ଡଲାର ଦାମ୍ ବଢ଼ିଲା: ୧ ଡଲାର ମୂଲ୍ୟ ୭୧ ଟଙ୍କା ୭୧ ପଇସା

ମୁମ୍ବାଇ: ଭାରତରେ ଆମେରିକୀୟ ଡଲାର ଦାମ୍ ୨୮ ପଇସା ବଢ଼ିଛି। ଏକ ଡଲାର କିଣିବା ଲାଗି ଭାରତୀୟ ମୁଦ୍ରାରେ ୭୧ ଟଙ୍କା ୭୧ ପଇସା ଗଣିବାକୁ ପଡ଼ୁଛି। ବିଗତ ଛଅ ମାସ ଭିତରେ ଡଲାର କେବେବି ଏତେ ମହଙ୍ଗା ହୋଇନଥିଲା। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର ଅନେକ କାରଣ ରହିଛି। ସେଥି ମଧ୍ୟରୁ ପ୍ରମୁଖ କାରଣଟି ହେଉଛି ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ଯାହା ଅନ୍ୟ କ୍ଷେତ୍ରକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଟିକସକୁ ନେଇ ଅସନ୍ତୁଷ୍ଟ ଥିବା ବିଦେଶୀ ନିବେଶକମାନେ ବିପୁଳ ପରିମାଣର ପୁଞ୍ଜି ପ୍ରତ୍ୟାହାର କରିନେଉଛନ୍ତି। ସେଥିପାଇଁ ବିଦେଶୀ ମୁଦ୍ରା ପରିମାଣ ହ୍ରାସ ପାଇଛି। ଅନ୍ୟ ପକ୍ଷରେ ଆମେରିକୀୟ ଡଲାର ତୁଳନାରେ ଅନ୍ୟ ବିକାଶଶୀଳ ରାଷ୍ଟ୍ରର ମୁଦ୍ରା ଦାମ୍ କରିବାର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୦ ଡଲାରକୁ ବୃଦ୍ଧି ପାଇବାରୁ ଡଲାର ଚାହିଦା ବଢ଼ିଥିବା କୁହାଯାଉଛି। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ବେଳେ ଏକ ଡଲାରର ଦାମ୍ ଏକ ସମୟରେ ୭୧ ଟଙ୍କା ୮୦ ପଇସା ହୋଇଯାଇଥିଲା। କାରବାର ଶେଷ ବେଳକୁ ସେଥିରେ ସାମାନ୍ୟ ସୁଧାର ହୋଇଥିଲା। ଶେଷ ଥର ପାଇଁ ଗତ ଜୁଲାଇ ୪ରେ ଏକ ଡଲାରର ଦାମ୍ ୭୧ ଟଙ୍କା ୮୦ ପଇସା ହୋଇଥିଲା।

ସମ୍ବନ୍ଧିତ ଖବର