ଡିଜେଲ ମହଙ୍ଗା ହେଲେ ପରିବହନ, ଚିକିତ୍ସା ଖର୍ଚ ବଢ଼ିବ

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ହେଉଥିବା ଲଗାତାର ବୃଦ୍ଧି ଯୋଗୁ ଅନେକ ସାମଗ୍ରୀ ମହଙ୍ଗା ହେବ। କେଉଁ କେଉଁ କ୍ଷେତ୍ରକୁ ତେଲ ଦର ପ୍ରଭାବିତ କରିବ ସେ ବିଷୟରେ ବିସ୍ତତ ସୂଚନା ଦେଇଛନ୍ତି କେୟାର ରେଟିଂର ଅର୍ଥନୀତିଜ୍ଞ ମଦନ ଶିବ୍‌ନଭିସ୍‌। ସେ କହିଛନ୍ତି ଯେ, ତେଲ ଦର ବୃଦ୍ଧି ଯୋଗୁ ଆଗାମୀ ଦିନରେ ସବୁ ପ୍ରକାର ପେଟ୍ରୋଲିୟମ୍‌ ସାମଗ୍ରୀ, ପେଣ୍ଟ୍‌ସ୍‌, ସାର ଓ ପ୍ଲାଷ୍ଟିକ୍‌ ଉତ୍ପାଦଗୁଡ଼ିକ ମହଙ୍ଗା ହେବ। ଦେଶରେ ପେଟ୍ରୋଲର ଲିଟର ପିଛା ଦର ୮୦ ଟଙ୍କାରୁ ଅଧିକ ହୋଇଯାଇଥିବା ବେଳେ ଡିଜେଲ ମୂଲ୍ୟ ୭୭ ଟଙ୍କାରୁ ଅଧିକ ହୋଇଗଲାଣି। ଡିଜେଲ ଦର ବୃଦ୍ଧି ଯୋଗୁ ବିଭିନ୍ନ ସାମଗ୍ରୀ ପରିବହନ ମହଙ୍ଗା ହେବାରେ ଲାଗିିଛି। ଖାଦ୍ୟଶସ୍ୟ, ପନିପରିବାଠାରୁ ଆରମ୍ଭ କରି ଯେତେ ସବୁ ସାମଗ୍ରୀ ଗାଡ଼ିରେ ବୁହା ହେଉଛି ସେଗୁଡ଼ିକ ମହଙ୍ଗା ହେବ ବୋଲି ସେ କହିଛନ୍ତି। ଟଙ୍କାର ଦୁର୍ବଳ ସ୍ଥିତି ଯୋଗୁ ଆମଦାନି ହେଉଥିବା ଫଟୋଗ୍ରାଫି, ନିଉଜ୍‌ପ୍ରିଣ୍ଟ୍‌, ମେଡିକାଲ୍‌ ଉପକରଣ ଓ ଚକୋଲେଟ୍‌ ମହଙ୍ଗା ହେବ ବୋଲି କୁହାଯାଉଛି। ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଯୋଗୁ ପରିବହନ, ଖାଦ୍ୟଶସ୍ୟ, ଚିକିତ୍ସାରେ ବ୍ୟବହାର କରାଯାଉଥିବା ଉପକରଣ ଓ ଆମଦାନି ହେଉଥିବା ସାମଗ୍ରୀଗୁଡ଼ିକର ଦର ବଢ଼ିବ ବୋଲି ଶ୍ରୀ ଶିବନଭିସ୍‌ କହିଛନ୍ତି। ଡିଜେଲ ଦରରେ କିଛି ଦିନ ଭିତରେ ୨ ଟଙ୍କା ୨୦ ପଇସା ଭଳି ବୃଦ୍ଧି ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ଟ୍ରକ୍‌ ପରିବହନକାରୀମାନେ ନିଜର ଭଡ଼ା ବଢ଼ାଇ ଦେଇଛନ୍ତି। ପନିପରିବା, ଫଳ ଓ ଖାଦ୍ୟଶସ୍ୟ ପରିବହନ କରୁଥିବା ଗାଡ଼ି ମାଲିକମାନେ ଅଧିକ ଭଡ଼ା ଦାବି କରୁଛନ୍ତି।

ଡିଜେଲ ମହଙ୍ଗା ହେଲେ କ’ଣ ହେବ?
ଡିଜେଲ ଚାଳିତ ଗାଡ଼ିରେ ପରିବହନ ଖର୍ଚ ବଢ଼ିବ
କାର୍‌, ଟ୍ୟାକ୍ସି, ଅଟୋ ଭଡ଼ା ବଢ଼ିବ
ଡିଜି ସେଟ୍‌ ଥିବା ଆପାର୍ଟମେଣ୍ଟ୍‌୍‌ଗୁଡ଼ିକର ଖର୍ଚ ବଢ଼ିବ
ଖାଦ୍ୟଶସ୍ୟ, ପନିପରିବା ମହଙ୍ଗା ହେବ
ଜେନେରେଟର୍‌ରେ ଜଳସେଚନ ଖର୍ଚ ବଢ଼ିବ
ମୋବାଇଲ୍‌ କଂପାନିଗୁଡ଼ିକର ଟାଓ୍ଵାର ପରିଚାଳନା ଖର୍ଚ ବଢ଼ିବ
ଡିଜେଲ ବ୍ୟବହାର କରୁଥିବା ଭାରତୀୟ ରେଳର ଆୟ ପ୍ରଭାବିତ ହେବ

ସମ୍ବନ୍ଧିତ ଖବର