଳେ ଖାମଖିଆଲି ଭାବେ ଋଣ ଆବଣ୍ଟନ କରାଯାଇଛି। ଏହା ପରେ ଦୂରସଂଚାର, ଶକ୍ତି ଏବଂ କୋଇଲା କ୍ଷେତ୍ରରେ ଏଭଳି କିଛି ଘଟଣା ଘଟିଥିଲା ଯାହାର ପ୍ରଭାବରେ ଏହି ସବୁ କ୍ଷେତ୍ରରେ କାମ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରଭାବିତ ହୋଇଥିଲେ। ସେମାନେ ନେଇଥିବା ଋଣ ପରିଶୋଧ କରିପାରିନଥିଲେ। ଯାହାର ପରିଣାମ ସ୍ୱରୂପ ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ (ଏନ୍‌ପିଏ) ପରିମାଣ ଏବେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ବିମୁଦ୍ରାକରଣ ପ୍ରଭାବ ଯୋଗୁଁ ଚଳିତ ବର୍ଷର ଜୁନ୍‌ ତ୍ରୈମାସିକରେ ଅଭିବୃଦ୍ଧି ହାର ୫.୭% ଭଳି ନିମ୍ନ ସ୍ତରକୁ ଖସିଯାଇଛି। କିନ୍ତୁ ଖୁସିର ବିଷୟ ହେଉଛି ସେପ୍ଟେମ୍ବର ସୁଦ୍ଧା ସେହି ହାର ୬.୩%କୁ ବୃଦ୍ଧି ପାଇଛି। ଅର୍ଥନୀତିର ଗତିରେ ଦେଖାଦେଇଥିବା ଏହି ବୃଦ୍ଧିକୁ ନେଇ ବିଶେଷଜ୍ଞ ମହଲ ବିଭାଜିତ। କେତେକ କହୁଛନ୍ତି ଯେ ଏହା କ୍ଷଣସ୍ଥାୟୀ। ଅନ୍ୟମାନେ କହୁଛନ୍ତି ଯେ ଅଭିବୃଦ୍ଧିର ଦ୍ରୁତ ଗତି ଧାରା ଆରମ୍ଭ ହୋଇଗଲା ଏବଂ ଏହା ଆଗକୁ ବଜାୟ ରହିବ।

ସମ୍ବନ୍ଧିତ ଖବର