ଇ-ନାମ୍‌ରେ ଯୋଡ଼ାହେବ ଆଉ ୨୦୦ ମଣ୍ଡି

ନୂଆଦିଲ୍ଲୀ: ଦେଶରେ ଅନ୍‌ଲାଇନ୍‌ ଟ୍ରେଡିଂ ପ୍ଲାଟଫର୍ମ ଇ-ନାମ୍‌ ସହିତ ଆଉ ୨୦୦ ପାଇକାରୀ ମଣ୍ଡିକୁ ଯୋଡ଼ାଯିବ। କେନ୍ଦ୍ର କୃଷି ସଚିବ ଏସ. କେ. ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏବେ ୧୪ଟି ରାଜ୍ୟର ୫୮୫ଟି ନିୟନ୍ତ୍ରିତ ମଣ୍ଡିକୁ ଇଲେକ୍‌ଟ୍ରୋନିକ୍‌ ନ୍ୟାସନାଲ ଏଗ୍ରିକଲ୍‌ଚର ମାର୍କେଟ(ଇ-ନାମ୍‌) ସହିତ ଯୋଡ଼ାଯାଇ ସାରିଲାଣି। ୨୦୧୬ ଏପ୍ରିଲରେ ଏହି ସୁବିଧା ଆରମ୍ଭ ହୋଇଥିଲା। ଏହି ବ୍ୟବସ୍ଥାକୁ ନେଇ କୃଷକମାନେ ଖୁସି ଅଛନ୍ତି ଏବଂ ଅଧିକରୁ ଅଧିକ ରାଜ୍ୟ ଏଥିପାଇଁ ଆଗ୍ରହ ଦେଖାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪ଟି ରାଜ୍ୟର ୭୩.୫୦ ଲକ୍ଷ କୃଷକ, ୫୩,୧୬୩ ଜଣ କମିସନ୍‌ ଏଜେଣ୍ଟ ଏବଂ ୧ ଲକ୍ଷରୁ ଅଧିକ ପଞ୍ଜୀକୃତ ବ୍ୟବସାୟୀ ଏହି ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ଏହି ୧୪ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରହିଛନ୍ତି।

ସମ୍ବନ୍ଧିତ ଖବର