ବିମୁଦ୍ରୀକରଣ ପରେ ମନି ଲଣ୍ଡରିଂ, ୧୪୬ କେଜି ସୁନା ଜବତ କଲା ଇଡି

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ ମନି ଲଣ୍ଡରିଂ ହୋଇଥିବା ଆଶଙ୍କା କରି ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ହାଇଦ୍ରାବାଦର ଏକ ଗହଣା ସଂସ୍ଥା ଉପରେ ଚଢ଼ଉ କରି ୮୨ କୋଟି ଟଙ୍କାର ୧୪୬ କେଜି ସୁନା ଜବତ କରାଯାଇଛି। କିଛି ଦିନ ତଳେ ଇଡି ପକ୍ଷରୁ ଏହି ମାମଲାରେ ହାଇଦ୍ରାବାଦ ଓ ବିଜୟୱାଡାରେ ଥିବା ମୁସାଡିଲାଲ ଜୁଏଲର୍ସର ସୋ’ରୁମ୍ ଏବଂ ଏହାର ପ୍ରତିଷ୍ଠାତା କୈଳାଶ ଗୁପ୍ତା, ବାଲାଜୀ ଗୋଲ୍ଡ ଏବଂ ଏହାର ପାର୍ଟନର ପୱନ ଅଗ୍ରୱାଲ, ଆସ୍ଥା ଲକ୍ଷ୍ମୀ ଗୋଲ୍ଡ ଓ ଏହାର ପ୍ରତିଷ୍ଠାତା ନୀଲ ସୁନ୍ଦର ଥରାଟ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ସଞ୍ଜୟ ସାର୍‌ଦାଙ୍କ ଘରେ ଚଢ଼ଉ କରାଯାଇଥିଲା। ଅପରାଧର ଖିଅ ଖୋଜି ବାହାର କରିବା ପାଇଁ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ଆୟକର ବିଭାଗ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଇଡି ପକ୍ଷରୁ ଏହି ସବୁ ବ୍ୟକ୍ତିଙ୍କ ନାମରେ ମନି ଲଣ୍ଡରିଂ ନିୟମ ଆଧାରରେ ମାମଲା ରୁଜୁ କରାଯାଇଥିଲା। ଏହି ସବୁ ବ୍ୟକ୍ତି ବିମୁଦ୍ରୀକରଣ ସମୟରେ ବିପୁଳ ପରିମାଣର ବେଆଇନ ଭାବେ ଉପାର୍ଜିତ ଟଙ୍କାକୁ ନିଜ ଖାତାରେ ଜମା କରିଥିବା ଅଭିଯୋଗ ହୋଇଛି।

କିଭଳି ହୋଇଥିଲା କାରସାଦି
ହାଇଦ୍ରାବାଦର ଏହି ଗହଣା ସଂସ୍ଥା ଅତି ଚତୁରତାର ସହିତ ମନି ଲଣ୍ଡରିଂ କରିଥିଲା। ବିମୁଦ୍ରୀକରଣ ଘୋଷଣା ହେବା ପରେ ବେଆଇନ ଭାବେ ଏହି ସଂସ୍ଥା ନିଜ ଖାତାରେ ୧୧୦.୮୫ କୋଟି ଟଙ୍କା ଜମା କରିଥିଲା। ଏଥିପାଇଁ କଂପାନି ନିଜ ସ୍ତରରେ କାଗଜପତ୍ର କାମ କରିଥିଲା। ପିଛିଲା ତାରିଖ ପକାଇ ୫୨୦୦ ବେଆଇନ ବିକ୍ରି ରସିଦ ପ୍ରସ୍ତୁତ କରାଯାଇଥିଲା। ପାନ୍‌ ଆବଶ୍ୟକତାକୁ ଏଡ଼ାଇବା ପାଇଁ ସବୁ ରସିଦର ମୂଲ୍ୟ ୨ ଲକ୍ଷ ଟଙ୍କାରୁ କମ୍ ରହିଥିଲା। ଏସବୁ ରସିଦ ବିଷୟରେ କଂପାନି କହିଥିଲା ଯେ, ୨୦୧୬ ନଭେମ୍ବର ୮ ତାରିଖରେ ୫୨୦୦ ଗ୍ରାହକ ସୁନା ଓ ଗହଣା କିଣିବା ପାଇଁ ଅଗ୍ରୀମ ପ୍ରଦାନ କରିଥିଲେ। ସିସିଟିଭି ଯାଞ୍ଚ ବେଳେ କଂପାନିର କାର୍ଯ୍ୟାଳୟ କିମ୍ବା ଆଖପାଖରେ ସେଭଳି କୌଣସି ପ୍ରକାର ଭିଡ଼ ଦେଖିବାକୁ ମିଳିନଥିଲା। କଂପାନି ଯେଉଁ ୧୧୦.୮୫ କୋଟି ଟଙ୍କା ବେଆଇନ ଭାବେ ନିଜ ଖାତାରେ ଜମା କରିଥିଲା ସେଥି ମଧ୍ୟରୁ ୮୦ କୋଟି ଟଙ୍କା ଅନ୍ୟ ଗହଣା ସଂସ୍ଥା‌କୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧିତ ଖବର