ଡିଜେଲ ଦର ଆକାଶଛୁଅାଁ, ଦିଲ୍ଲୀଠାରୁ ଓଡ଼ିଶାରେ ଡିଜେଲ ଦର ଅଧିକ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର କମିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ମୋଦି ସରକାରଙ୍କ ଅମଳରେ ଡିଜେଲ ଦର ସର୍ବକାଳୀନ ରେକର୍ଡ କରିଛି। ଡିଜେଲର ଲିଟର ପିଛା ଦର ଦିଲ୍ଲୀରେ ୬୫ ଟଙ୍କା ୬୫ ପଇସାରେ ପହଞ୍ଚିଛି। ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୪ ଟଙ୍କା ୪୦ ପଇସାରେ ପହଞ୍ଚିଛି, ଯାହାକି ମୋଦି ସରକାରଙ୍କ ଅମଳରେ ସର୍ବୋଚ୍ଚ। ଦେଶରେ ଏବେ ଡିଜେଲ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି। ସରକାରୀ ତେଲ କମ୍ପାନି ଗୁଡ଼ିକ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୧୯ ପଇସା ବୃଦ୍ଧି କରିଛନ୍ତି। ଶନିବାର ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଦର ଲିଟର ପିଛା ୧୩ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ଦର ଲିଟର ପିଛା ୧୫ ପଇସା ବୃଦ୍ଧି କରିଥିଲେ। ଗତବର୍ଷ ଜୁନ୍‌ରୁ ତେଲ କମ୍ପାନି ଗୁଡ଼ିକ ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ କରି ଆସୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ସହିତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟକୁ ବିଚାରକୁ ନେଇ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏହି ସଂଶୋଧନ କରି ଆସୁଛନ୍ତି। ଆଜି ୧୯ ପଇସା ବୃଦ୍ଧି ଫଳରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୪୦ ପଇସାରେ ପହଞ୍ଚି ଯାଇଛି। ମୋଦି ସରକାରଙ୍କ ଅମଳରେ ପେଟ୍ରୋଲ ଦର କେବେ ଏହି ସ୍ତରରେ ପହଞ୍ଚି ନଥିଲା। କିନ୍ତୁ ଏହା ପୂର୍ବରୁ ଉପା ସରକାରଙ୍କ ଅମଳରେ ୨୦୧୩ ସେପ୍ଟେମ୍ବର ୧୪ରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୬ ଟଙ୍କା ୦୬ ପଇସା ରହିଥିଲା। ତେଣୁ ମୋଦି ସରକାରଙ୍କ ଅମଳରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି।

ମାତ୍ର ୪ ରାଜ୍ୟ ହ୍ରାସ କରିଛନ୍ତି ଭାଟ୍‌

ଗତବର୍ଷ ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ଗୁଡ଼ିକୁ ଭାଟ୍‌ ହ୍ରାସ ପାଇଁ ଆହ୍ଵାନ କରିଥିଲେ। ଏହି ଆହ୍ଵାନକୁ ବିଜେପି ଶାସିତ ମାତ୍ର ୪ଟି ରାଜ୍ୟ କାର୍ଯ୍ୟକାରୀ କରିଥିଲେ। ସେଗୁଡ଼ିକ ହେଲେ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ହିମାଚଳ ପ୍ରଦେଶ। ଏମାନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟ ଭାଟ୍‌ ହ୍ରାସ କରିନାହାନ୍ତି। କିନ୍ତୁ ମୋଦି ସରକାର ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ୯ ଥରରେ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୧୧ ଟଙ୍କା ୭୭ ପଇସା ବୃଦ୍ଧି କରିଛନ୍ତି। ସେହିଭଳି ଉପରୋକ୍ତ ୧୫ ମାସର ସମୟ ମଧ୍ୟରେ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୧୩ ଟଙ୍କା ୪୭ ପଇସା ବୃଦ୍ଧି କରିଛନ୍ତି। ଏଥିଯୋଗୁଁ ସରକାରଙ୍କ ଉତ୍ପାଦନ ଶୁଳ୍କ ବାବଦ ରାଜସ୍ୱ ପରିମାଣ ଦୁଇ ଗୁଣରୁ ଅଧିକ ବୃଦ୍ଧି ଘଟିଛି। ୨୦୧୪-୧୫ରେ ସରକାର ଉତ୍ପାଦନ ଶୁଳ୍କ ବାବଦରେ ୯୯ ହଜାର କୋଟି ଟଙ୍କା ଆଦାୟ କରିଥିବାବେଳେ ୨୦୧୬-୧୭ରେ ଏହା ୨,୪୨,୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିବା ପରେ ତୈଳ ମନ୍ତ୍ରାଳୟ ପକ୍ଷରୁ ଉତ୍ପାଦନ ଶୁଳ୍କ ହ୍ରାସ ପାଇଁ ଦାବି କରାଯାଇଥିଲା। କିନ୍ତୁ ଗତ ଫେବ୍ରୁଆରିରେ ଆଗତ ହୋଇଥିବା ବଜେଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏ ନେଇ କୌଣସି ଘୋଷଣା କରି ନଥିଲେ। ସେହିଭଳି ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପରିସରକୁ ଅଣାଗଲେ ଏହାର ଦର ହ୍ରାସ ପାଇ ପାରନ୍ତା ବୋଲି ମତ ପ୍ରକାଶ ପାଉଥିଲେ ମଧ୍ୟ ଏ ନେଇ ସରକାର କୌଣସି ତତ୍ପରତା ଦେଖାଉ ନାହାନ୍ତି। ଫଳରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ଘଟୁଥିବାରୁ ଗ୍ରାହକ ହନ୍ତସନ୍ତ ହେଉଛନ୍ତି।

