ନୂଆଦିଲ୍ଲୀ: ନିଜର ରାଜସ୍ୱକୁ ଜାଣିଶୁଣି କମ ଦେଖାଇଥିବାରୁ କେନ୍ଦ୍ର ଦୂର ସଂଚାର ବିଭାଗ ୫ଟି ଟେଲିକମ କମ୍ପାନି ରିଲାଏନ୍ସ ଜିଓ, ଟାଟା ଟେଲିସର୍ଭିସେସ, ଟେଲିନର ଓ ଭିଡିଓକୋନ ବିରୁଦ୍ଧରେ ୨୫୭୮ କୋଟି ଟଙ୍କାର ନୋଟିସ୍ ପଠାଇବ । ଏସବୁ କମ୍ପାନିମାନେ ନିଜର ରାଜସ୍ୱ ଜାଣିଶୁଣି କମ କରି ଦେଖାଇଥିଲେ ବୋଲି ସିଏଜି ରିପୋର୍ଟରୁ ଜଣାପଡିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଦୂରସଂଚାର ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସିଏଜି ରିପୋର୍ଟରେ ଥିବା ହିସାବକୁ ଏସବୁ କମ୍ପାନି ମାନେ ଦାଖଲ କରିଥିବା ହିସାବ ସହ ମିଳାଇ ଦେଖାଯିବ ଓ ଏହାପରେ ସେମାନଙ୍କୁ ଆସନ୍ତା ମାସ ଅର୍ଥାତ ଜାନୁୟାରୀରେ ଉପରୋକ୍ତ ପରିମାଣର ଅର୍ଥ ପୈଠ ଲାଗି ନୋଟିସ ପଠାଯିବ ।
ଗତ ୧୮ ତାରିଖରେ ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ, ଟାଟା ଟେଲିସର୍ଭିସେସ, ଟେଲିନର ଓ ଭିଡିଓକୋନ ନିଜର ରାଜସ୍ୱକୁ ଜାଣିଶୁଣି କମ କରି ଦେଖାଥିଲେ । ଏହି କମ୍ପାନିମାନେ ଦେଖାଇଥିବା ପରିମାଣ ମୋଟ ପରିମାଣଠାରୁ ପ୍ରାୟ ୧୪,୮୦୦ କୋଟି କମ । ଏହା ଫଳରେ ସରକାରଙ୍କ ପ୍ରାୟ ୨୫୭୮ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା । ଏସବୁ କମ୍ପାନିମାନେ ସ୍ପେକ୍ଟ୍ରମ ଫି ବାବଦରେ ମୋଟ ୧୦୧୫ କୋଟି ଟଙ୍କା କମ ପୈଠ କରିଥିଲେ, ସ୍ପେକ୍ଟ୍ରେମ ବ୍ୟବହାର ଚାର୍ଜ ବାବଦରେ ୫୧୧ କୋଟି ଟଙ୍କା ଓ ସୁଧ ବାବଦରେ ୧୦୫୨ କୋଟି ଟଙ୍କା କମ ପୈଠ କରିଥିଲେ ।