ଆର୍ସେଲର ମିତ୍ତଲ ହାତ ଛାଡ଼ିବ ସେଲ୍‌

ଅନିଶ୍ଚିତତାରେ ରାଉରକେଲା ପ୍ରକଳ୍ପ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ କେତେକ ଯୌଥ ଉଦ୍ୟୋଗରୁ ଓହରି ଯିବା ଉପରେ ବିଚାର କରୁଛି। ଯେଉଁ ପ୍ରକଳ୍ପଗୁଡ଼ିକ କେବଳ ଯୋଜନାରେ ରହିଛି ଓ କାମ ଆଗକୁ ବଢ଼ୁନାହିଁ, ସେଭଳି ପ୍ରକଳ୍ପରୁ ସେଲ୍‌ ଓହରିଯିବ। ଏହି ଖବର ପ୍ରକାଶ ପାଇବା ସହିତ ରାଉରକେଲାରେ ହେବାକୁ ଥିବା ଅଟୋ ଗ୍ରେଡ୍‌ ଇସ୍ପାତ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ତେବେ ଆର୍ସେଲର୍‌ ମିତ୍ତଲ ସହିତ ହୋଇଥିବା ଯୌଥ ଉଦ୍ୟୋଗରୁ ସେଲ୍‌ ବିଦାୟ ନେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯେଉଁ ସବୁ ଯୌଥ ଉଦ୍ୟୋଗରୁ ସେଲ୍‌ ବିଦାୟ ନେବ ସେଥି ମଧ୍ୟରୁ ଏହା ଗୋଟିଏ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ୨୦୧୫ରେ ସେଲ୍‌ ଓ ଆର୍ସେଲର୍‌ ମିତ୍ତଲ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବା ପାଇଁ ବୁଝାମଣା ହୋଇଥିଲା। ଦୁଇ ସଂସ୍ଥା ମିଶି ୫୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲେ। ସେହି କାରଖାନା ରାଉରକେଲାରେ ସ୍ଥାପନ କରାଯିବ ବୋଲି ଚର୍ଚା ହେଉଥିଲା। ରାଜ୍ୟ ସରକାର ଜମି ଯୋଗାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ ଯେ ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜମିର ଅଭାବ ଦେଖାଦେବନି। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂହ ମଧ୍ୟ ବ୍ରିଟେନ୍‌ ଗସ୍ତ ବେଳେ ଦୁଇ ଥର ଆର୍ସେଲର ମିତ୍ତଲର ମୁଖ୍ୟ ଏଲ୍‌ ଏନ୍‌ ମିତ୍ତଲଙ୍କୁ ସାକ୍ଷତ କରି ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏତେ ସବୁ ପ୍ରକ୍ରିୟା ସତ୍ତ୍ୱେ ପ୍ରକଳ୍ପ କାମ ଆଗକୁ ବଢ଼ିପାରିନଥିଲା। ଯୋଜନା ଥିଲା ଯେ ପ୍ରସ୍ତାବିତ ଯୌଥ ଉଦ୍ୟୋଗ ପାଇଁ ଆବଶ୍ୟକ ହେଉଥିବା ଇସ୍ପାତ ସେଲ୍‌ ଯୋଗାଇବ ଓ ପ୍ରଯୁକ୍ତି ଆର୍ସେଲର ମିତ୍ତଲ ଦେବ। କିନ୍ତୁ ସବୁ ଯୋଜନା କେବଳ ଯୋଜନା ଭିତରେ ସୀମିତ ରହିଯାଇଥିଲା। ଏହି ପ୍ରକଳ୍ପ ବାସ୍ତବ ରୂପ ନେବା ପୂର୍ବରୁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ସମ୍ବନ୍ଧିତ ଖବର