ବିମୁଦ୍ରୀକରଣ ପରେ ୫୦ ଲକ୍ଷ ଚାକିରି ଉଭାନ୍, ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ରିପୋର୍ଟ

ବେଙ୍ଗାଲୁରୁ: ‌ଦେଶରେ ୨୦୧୬ ପରେ ୫୦ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ହରାଇଛନ୍ତି। ୨୦୧୬-୨୦୧୮ ଭିତରେ ଏହି ସବୁ ଲୋକ ଚାକିରି ହରାଇଛନ୍ତି। ଯୁବବର୍ଗ ଏବଂ ଉଚ୍ଚ ଶିକ୍ଷିତମାନେ ଅଧିକ ବେକାର ଥିବା ଜଣାପଡ଼ିଛି। ଅଜିମ୍ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ତରଫରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ଷ୍ଟେଟ୍‌ ଅଫ୍ ୱାର୍କିଂ ଇଣ୍ଡିଆ-୨୦୧୯ ନାମକ ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ହେବାର ପରବର୍ତି ସମୟରେ ଅଧିକ ଲୋକ ଚାକିରି ହରାଇଛନ୍ତି। ତେବେ ବିମୁଦ୍ରୀକରଣ ସହିତ ଏହାର କୌଣସି ସିଧାସଳଖ ସମ୍ପର୍କ ଅଛି ନା ନାହିଁ ତାହା ଜଣାପଡ଼ିନଥିବା ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ପ୍ରସ୍ତୁତି ‌ବେଳେ କେବଳ ଚାକିରି ହରାଇଥିବା ପୁରୁଷମାନଙ୍କୁ ବିଚାରକୁ ନିଆଯାଇଛି। ମହିଳାମାନଙ୍କୁ ସାମିଲ କଲେ ଚାକିରି ହରାଇଥିବା ଲୋକଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ନିଯୁକ୍ତିର ସ୍ଥିତି ଜାଣିବା ପାଇଁ ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ-ସିପିଡିଏକ୍ସ)ର ଉପଭୋକ୍ତା ପିରାମିଡ୍‌ ସର୍ଭେକୁ ବ୍ୟବହାର କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ, ଉଚ୍ଚ ଶିକ୍ଷିତମାନଙ୍କ ମଧ୍ୟରେ ବେକାରୀ ହାର ଅଧିକ ରହିଥିବା ବେଳେ ଅଳ୍ପ ଶିକ୍ଷିତମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାକିରି ହରାଇଥିବା ବେ‌ଳେ ବହୁ ଲୋକ ଚାକିରି କରିବାର ସୁଯୋଗ ପାଉନାହାନ୍ତି। ଦେଶରୁ ବେକାରୀ ସମସ୍ୟା ଦୂର କରିବା ପାଇଁ ରିପୋର୍ଟରେ କେତେକ ସୁପାରିସ ପ୍ରଦାନ କରାଯାଇଛି। ତାହା ହେଉଛି, ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଢାଞ୍ଚାରେ କ୍ଷୁଦ୍ର ସହରଗୁଡ଼ିକ ନିମନ୍ତେ ସମାନ ଧରଣର ଯୋଜନା ଲାଗୁ କରାଗଲେ ୫୦ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଦେଶର ଜିଡିପିର ୬% ପର୍ଯ୍ୟନ୍ତ ଅର୍ଥକୁ ଶିକ୍ଷା ଏବଂ ୩% ଅର୍ଥକୁ ସ୍ବାସ୍ଥ୍ୟ ସେବାରେ ଖର୍ଚ କଲେ ୨ ନିୟୁତ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ଆର୍ଥିକ ସ୍ଥିତିକୁ ନଜରରେ ରଖି ସାର୍ବଜନୀନ କ୍ଷେତ୍ର ପାଇଁ ଅଧିକ ଖର୍ଚ କରିବାକୁ ସରକାରଙ୍କୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ବିତ୍ତୀୟ ଲକ୍ଷ୍ୟ ହାସଲ କରିବା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ଏବଂ ସାର୍ବଜନୀନ ସେବା ପ୍ରତି କୌଣସି ପ୍ରକାର ସାଲିସ କରାନଯିବା ଉଚିତ। ଉତ୍ପାଦନ କ୍ଷେତ୍ରରେ ଉତ୍ସାହ ଫେରାଇ ଆଣିବା ପାଇଁ ଏକ ନୂଆ ଶିଳ୍ପ ନୀତିର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର