ବିବାଦୀୟ ବ୍ୟାଙ୍କ ଜମା ବିଲ୍‌ ବିଳମ୍ବିତ ହେବ

ନୂଆଦିଲ୍ଲୀ: ବ୍ୟାଙ୍କ ଜମା ବୀମା ସମ୍ପର୍କିତ ବିବାଦୀୟ ଏଫ୍‌ଆର୍‌ଡିଆଇ ବିଲ୍‌ ସଂସଦରେ ଉପସ୍ଥାପନ ହେବା ବିଳମ୍ବିତ ହେବ। ସଂସଦର ଚଳିତ ଅଧିବେଶନରେ ଏହି ବିଲ୍‌ ଉପସ୍ଥାପନ ହେବ ନାହିଁ। ବଜେଟ୍‌ ଅଧିବେଶନରେ ମଧ୍ୟ ବିଲ୍‌ ଆସିବାର ବହୁତ କମ୍‌ ସମ୍ଭାବନା ରହିଛି। କାରଣ ଏହି ବିଲ୍‌କୁ ଅନୁଧ୍ୟାନ କରୁଥିବା ଯୁଗ୍ମ କମିଟିକୁ ରିପୋର୍ଟ ଦାଖଲ କରିବା ପାଇଁ ଅଧିକ ସମୟ ପ୍ରଦାନ କରାଯାଇଛି।

୨୦୧୮ ବଜେଟ୍‌ ଅଧିବେଶନର ଶେଷ କାର୍ଯ୍ୟଦିବସ ପର୍ଯ୍ୟନ୍ତ ଏହି କମିଟିର ସମୟ ସୀମା ବୃଦ୍ଧି କରାଯାଇଛି ବୋଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି। ବ୍ୟାଙ୍କ ବୁଡ଼ିଗଲେ ସେଥିରେ ଜମା ରଖିଥିବା ଲୋକମାନଙ୍କ ଟଙ୍କା ବୁଡ଼ିଯିବ ବୋଲି ଖବର ପ୍ରଚାରିତ ହେବା ପରେ ଏଫ୍‌ଆର୍‌ଡିଆଇ ବିଲ୍‌କୁ ନେଇ ସମଗ୍ର ଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌କୁ ବିରୋଧ କରୁଥିବା ବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଏ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ପତ୍ର ଲେଖିଥିଲେ। ବିଲ୍‌ରେ ଥିବା ବିବାଦୀୟ ଧାରାଗୁଡ଼ିକୁ ବାଦ ଦେବା ପାଇଁ ଦାବି କରାଯାଇଛି।

ବ୍ୟାଙ୍କ, ବୀମା କଂପାନି, ଅଣ ବ୍ୟାଙ୍କ ଆର୍ଥିକ ସଂସ୍ଥା ଏବଂ ଷ୍ଟକ ବଜାରଗୁଡ଼ିକ ଯଦି କୌଣସି କାରଣରୁ ବ୍ୟବସାୟରେ ବିଫଳ ହେବେ ତେବେ ସେଭଳି ପରିସ୍ଥିତିର କିଭଳି ମୁକାବିଲା କରାଯିବ ସେ ସମ୍ପର୍କିତ ଧାରା ସବୁ ଏଫ୍‌ଆର୍‌ଡିଆଇ ବିଲ୍‌ରେ ରହିଛି। ଏହି ଚିଠା ବିଲ୍‌ରେ ରହିଥିବା ‘ବେଲ୍‌-ଇନ୍‌’ ଧାରାକୁ ଘୋର ବିରୋଧ କରାଯାଉଛି। ଏହି ଧାରା ଲୋକମାନଙ୍କ ବ୍ୟାଙ୍କରେ ଥିବା ସଞ୍ଚୟ ଜମା ରାଶି ପ୍ରତି ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

୨୭ରେ କିଛି ବ୍ୟାଙ୍କର ଧର୍ମଘଟ

ନୂଆଦିଲ୍ଲୀ : ଚଳିତ ମାସ ୨୭ରେ କେତେକ ନିର୍ଦିଷ୍ଟ ବ୍ୟାଙ୍କ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଆଇଡିବିଆଇ ବ୍ୟାଙ୍କରେ ବେତନ ସଂଶୋଧନ ଲାଗୁ କରିବାରେ ହେଉଥିବା ବିଳମ୍ବକୁ ବିରୋଧ କରି ଏହି ଧର୍ମଘଟ କରାଯିବ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏବଂ ସର୍ବଭାରତୀୟ ବ୍ୟାଙ୍କ ଅଫିସର ସଂଘ (ଏଆଇବିଓଏ) ପକ୍ଷରୁ ଧର୍ମଘଟ କରାଯିବ। ଆଇଡିବିଆଇ ବ୍ୟାଙ୍କର ବେତନ ସଂଶୋଧନ ଲାଗୁ କରିବାରେ ୫ ବର୍ଷ ବିଳମ୍ବ ହେଲାଣି। ଏହା ଦ୍ୱାରା ଅସୁବିଧା ଭୋଗୁଥିବା କର୍ମଚାରୀମାନଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଏହି ଧର୍ମଘଟ କରାଯିବ ବୋଲି ଏଆଇବିଇଏର ସାଧାରଣ ସମ୍ପାଦକ ସି ଏଚ୍‌ ଭେଙ୍କଟଚଲମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର