ଡେଭିଡ୍ ମୋଲ୍‌ପାସ୍ ବିଶ୍ବ ବ୍ୟାଙ୍କର ନୂଆ ସଭାପତି

ୱାସିଂଟନ: ଟ୍ରମ୍ପ ପ୍ରଶାସନର ବରିଷ୍ଠ ଅଧିକାରୀ ଡେଭିଡ ମୋଲ୍‌ପାସ୍‌ ବିଶ୍ବବ୍ୟାଙ୍କର ନୂଆ ସଭାପତି ହୋଇଛନ୍ତି। ବିଶ୍ବବ୍ୟାଙ୍କର କାର୍ଯ୍ୟନିର୍ବାହୀ ମଣ୍ଡଳୀ ୧୩ତମ ସଭାପତି ଭାବେ ମୋଲ୍‌ପାସଙ୍କୁ ସର୍ବସମ୍ମତିକ୍ରମେ ଚୟନ କରିଛି। ୬୩ ବର୍ଷୀୟ ମୋଲ୍‌ପାସ୍‌ ଏବେ ଅନ୍ତର୍ଜାତୀୟ ବ୍ୟାପାର ପାଇଁ ଟ୍ରେଜେରି ବିଭାଗର ଅଣ୍ଡର ସେକ୍ରେ‌ଟାରି ଅଛନ୍ତି। ଆସନ୍ତା ୯ ତାରିଖରୁ ୫ ବର୍ଷ ପାଇଁ ସେ ବିଶ୍ବବ୍ୟାଙ୍କ ସଭାପତି ପଦରେ କାର୍ଯ୍ୟ କରିବେ। ଟ୍ରମ୍ପ ପ୍ରଶାସନରେ ଅଣ୍ଡର ସେକ୍ରେଟାରି ହେବା ପୂର୍ବରୁ ସେ ଜଣେ ଅନ୍ତର୍ଜାତୀୟ ସ୍ତରର ଅର୍ଥନୀତିଜ୍ଞ ଭାବେ ପରିଚିତ ଏବଂ ନ୍ୟୁୟର୍କ ସହରରେ ସ୍ଥୂଳ ଅର୍ଥନୀତି ଉପରେ ତାଙ୍କର ଏକ ଗବେଷଣା ସଂସ୍ଥା ରହିଛି। କ‌ଲରାଡୋ କଲେଜରୁ ସେ ସ୍ନାତକ ଡିଗ୍ରି ହାସଲ କରିବା ସହିତ ଡେନଭର ବିଶ୍ବବିଦ୍ୟାଳୟରୁ ଏମବିଏ ଡିଗ୍ରି ହାସଲ କରିଛନ୍ତି। ଏଥିସହିତ ଜର୍ଜଟାଉନ୍ ବିଶ୍ବବିଦ୍ୟାଳୟରୁ ସେ ଅନ୍ତର୍ଜାତୀୟ ଅର୍ଥନୀତି ଉପରେ ଆଡଭାନ୍ସଡ ଗ୍ରାଜୁଏଟ ଡିଗ୍ରି ହାସଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଶ୍ବବ୍ୟାଙ୍କର ସଭାପତି ଥିବା ଜିମ୍ ୟଙ୍ଗ୍ କିମ୍ ଗତ ଫେବ୍ରୁଆରିରେ ତାଙ୍କ ପଦରୁ ଇସ୍ତଫା‌ ଦେଇଥିଲେ। ଏକ ନିବେଶ ବ୍ୟାଙ୍କରେ ଯୋଗଦେବା ଲାଗି ସେ ତାଙ୍କ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରିଷ୍ଟିଲିନା ଜର୍ଜିଭା କାମଚଳା ସଭାପତି ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧିତ ଖବର