ତରବରରେ ତେଲ ଦର କମାଇବେନି

ଜନକଲ୍ୟାଣ ଯୋଜନା ପାଣ୍ଠିର ହିସାବନିକାଶ ପରେ ନେବେ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ଏବେ ତେଲ ଦର ବୃଦ୍ଧି ପାଇବା ସହିତ ଡଲାର ତୁଳନାରେ ଟଙ୍କା ଦର ବହୁମାତ୍ରାରେ ହ୍ରାସ ପାଉଛି। ଅର୍ଥନୀତିରେ ଏବେ ଦେଖାଦେଇଥିବା ଏହି ଦୁଇ ସମସ୍ୟା ସମ୍ପର୍କରେ ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ମନ୍ତ୍ରୀଙ୍କ ସହିତ ଅଧିକାରୀଙ୍କ ସହିତ ଆଲୋଚନା କରିପାରନ୍ତି। ତେବେ ତେଲ ଦର ହ୍ରାସ କରି ଗ୍ରାହକଙ୍କୁ ରିହାତି ଦେବା ଲାଗି ସରକାର ତରବର ହୋଇ ନପାରନ୍ତି। ତଥ୍ୟାଭିଜ୍ଞ ମହଲର କହିବାନୁଯାୟୀ, ତେଲ ଦର ହ୍ରାସ ନେଇ ଏବେ ମୋଦୀ କୌଣସି ବଡ଼ ପଦକ୍ଷେପ ନେବେ ନାହିଁ। ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ତାହାର ହିସାବ ସରକାରୀ ଅଧିକାରୀମାନେ କରିବେ। ତେଲରୁ ଟିକସ କମାଗଲେ ଯୋଜନା ଗୁଡ଼ିକ ଉପରେ ଏହାର ପ୍ରଭାବ କେତେମାତ୍ରାରେ ପଡ଼ିବ ସେ ନେଇ ସେମାନେ ହିସାବ କରିବେ।

ଆୟୁଷ୍ମାନ ଭାରତ ଯୋଜନାକୁ ଜୋରସୋରରେ ଲାଗୁ କରିବା ଲାଗି ମୋଦୀ ନିର୍ଦ୍ଦେଶ ଦେଇସାରିଛନ୍ତି। ଏଥିପାଇଁ ପାଣ୍ଠିର କୌଣସି ପ୍ରକାର ଅଭାବ ରହିବା ଉଚିତ ନୁହେଁ ବୋଲି କହିଛନ୍ତି। ଏତଦ୍‌ବ୍ୟତୀତ ସରକାର ଉଜ୍ୱଳା ଯୋଜନା, ମାଗଣାରେ ଘର ଏବଂ ପ୍ରତି ଘରକୁ ବିଜୁଳି ଯୋଗାଣକୁ ପ୍ରାଧାନ୍ୟ ଦେଉଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ଯୋଜନକୁ ଅତିରିକ୍ତ ପାଣ୍ଠି ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ମୋଦୀ ଏହା ମଧ୍ୟ ସଙ୍କେତ ଦେଇ ସାରିଛନ୍ତି ଆସନ୍ତା ନିର୍ବାଚନରେ ବିଜେପି ଏସବୁ ଯୋଜନାର ସଫଳତାକୁ ନେଇ ବିରୋଧୀଙ୍କ ମୁକାବିଲା କରିବ। ତେଣୁ ସରକାର ତେଲ ଉପରୁ ହଠାତ୍‌ ଟିକସ କମାଇ ଦେଲେ ଏସବୁ ଯୋଜନା ପ୍ରଭାବିତ ହେବ। ଏଣୁ ତେଲ ଦର କେତେ କମ୍‌ କରିଲେ ଏସବୁ କଲ୍ୟାଣକାରୀ ଯୋଜନାକୁ ପାଣ୍ଠି ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ତାହାର ହିସାବ ଅଧିକାରୀସ୍ତରେରେl ଭଲଭାବେ କରାଯିବ। ଏହାପରେ ହିଁ ଯାଇ ଯାହା କିଛି ପଦକ୍ଷେପ ନିଆଯିବ। ଏହାକୁ ଦେଖିଲେ ସରକାର ତରବରିଆ ଭାବେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଟିକସ କମାଇବା ସମ୍ଭାବନା ନାହିଁ।

ଅନ୍ୟପକ୍ଷରେ ତେଲ ଦର ବୃଦ୍ଧିକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଯେଉଁ ଆକ୍ରମଣ କରୁଛନ୍ତି ତାହାର ମୁକାବିଲ କରିବା ଲାଗି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଯେଉଁସବୁ ସାମଗ୍ରୀର ଦର ସରକାରଙ୍କ ନିୟନ୍ତ୍ରଣ ମଧ୍ୟରେ ରହିଛି ତାହାକୁ କମାଇଛନ୍ତି ବୋଲି ସରକାର ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର