ଜିଲ୍ଲା ଖଣିଜ ପାଣ୍ଠି ଆଦାୟରେ ଓଡ଼ିଶା ପ୍ରଥମ

ଶ୍ରେଷ୍ଠ ୫ରେ ଓଡ଼ିଶାର ୩ ଜିଲ୍ଲା, ଶୀର୍ଷରେ କେନ୍ଦୁଝର

ନୂଆଦିଲ୍ଲୀ: ଦେଶରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏଫଏଫ) ଆଦାୟ କରିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଖଣି ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ଓଡ଼ିଶାରେ ଏ ବାବଦରେ ମୋଟ ୫୮୩୮.୨୬ କୋଟି ଟଙ୍କା ଆଦାୟ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଗଠନ କରାଯାଇଛି। ୨୧ଟି ଖଣି ଭିତ୍ତିକ ରାଜ୍ୟ ମାନଙ୍କରୁ ଜିଲ୍ଲା ଖଣିଜ ପାଣ୍ଠି ବାବଦରେ ଆଦାୟ ହୋଇଥିବା ଅର୍ଥରାଶିରେ ଓଡ଼ିଶା ପ୍ରଥମ ସ୍ଥାନରେ ଥିବାବେଳେ ଝାଡ଼ଖଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି। ଝାଡ଼ଖଣ୍ଡରେ ଆ‌ଦାୟ ହୋଇଛି ୩୪୨୬.୬୯ କୋଟି ଟଙ୍କା। ୨୧ଟି ରାଜ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ବାବଦରେ ଆଦାୟ ହୋଇଛି ସମୁଦାୟ ୨୩୬୦୬.୧୧ କୋଟି ଟଙ୍କା। ଏଥିରୁ ଖର୍ଚ ହୋଇଛି କେବଳ ୫୭୨୬.୫୦ କୋଟି ଟଙ୍କା। ଓଡ଼ିଶାରେ ଆଦାୟ ହୋଇଥିବା ୫୮୩୮.୨୬ କୋଟି ଟଙ୍କା ମଧ୍ୟରୁ ଖର୍ଚ ହୋଇଛି ୯୩୩.୮୮ କୋଟି ଟଙ୍କା ବୋଲି ଏଥିରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ଖଣି ମନ୍ତ୍ରାଳୟର ସଦ୍ୟ ତଥ୍ୟ ଅନୁଯାୟୀ, ଦେଶର ଯେଉଁ ୫ଟି ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ବାବଦରେ ସର୍ବାଧିକ ଅର୍ଥ ଆଦାୟ ହୋଇଛି ସେଗୁଡ଼ିକ ମଧ୍ୟରେ ଓଡ଼ିଶାର ୩ଟି ଜିଲ୍ଲା ରହିଛି। ପ୍ରଥମ ସ୍ଥାନରେ କେନ୍ଦୁଝର ଜିଲ୍ଲା ରହିଛି। ଏହି ଜିଲ୍ଲାରେ ଆଦାୟ ହୋଇଛି ୨୨୧୭.୨୨ କୋଟି ଟଙ୍କା। ୧୦୭୭.୦୬ କୋଟି ଟଙ୍କା ସହିତ ସୁନ୍ଦରଗଡ଼ ଜିଲ୍ଲା ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ସେହିଭଳି ୯୨୪.୯୧ କୋଟି ଟଙ୍କା ସହିତ ଅନୁଗୁଳ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଖଣି ମନ୍ତ୍ରାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ର କାର୍ଯ୍ୟକାରିତାକୁ ନେଇ ଜାତୀୟ କର୍ମଶାଳାର ଆୟୋଜନ ହୋଇଛି। ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଜିଲ୍ଲାପାଳମାନେ ଏହି ବୈଠକରେ ଯୋଗଦେଇ ଉକ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିବେ।

ସମ୍ବନ୍ଧିତ ଖବର