ଦିଲ୍ଲୀଠାରୁ ଓଡ଼ିଶାରେ ଡିଜେଲ ଦର ଅଧିକ
ଭୁବନେଶ୍ୱର: ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ ଏବେ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। ପେଟ୍ରୋଲ ଦର ମୋଦି ସରକାରଙ୍କ ଅମଳରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥିବାବେଳେ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ଦରକୁ ନେଇ ଏହି ତଥ୍ୟ ପଦାକୁ ଆସିଛି। କିନ୍ତୁ ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଏବେ ଡିଜେଲ ଦର ଅଧିକ ରହିଛି। ଦିଲ୍ଲୀରେ ଆଜି ଡିଜେଲ ଦର ଲିଟର ପିଛା ୬୫ ଟଙ୍କା ୬୫ ପଇସା ଥିବାବେଳେ ଭୁବନେଶ୍ୱରରେ ଡିଜେଲ ଦର ଲିଟର ପିଛା ୭୦ ଟଙ୍କା ୪୪ ପଇସା ରହିଛି। ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ଡିଜେଲ ଦର ପାଖାପାଖି ୫ ଟଙ୍କା ଅଧିକ ବା ନିର୍ଦ୍ଦିଷ୍ଟ ଭାବେ ୪ ଟଙ୍କା ୭୯ ପଇସା ଅଧିକ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ପେଟ୍ରେଲ ଦର କମ୍‌ ରହିଛି। ଦିଲ୍ଲୀରେ ପେଟ୍ରୋଲ ଦର ୭୪ ଟଙ୍କା ୪୦ ପଇସା ଥିବାବେଳେ ଭୁବନେଶ୍ୱରରେ ଏହା ୭୩ ଟଙ୍କା ୨୪ ପଇସା ରହିଛି। ଅର୍ଥାତ୍‌ ଦିଲ୍ଲୀ ତୁଳନାରେ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୧ ଟଙ୍କା ୧୬ ପଇସା କମ୍‌ ରହିଛି।

ଉତ୍ପାଦନ ଶୁଳ୍କ କମିପାରେ
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଉପରୁ ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିପାରନ୍ତି। ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଅାଁ ହୋଇଥିବାରୁ ବିଜେପି ପକ୍ଷରୁ ଉତ୍ପାଦନ ଶୁଳ୍କ ହ୍ରାସ ପାଇଁ ସୁପାରିସ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କ ହ୍ରାସ ଯୋଜନା ରଖିଛନ୍ତି। ଏହି ସୁପାରିସ ବିଷୟକୁ ବିଜେପି ଶକ୍ତି ସେଲ୍‌ର ଆବାହକ ନରେନ୍ଦ୍ର ତନେଜା ସ୍ୱୀକାର କରିଛନ୍ତି। ସେଲ୍‌ ପକ୍ଷରୁ ଲିଟର ପିଛା ଦେଢ଼ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ ପ୍ରସ୍ତାବ ଦିଆଯାଇଛି। ପେଟ୍ରୋଲିୟମ ମନ୍ତ୍ରାଳୟ ଏ ନେଇ ଅର୍ଥ ମନ୍ତ୍ରାଳୟ ସହିତ ଆଲୋଚନା ଚଳାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର