ଆଲୋଚନାରେ ‘ମେକ୍ ଇନ୍ ଇଣ୍ଡିଆ’ ବଡ଼ ପ୍ରତିବନ୍ଧକ: ଆମେରିକା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ସମୟରେ ବ୍ୟବସାୟକୁ ନେଇ ସେଭଳି କୌଣସି ବୁଝାମଣା ହେବ ନାହିଁ। ଟ୍ରମ୍ପ୍ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ଦୁଇ ଦେଶ ଭିତରେ ବାଣିଜ୍ୟ ବୁଝାମଣାକୁ ନେଇ ଚାଲିଥିବା ଆଲୋଚନାରେ ‘ମେକ୍ ଇନ୍ ଇଣ୍ଡିଆ’ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। କୃଷିଜାତ ସାମଗ୍ରୀ, ମେଡିକାଲ୍ ଉପକରଣ, ଡିଜିଟାଲ୍ କାରବାର ଏବଂ ନୂଆ ଶୁଳ୍କ ଭଳି ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସମ୍ପର୍କ ଖରାପ ହୋଇଛି। ଏଥିରେ ସୁଧାର ଆଣିବା ଲାଗି ଉଭୟ ଦେଶର ଅଧିକାରୀମାନେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ଆଲୋଚନା କରୁଥିଲେ ମଧ୍ୟ ସେମାନେ ଭିତରେ କୌଣସି ନିର୍ଦିଷ୍ଟ ସହମତି ହୋଇପାରୁନାହିଁ। ବ୍ୟବସାୟକୁ ନେଇ ଯେଉଁ ସବୁ ସମସ୍ୟା ରହିଛି ସେ ବିଷୟରେ ଟ୍ରମ୍ପ୍ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବାକୁ ଚାହୁଛନ୍ତି। ନିଜ ଦେଶରେ ମାନୁଫାକ୍‌ଚରିଂକୁ ସୁଦୃଢ଼ କରିବା ଲାଗି ମେକ୍ ଇନ୍ ଇଣ୍ଡିଆ ଜରିଆରେ ଭାରତ ଯେଉଁ ସବୁ ପ୍ରତିବନ୍ଧକ ଲଗାଇଛି ତାହା ବାଣିଜ୍ୟ ଆଲୋଚନାକୁ ଅଧିକ ପ୍ରଭାବିତ କରୁଛି ବୋଲି ଆମେରିକାର ଅଧିକାରୀ ଜଣକ କହିଛନ୍ତି। ସେ କହିଛନ୍ତି, ଭାରତ ସରକାର ଚଳିତ ବଜେଟ୍‌ରେ ମେଡିକାଲ୍ ଉପକରଣ, ବାଦାମ, ଖେଳନା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ଉପରେ ଆମଦାନି ଶୁଳ୍କ ବୃଦ୍ଧି କରିଛନ୍ତି। ଯଦିଓ ଚୀନ୍‌ରୁ ଆମଦାନି ହ୍ରାସ କରିବା ଲାଗି ଭାରତ ଏଭଳି ପଦକ୍ଷେପ ଘୋଷଣା କରିଛି କିନ୍ତୁ ଏହା ଦ୍ବାରା ଅନେକ ଆମେରିକୀୟ କଂପାନି ମଧ୍ୟ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର