ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ବଦଳିବନି: ବଢ଼ିଲା ସ୍ବାସ୍ଥ୍ୟ, ଗାଡ଼ି ବୀମା ପଲିସି ନବୀକରଣ ଅବଧି

ନୂଆଦିଲ୍ଲୀ: ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍‌ଡିଏଆଇ ତରଫରୁ ୨୦୨୦-୨୧ ବର୍ଷ ଲାଗି ଗାଡ଼ିର ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସବୁ ପ୍ରକାର ଗାଡ଼ିର ବୀମା ପ୍ରିମିୟମ୍ ଅପରିବର୍ତ୍ତିତ ରହିବ। ପ୍ରିମିୟମ୍‌ରେ କୌଣସି ପ୍ରକାର ସଂଶୋଧନ ନକରିବା ଲାଗି ଦେଶର ଗାଡ଼ି ନିର୍ମାତା ସଂଘ ସିଆମ୍ ତରଫରୁ ଆଇଆର୍‌ଡିଏଆଇକୁ ଅନୁରୋଧ କରାଯାଇଥିଲା। ଏହି ନିୟାମକ ସଂସ୍ଥା ସିଆମ୍‌ର ପ୍ରସ୍ତାବକୁ ମାନି ନେଇଛି। କରୋନା ପ୍ରଭାବରେ ଦେଶର ଅଧିକାଂଶ ଗାଡ଼ି କାରଖାନା ବନ୍ଦ ହୋଇଯାଇଥିବା ବେଳେ କେବଳ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ ଚାଲିଛି। କାରଖାନା ବନ୍ଦ ହୋଇଥିବାରୁ ଗାଡ଼ି ଶିଳ୍ପ ଦୈନିକ ୨୩୦୦ କୋଟି ଟଙ୍କାର କ୍ଷତି ସହୁଛି। ତୃତୀୟ ପକ୍ଷ ବୀମା ପ୍ରିମିୟମ୍ ଅପରିବର୍ତ୍ତିତ ରଖିବା ଲାଗି ଆଇଆର୍‌ଡିଏଆଇ ନେଇଥିବା ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ ବୋଲି ସିଆମ୍‌ର ସଭାପତି ରାଜନ ୱାଧେରା କହିଛନ୍ତି।

ସ୍ବାସ୍ଥ୍ୟ, ଗାଡ଼ି ବୀମା ପଲିସି ନବୀକରଣ ଅବଧି ବଢ଼ିଲା
ନୂଆଦିଲ୍ଲୀ: କରୋନା ଲାଗି ସାରା ଦେଶରେ ୨୧ ଦିନର କଟକଣା ଲଗାଯାଇଥିବାରୁ ଚଳିତ ମାସ ୧୪ ପର୍ଯ୍ୟନ୍ତ ବୀମା ପଲିସିଗୁଡ଼ିକ ନବୀକରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ତେଣୁ ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ଓ ଗାଡ଼ି ବୀମା ପଲିସିର ନବୀକରଣ ଅବଧିକୁ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଯେଉଁ ଗ୍ରାହକମାନଙ୍କ ପଲିସିର ନବୀକରଣ ଏପ୍ରିଲ୍ ୧୪ ଭିତରେ କରିବାକୁ ଦରକାର ପଡ଼ୁଥିଲା ସେମାନେ ସେହି କାର୍ଯ୍ୟ କରିବା ଲାଗି ଏପ୍ରିଲ୍‌ ୨୧ ପର୍ଯ୍ୟନ୍ତ ସମୟ ପାଇବେ। ସାଧାରଣତଃ ନବୀକରଣ ଅବଧିରେ ଯଦି ପଲିସିକୁ ନବୀକରଣ କରାନଯାଏ ତେବେ ସେଥିରୁ ମିଳୁଥିବା ସୁରକ୍ଷା ମଧ୍ୟ ବନ୍ଦ ହୋଇଯାଏ। କରୋନା ସଙ୍କଟ ସମୟରେ ସ୍ବାସ୍ଥ୍ୟ ବୀମା ବେଶ ଜରୁରୀ ହୋଇପଡ଼ିଥିବାରୁ ତାହାର ନବୀକରଣ ଠିକ୍ ସମୟ ହୋଇନପାରିଲେ ମଧ୍ୟ ଯେଭଳି ଗ୍ରାହକଙ୍କୁ ସ୍ବାସ୍ଥ୍ୟ ବୀମା ସୁରକ୍ଷା ମିଳିପାରିବ ତାହା ନିଶ୍ଚିତ କରିବା ଲାଗି ପଲିସି ନବୀକରଣ ଅବଧିକୁ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୋଟର ଯାନର ତୃତୀୟ ପକ୍ଷ ବୀମା ପଲିସିର ନବୀକରଣ ଅବଧିକୁ ମଧ୍ୟ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ମାର୍ଚ୍ଚ ୨୫ରୁ ଏପ୍ରିଲ୍‌ ୧୪ ଭିତରେ ଯେଉଁ ଗ୍ରାହକମାନଙ୍କ ପଲିସି ନବୀକରଣ ହେବା ଜରୁରୀ ଥିଲା ସେମାନେ ସେହି କାର୍ଯ୍ୟକୁ ଏପ୍ରିଲ୍‌ ୨୧ ଭିତରେ କରିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର