ଡିଜେଲ ୬୫ ଟଙ୍କା ଟପିଲା

ଭୁବନେଶ୍ୱର: ରାଜଧାନୀରେ ଡିଜେଲର ଲିଟର ପିଛା ମୂଲ୍ୟ ୬୫ ଟଙ୍କା ୪୧ ପଇସାରେ ପହଞ୍ଚିଯାଇଛି। ସେପ୍ଟେମ୍ବରରୁ ଅକ୍ଟୋବର ଦୁଇ ମାସ ୬୨ ଟଙ୍କାରୁ ୬୩ ଟଙ୍କା ଭିତରେ ଡିଜେଲ ଦର ରହୁଥିଲା। ଗତବର୍ଷ ଡିସେମ୍ବର ୨୦ରେ ଡିଜେଲର ଲିଟର ପିଛା ଦର ୬୩ ଟଙ୍କାରେ ପହଞ୍ଚିଥିଲା। ଏହାର ପରବର୍ତି ୨୦ ଦିନ ଭିତରେ ଦରରେ ନିୟମିତ ବୃଦ୍ଧି ହୋଇଛି। ପେଟ୍ରୋଲ୍‌ ଏବଂ ଡିଜେଲ ଦରରେ ରହିଥିବା ଅନ୍ତର ମଧ୍ୟ ଦ୍ରୁତ ଗତିରେ ଦୂର ହେବାରେ ଲାଗିଛି। ଡିଜେଲ ଏବଂ ପେଟ୍ରୋଲ ଦର ମଧ୍ୟରେ ଅନ୍ତର ମାତ୍ର ୩-୪ ଟଙ୍କା ରହିଯାଇଛି। ଯେଉଁ ହାରରେ ଡିଜେଲ ଦର ବଢ଼ୁଛି ଏହି ଅନ୍ତର ଚଳିତ ମାସ ଶେଷ ସୁଦ୍ଧା ଦୂର ହୋଇଯାଇପାରେ ବୋଲି କୁହାଯାଇପାରିବ।

ଦର ବଢ଼ିଲେ କ’ଣ ହେବ?
• ଟ୍ରକ୍‌, ଡିଜେଲ ଚାଳିତ ଗାଡ଼ିରେ ପରିବହନ ଖର୍ଚ ବଢ଼ିବ
• ବସ୍‌ର ଇନ୍ଧନ ଖର୍ଚ ବଢ଼ିବ, ସେମାନେ ଭଡ଼ା ବଢ଼ାଇବେ
• ଡିଜେଲ ଜେନେରେଟର ଥିବା ଆପାର୍ଟମେଣ୍ଟ୍‌ଗୁଡ଼ିକର ଚାର୍ଜ ବଢ଼ିବ
• ସପିଙ୍ଗ ମଲ୍‌ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଖର୍ଚ ବଢ଼ିବ
• ଡିଜେଲରେ ପରିଚାଳନା ମୋବାଇଲ୍‌ ଟାଓ୍ଵାର ପରିଚାଳନା ଖର୍ଚ ବଢ଼ିବ

ଦରରେ ହେଉଥିବା ବୃଦ୍ଧି ଯୋଗୁଁ ଡିଜେଲରେ ଚାଲୁଥିବା ଗାଡ଼ିଗୁଡ଼ିକର ପରିଚାଳନା ଖର୍ଚ ବଢ଼ିଯିବ। ଏହା ଦ୍ୱାରା ଟ୍ରକ୍‌ରେ ବିଭିନ୍ନ ସାମଗ୍ରୀ ପରିବହନ ମହଙ୍ଗା ହେବ। ଏହାର ପ୍ରଭାବ ସାମଗ୍ରୀଗୁଡ଼ିକର ଚୂଡ଼ାନ୍ତ ମୂଲ୍ୟ ଉପରେ ପଡ଼ିବ। ଯେତେ ସବୁ ସାମଗ୍ରୀ ଟ୍ରକ୍‌ କିମ୍ବା ଡିଜେଲ ଚାଳିତ ଗାଡ଼ିରେ ପରିବହନ ହେଉଛି ସେଗୁଡ଼ିକର ଦର ବଢ଼ିବ। ବିଶେଷ କରି ଖାଦ୍ୟଶସ୍ୟ ଏବଂ ପନିପରିବା ଦର ଏହା ଦ୍ୱାରା ପ୍ରଭାବିତ ହେବ। ଯାତ୍ରୀ ପରିବହନ ପାଇଁ ବ୍ୟବହାର ହେଉଥିବା ବସ୍‌ ଏବଂ କାର୍‌ଗୁଡ଼ିକର ପରିଚାଳନା ଖର୍ଚ ବଢ଼ିବ। ଫଳରେ ସେମାନେ ଖର୍ଚ ବୋଝକୁ ଯାତ୍ରୀମାନଙ୍କ ମୁଣ୍ଡରେ ଲଦିବେ। କେବଳ ଡିଜେଲ ନୁହେଁ ପେଟ୍ରୋଲର ଲିଟର ପିଛା ଦର ମଧ୍ୟ ୬୯ ଟଙ୍କା ୫୩ ପଇସାରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର