ଭାରତ ପ୍ରତି ଆମେରିକା କଠୋର, ବାଣିଜ୍ୟ ଲଢ଼େଇ ପାଇଁ ପ୍ରସ୍ତୁତ

୫୦ ବସ୍ତୁ ଉପରୁ ହଟାଇଲା ରିହାତି

ନୂଆଦିଲ୍ଲୀ: ଚୀନ୍‌ ସହିତ ବାଣିଜ୍ୟ ଲଢ଼େଇ ଜାରି ରଖିଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଏବେ ଭାରତ ପ୍ରତି ଏହାର ଆଭିମୁଖ୍ୟକୁ କଠୋର କରିଛି। ଭାରତ ସହିତ ବାଣିଜ୍ୟ ଲଢ଼େଇ ଆରମ୍ଭ କରିବାକୁ ଏହା ପ୍ରସ୍ତୁତ ହୋଇଯାଇଛି। ଲଢ଼େଇ ପ୍ରଥମ ପର୍ଯ୍ୟାୟରେ ଆମେରିକା ପକ୍ଷରୁ ଭାରତର ହାଣ୍ଡଲୁମ୍ ଓ କୃଷି କ୍ଷେତ୍ରର ୫୦ଟି ବସ୍ତୁ ଉପରୁ ରିହାତି ହଟାଇ ନିଆଯାଇଛି। ଏହି ସବୁ ସାମଗ୍ରୀଗୁଡ଼ିକୁ ବିନା ଶୁଳ୍କରେ ଆମେରିକା ଆମଦାନି କରୁଥିଲା। ଆଗାମୀ ଦିନରେ ଏହି ସୁବିଧା ଆଉ ମିଳିବନି। ମୋଟ ୯୦ଟି ବସ୍ତୁ ଉପରୁ ଆମେରିକା ରିହାତି ସୁବିଧା ହଟାଇ ନେଇଥିବା ବେଳେ ସେଥି ମଧ୍ୟରୁ ୫୦ଟି ବସ୍ତୁ ହେଉଛି ଭାରତର। ୨୦୧୭ରେ ବିନା ଶୁଳ୍କର ରପ୍ତାନି ସୁବିଧା ମାଧ୍ୟମରେ ଭାରତ ପକ୍ଷରୁ ଆମେରିକାକୁ ୫୬୦ କୋଟି ଡଲାରର ସାମଗ୍ରୀ ରପ୍ତାନି କରାଯାଇଛି। ଆମେରିକାର ଏହି ନିଷ୍ପତ୍ତି ଦ୍ବାରା ଆମ୍ବ, ଲୁଣ, ଫେବ୍ରିକ୍, କଟନ୍ ଭଳି ସାମଗ୍ରୀର ରପ୍ତାନି ପ୍ରଭାବିତ‌ହେବ। ଟ୍ରମ୍ପ୍ ପ୍ରଶାସନ ଜାରି କରାଯାଇଥିବା କଟକଣା ନଭେମ୍ବର ୧ରୁ ଲାଗୁ ହୋଇଛି। ଆମେରିକା ସରକାରଙ୍କ ବିଜ୍ଞପ୍ତିକୁ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ, କୌଣସି ନିର୍ଦିଷ୍ଟ ରାଷ୍ଟ୍ରକୁ ଟାର୍ଗେଟ୍ କରାଯାଇନାହିଁ। ନିର୍ଦିଷ୍ଟ ବସ୍ତୁ ଉପରୁ ଏହି ରିହାତି ହଟାଇ ନିଆଯାଇଛି। ଜେନେରାଲାଇଡ୍‌ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ (ଜିଏସ୍‌ପି) ବ୍ୟବସ୍ଥା ମାଧ୍ୟମରେ ଆମେରିକା ପକ୍ଷରୁ ବିଭିନ୍ନ ବସ୍ତୁର ଆମଦାନି ଉପରେ ରିହାତି ପ୍ରଦାନ କରାଯାଉଥିଲା। ସେହି ବ୍ୟବସ୍ଥାକୁ ଟ୍ରମ୍ପ୍ ଉଚ୍ଛେଦ କରିଦେଇଛନ୍ତି। ଜିଏସ୍‌ପି ଦ୍ବାରା ଭାରତ ବିଶେଷ ଭାବେ ଲାଭବାନ ହେଉଥିଲା। ୨୦୧୭ରେ ଟ୍ରମ୍ପ୍ କହିଥିଲେ ‌ଯେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଲାଗୁ କରାଯାଇଥିବା ଜିଏସ୍‌ପି ବ୍ୟବସ୍ଥାର ଅପବ୍ୟବହାର ‌ ହିତା‌‌ଧିକାରୀ ଦେଶଗୁଡ଼ିକ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ପରିମାଣର ସାମଗ୍ରୀ ରପ୍ତାନି କରୁଛନ୍ତି ଯଦ୍ବାରା ଆମେରିକାରେ ପ୍ରତିଦ୍ବନ୍ଦ୍ବିତାର ପରିବେଶ ପ୍ରଭାବିତ ହେଉଛି। ଏହାର ଉଚ୍ଛେଦ କରାଯିବ ବୋଲି ସେ କହିଥିଲେ। ଜିଏସ୍‌ପକୁ ଉଚ୍ଛେଦ ନକରିବା ପାଇଁ ଜୁନ୍ ମାସରେ ଭାରତ ସରକାର ଆମେରିକାକୁ ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପୂର୍ବଭଳି ମଧୁର ନାହିଁ। ରୁଷିଆ ସହିତ ଯୁଦ୍ଧାସ୍ତ୍ର କିଣାକିଣି ପାଇଁ ଭାରତ ବୁଝାମଣା କରିବା ପରେ ଆମେରିକା ଅସନ୍ତୋଷ ହାଜିର କରିଥିଲା। ସ୍ବାଧୀନତା ଦିବସର ଅତିଥି ହେବା ପାଇଁ ଭାରତ ପଠାଇଥିବା ଆମନ୍ତ୍ରଣକୁ ମଧ୍ୟ ଟ୍ରମ୍ପ୍ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହି ଦୁଇ ଘଟଣା ପରେ ଆମେରିକା ସରକାର ଶୁଳ୍କ ରିହାତିକୁ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ଆଗାମୀ ଦିନରେ ଭାରତ ପ୍ରତି ଆମେରିକା ଆହୁରି କଠୋର ହେବ ବୋଲି ଅନୁମାନ କରାଯାଉଛି। ହାର୍ଲି-ଡାଭିଡ୍‌ସନ୍ ବାଇକ୍ ଉପରେ ଭାରତ ସରକାର ଲଗାଇଥିବା ୧୦୦% ଟିକସକୁ ମଧ୍ୟ ଟ୍ରମ୍ପ୍ ଦୀର୍ଘଦିନ ହେଲାଣି ସମାଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର