ଦୀପାବଳିରେ ଅଧିକ ଟିଭି, ଫ୍ରିଜ୍‌ ବିକ୍ରି

ଜିଏସ୍‌ଟି ପାଇଁ ବିକ୍ରି କମିବା ଭୟ ଥିଲା

ନୂଆଦିଲ୍ଲୀ: ଦଶହରା ପୂର୍ବରୁ ଦେଶରେ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳି ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ଲୋକମାନଙ୍କ ପାଖରେ ଦରମା ଏବଂ ବୋନସ୍‌ ଅର୍ଥ ଏକ ସମୟରେ ପହଞ୍ଚିଥାଏ। ଫଳରେ ସେମାନେ ଚାହୁଁଥିବା ବିଳାସପୂର୍ଣ୍ଣ ଏବଂ ଉପଯୋଗୀ ସାମଗ୍ରୀଗୁଡ଼ିକୁ ଖରିଦ କରିଥାନ୍ତି। ଚଳିତ ବର୍ଷ ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଦେଶର ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଛି ବୋଲି ବହୁତ ଚର୍ଚା ହେଉଥିଲା। ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଯୋଗୁଁ ଅର୍ଥନୀତି ଆଗକୁ ବଢ଼ୁନାହିଁ ବୋଲି କୁହାଯାଉଥିଲା। ମାତ୍ର ଉତ୍ସବ ଋତୁର ବିକ୍ରି ଉପରେ ଯଦି ନଜର ପକାଇବା ତେବେ ଏହା ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି ଯେ ଦେଶରେ ମାନ୍ଦାବସ୍ଥା ନାହିଁ।

ଉତ୍ସବ ଋତୁରେ ଲୋକମାନେ ବହୁତ ପରିମାଣର ଟିଭି, ଫ୍ରିଜ୍‌, ଓ୍ଵାସିଂ ମେସିନ୍‌, ମାଇକ୍ରୋଓଭେନ୍‌, ମୋଟରସାଇକଲ୍‌ ଏବଂ ୟୁଜଡ୍‌ କାର୍‌ ଆଦି ଖରିଦ କରିଛନ୍ତିି।
ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାତାମାନଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ସେମାନେ ଉତ୍ସବ ଋତୁରେ ବିପୁଳ ପରିମାଣର ବେପାର କରିଛନ୍ତି। ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟ ଭଳି ଇ-କସର୍ମ କଂପାନି ମାଧ୍ୟମରେ ମଧ୍ୟ ବିପୁଳ ପରିମାଣର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିକ୍ରି ହୋଇଛି। ଦେଶରେ ଚଳିତ ବର୍ଷ ଧନ୍‌୍‌ତେରସ ପରଠାରୁ ଦୀପାବଳି ପର୍ଯ୍ୟନ୍ତ ଟିଭି, ଫ୍ରିଜ୍‌ ଭଳି ସାମଗ୍ରୀ ବହୁତ ବିକ୍ରି ହୋଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ଶେଷ ଆଡ଼କୁ ବିଭିନ୍ନ ସାମଗ୍ରୀ ବିକ୍ରି ବଢ଼ିବା ଆରମ୍ଭ ହୋଇଥିଲା। ଧନ୍‌ତେରସ୍‌ ବେଳକୁ ବିକ୍ରି ଶୀର୍ଷ ସ୍ତରରେ ପହଞ୍ଚିଯାଇଥିଲା। ସେହି ଧାରା ଦୀପାବଳି ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି କଂପାନିଗୁଡ଼ିକ ପକ୍ଷରୁ କୁହାଯାଇଛି।

ଫାଇନାନ୍ସ କଂପାନିଗୁଡ଼ିକ ପକ୍ଷରୁ ସହଜରେ ଫାଇନାନ୍ସ ସୁବିଧା ପ୍ରଦାନ କରାଯାଇଥିବାରୁ ବଡ଼ ସହରଗୁଡ଼ିକରେ ୪୦ ଇଞ୍ଚରୁ ଅଧିକ ବଡ଼ ଟିଭି, ଫ୍ରଷ୍ଟଫ୍ରି ରେଫ୍ରିଜରେଟର, ଫ୍ରଣ୍ଟ୍‌ ଲୋଡିଂ ଓ୍ଵାସିଂ ମେସିନ୍‌ ଏବଂ ପ୍ରିମିୟମ୍‌ ମାଇକ୍ରୋ ଓଭେନ୍‌ ଅଧିକ ବିକ୍ରି ହୋଇଛି।

ପାନାସୋନିକ୍‌ ଇଣ୍ଡିଆର ବିକ୍ରି ମୁଖ୍ୟ ଅଜୟ ସେଠ୍‌ କହିଛନ୍ତି ଯେ ଦୀପାବଳି ପୂର୍ବରୁ ଭୟ ଥିଲା ଯେ ଏଥର ଭଲ କାରବାର ହେବ ନାହିଁ। କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି। ଯଦିଓ ବିକ୍ରିରେ ହୋଇଥିବା ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିନାହିଁ, ତଥାପି ବିକ୍ରି ସନ୍ତୋଷଜନକ ବୋଲି ସେ କହିଛନ୍ତି। ଜିଏସ୍‌ଟି ଲାଗୁ ହେବା ପୂର୍ବରୁ ଜୁନ୍‌ରେ ବହୁତ ଭଲ ବିକ୍ରି ହୋଇଥିଲା ବୋଲି ସେ କହିଛନ୍ତି। ପାନାସୋନିକ ଚଳିତ ବର୍ଷ ସବୁ ବର୍ଗରେ ସାମଗ୍ରୀ ବିକ୍ରି କ୍ଷେତ୍ରରେ ୩୮-୪୦ ପ୍ରତିଶତର ଅଭିବୃଦ୍ଧି ହାସଲ କରିଛି ବୋଲି ସେ କହିଛନ୍ତି।

ସୋନି ଇଣ୍ଡିଆର ବିକ୍ରି ମୁଖ୍ୟ ସତୀଶ ପଦ୍ମନାଭନ କହିଛନ୍ତି ଯେ ଜିଏସ୍‌ଟି ପୂର୍ବରୁ ପାର୍ବଣ ଋତୁ ଭଳି ବିଭିନ୍ନ ସାମଗ୍ରୀ ବିକ୍ରି ହୋଇଥିଲା। ତେଣୁ କଂପାନିଗୁଡ଼ିକ ଭୟ କରୁଥିଲେ ଯେ ପାର୍ବଣ ଋତୁରେ ଏଥର ଭଲ ବେପାର ହେବ ନାହିଁ। କିନ୍ତୁ ଛୋଟ ସହରଗୁଡ଼ିକରେ କଞ୍ଜ୍ୟୁମର ଫାଇନାନ୍ସିଂ ସୁବିଧା ମିଳିବାରୁ ଭଲ ବେପାର ହୋଇଛି। ଛୋଟ ସହରର ଲୋକମାନେ ମଧ୍ୟ ବଡ଼ ସ୍କ୍ରିନ୍‌ ଟିଭି ଖରିଦ କରିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର