ଆର୍ଥିକ ସଂକଟରେ ବିଏସଏନଏଲ : ସବୁ ଟେଣ୍ଡର, ପୁଞ୍ଜି ଖର୍ଚ୍ଚ ସ୍ଥଗିତ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରବଳ କ୍ଷତି ଓ ଋଣଭାରର ସମ୍ମୁଖୀନ ହେଉଥିବା ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲର ସ୍ଥିିତିରେ ସୁଧାର ପାଇଁ କେନ୍ଦ୍ର ଦୂରସଂଚାର ମନ୍ତ୍ରାଳୟ କେତେକ ନିର୍ଦ୍ଦେଶନାମା ଜାରି କରିଛି । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସବୁ ଟେଣ୍ଡର ଓ କ୍ରୟ ଆଦେଶ (ପରଚେଜ ଅର୍ଡର) ସ୍ଥଗିତ ରଖିବାକୁ ବିଏସଏନଏଲର ସବୁ ମଣ୍ଡଳ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଗତ ଜୁନ ୨ରେ ଏହି ଅର୍ଡର ଜାରି କରାଯାଇଥିଲା । ସେହିପରି ଜୁନ ୧୨ରେ ଆଉ ଏକ ଅର୍ଡର ଜାରି କରି କୁହାଯାଇଛି ଯେ କମ୍ପାନି ଏବେ ଏକ ଅସ୍ଥାୟୀ ଆର୍ଥିକ ସଂକଟ ଦେଇ ଗତି କରୁଛି । ନିଜର ବକେୟ ଦେୟ ଭରଣା କରିବାକୁ କମ୍ପାନି ଏବେ ସକ୍ଷମ ନୁହେଁ । ଅନ୍ୟପକ୍ଷରେ ବିଏସଏନଏଲର ସବୁ କ୍ୟାପିଟାଲ ଏକ୍ସପେଣ୍ଡିଚର ( ନୂଆ ଟାଓ୍ଵାର ସ୍ଥାପନ, ଅଫିସ ସ୍ଥାପନ, ମେସିନ କ୍ରୟ ଇତ୍ୟାଦି) ସ୍ଥଗିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ କ୍ଷତି ବଢିଚାଲିଥିବାରୁ ବିଏସଏନଏଲ ଏବେ ନିଜ କର୍ମଚାରୀଙ୍କ ମାସିକ ଦରମା ପ୍ରଦାନ କରିବାକୁ ମଧ୍ୟ ଅକ୍ଷମ ହୋଇପଡିଛି । ଏପରି ସଂକଟ ସମୟରେ କମ୍ପାନିର କର୍ମଚାରୀମାନେ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି ।କମ୍ପାନିର ଅର୍ଥ ସଂକଟ ଦୂର ପାଇଁ ବିଏସଏନଏଲର ଗ୍ରାଜୁଏଟ ଇଂଜିନିୟର୍ସ ଏଣ୍ଡ ଟେଲିକମ ଅଫିସର୍ସ ଆସୋସିଏସନ୍ସ (ଏଆଇଜିଇଟିଓଏ) ପକ୍ଷରୁ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ନିବେଦନ କରାଯାଇଛି । ବିଏସଏନଏଲର ମୋଟ କ୍ଷତି ପରିମାଣ ଏବେ ୧୩ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର