ଏପ୍ରିଲ ୧୫ରୁ ୫ଟି ରାଜ୍ୟରେ ଇ-ୱେ ବିଲ୍‌ ବ୍ୟବସ୍ଥା, ଓଡ଼ିଶାରେ କେବେ?

ନୂଆଦିଲ୍ଲୀ: ରାଜ୍ୟ ରାଜ୍ୟ ମଧ୍ୟରେ ଟ୍ରକ ପରିବହନ ଲାଗି ଇ-ୱେ ବିଲ୍‌ ଗତ ଏପ୍ରିଲ ପହିଲାରୁ ଲାଗୁ ହୋଇସାରିଛି । ଗତ ୯ ତାରିଖ ସୁଦ୍ଧା ପ୍ରାୟ ୬୩ ଲକ୍ଷ ଇ-ୱେ ବିଲ୍‌ କଟା ସରିଛି । ତେବେ ରାଜ୍ୟ ମଧ୍ୟରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ ଜିଏସଟି ଆଇନରେ ପ୍ରସ୍ତାବ ରହିଛି । ମାତ୍ର ଏପର୍ଯ୍ୟନ୍ତ କେବଳ କର୍ଣ୍ଣାଟକରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଆସନ୍ତା ୧୫ ତାରିଖରୁ ଆଉ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, କେରଳ, ଉତ୍ତରପ୍ରଦେଶ,ଗୁଜରାଟ, ଓ ତେଲେଙ୍ଗାନାରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହିସବୁ ରାଜ୍ୟଗୁଡ଼ିକରେ ଇ-ୱେ ବିଲ ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ବାଣିଜ୍ୟ ଏବଂ ଶିଳ୍ପ ଜଗତ ମାଲ ପରିବହନ ଲାଗି ଆହୁରି ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି । ଏହାଦ୍ୱାରା ସାରା ଦେଶରେ ଗୋଟିଏ ଇ-ୱେ ବିଲ ବ୍ୟବସ୍ଥା ଲାଗୁ ହେବା ପାଇଁ ମାର୍ଗ ପ୍ରଶସ୍ତ ହେବ । କିନ୍ତୁ ଓଡ଼ିଶାରେ କେବେ ଏହି ବ୍ୟବସ୍ଥା ଲାଗୁ ହେବ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଏ ନେଇ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର କୌଣସି ଘୋଷଣା ଏପର୍ଯ୍ୟନ୍ତ କରିନାହାନ୍ତି ।

ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ ଓ୍ଵ ବିଲ୍‌ ବା ଇ-ୱେ ବିଲ୍‌ ଆବଶ୍ୟକ ପଡିଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ କମ ଦୂରତାରେ ହୋଇଥାଏ, ଇ-ୱେ ବିଲ ଆବଶ୍ୟକ ପଡିବ ନାହିଁ । ଜିଏସଟି ନେଟଓ୍ଵାର୍କ ପୋର୍ଟାଲରେ ଆବଶ୍ୟକ ବ୍ୟବସାୟିକ ତଥ୍ୟ ( ମାଲ କ୍ରୟ ଓ ପରିବହନ ବାବଦରେ)ଦାଖଲ କରି ଇ-ୱେ ବିଲ୍‌ ବାହାର କରିହେବ ।

ସମ୍ବନ୍ଧିତ ଖବର