ପୂର୍ବତଟ ରେଳପଥର ଆୟ ୧୨୭୭୬ କୋଟି

ଭାରତୀୟ ରେଳପଥର ରାଜସ୍ୱ ଆୟକୁ ପୂର୍ବ ତଟ ରେଳପଥର ଏକ ବୃହତ୍ ଯୋଗଦାନ ରହିଛି। ଚଳିତବର୍ଷ ପୂର୍ବତଟ ରେଳପଥ ୧୪୬.୧୩ ନିୟୁତ ଟନ୍ ପଣ୍ୟ ପରିବହନ କରିଛି, ଯାହା ପୂର୍ବ ବର୍ଷ ଅପେକ୍ଷା ଶତକଡ଼ା ୪ ଭାଗ ଅଧିକ। ସେହିଭଳି ୭୫.୩୫ ନିୟୁତ ଯାତ୍ରୀ ପରିବହନ କରିଛି। ପୂର୍ବ ତଟ ରେଳପଥର ଆୟ ୧୨,୭୭୫.୯୫ କୋଟି, ଯାହା ଗତବର୍ଷ ଅପେକ୍ଷା ଶତକଡ଼ା ୧୦ ଭାଗ ଅଧିକ। ପୂର୍ବତଟ ରେଳପଥର ପରିଚାଳନାଗତ ଅନୁପାତ ଶତକଡ଼ା ୬୨.୩୯ ଭାଗ ରହିଛି, ଯାହା ଭାରତୀୟ ରେଳପଥର ସମସ୍ତ ଜୋନ୍ ମଧ୍ୟରେ ଅଧିକ। ଫନି ଏବଂ ବୁଲ୍‌ବୁଲ୍ ବାତ୍ୟା ଦ୍ୱାରା ପ୍ରବଳ ଧ୍ୱସ୍ତବିଧ୍ୱସ୍ତ ହେବା ସତ୍ତ୍ୱେ ପୂର୍ବ ତଟ ରେଳପଥ ଏହି ଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ୨୦୨ ନିୟୁତ ଟନ୍ ପଣ୍ୟ ବୋଝେଇ ପାଇଁ ଆମେ ଆମର ଲକ୍ଷ୍ୟ ଓ ଇଚ୍ଛାଶକ୍ତି ସହ ଆଗକୁ ବଢ଼ି ଚାଲିଛୁ ଯାହା ସଂପୂର୍ଣ୍ଣଭାବେ ଏକ ବଳିଷ୍ଠ ଆହ୍ୱାନ। ଏଥିପାଇଁ କର୍ମଚାରୀମାନେ ୭୧ତମ ସାଧାରଣତନ୍ତ୍ର ଦିବସରେ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଜଣାଉଛି।

ବିଶାଖାପାଟଣାରୁ ବିଜୟୱାଡ଼ା ଅଦ୍ୱିତୀୟ ଡବଲ୍ ଡେକର୍‌ ଉଦୟ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର ଠାରୁ ନୟାଗଡ଼ ପର୍ଯ୍ୟନ୍ତ ସେବା ଏକ୍ସପ୍ରେସ୍ ପ୍ରଚଳନ ହୋଇଛି । ନୂଆ ରେଳ ଲାଇନ୍‌ରେ ଖୋର୍ଦ୍ଧାରୋଡ଼୍ – ନୟାଗଡ଼ ଟାଉନ୍ ପାସେଞ୍ଜର ଟ୍ରେନ୍‌କୁ ମହିପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବାକୁ ଯାଇ ଭିଡ଼ ଋତୁ ମାନଙ୍କରେ ୧୬ଟି ସ୍ୱତନ୍ତ୍ର ଟ୍ରେନ୍ ପ୍ରଚଳନ କରାଯାଇଛି ଏବଂ ସିଟ୍ କ୍ଷମତା ବୃଦ୍ଧି ପାଇଁ ଡିସେମ୍ବର-୨୦୧୯ ପର୍ଯ୍ୟନ୍ତ ୧୪୮୦ଟି ବଗି ବିଭିନ୍ନ ଟ୍ରେନ୍‌ମାନଙ୍କରେ ସଂଯୋଗ କରାଯାଇଛି। ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ୮ଟି ଷ୍ଟେସନ୍‌ରେ ଷ୍ଟେସନ୍‌ ଟିକେଟ୍ ବୁକିଂ ସେବକ (ଏସ୍‌.ଟି.ବି.ଏସ୍‌.) ପଦ୍ଧତି ପ୍ରଚଳନ କରାଯାଇଛି। ଯାତ୍ରୀ ଆରକ୍ଷଣ ପଦ୍ଧତି ସମ୍ବଲପୁର ମଣ୍ଡଳର ଜୁଜୁମୁରାକୁ ସଂପ୍ରସାରଣ କରାଯାଇଛି, ୩ଟି ଲିଫ୍‌ଟ (ରାୟଗଡ଼ା-୨, ବ୍ରହ୍ମପୁର-୧) ଏବଂ ୪ଟି ଏସ୍‌କାଲେଟର୍‌ (ଭୁବନେଶ୍ୱର-୨ ଓ ଖୋର୍ଦ୍ଧାରୋଡ଼୍‌-୨) କାର୍ଯ୍ୟକ୍ଷମ ହୋଇଛି। ୯ଟି ଷ୍ଟେସନ୍‌ରେ ପ୍ଲାଟ୍‌ଫର୍ମ ସେଡ଼୍ ଓ ପାଦଚଲା ଓଭରବ୍ରିଜ୍‌ ନିର୍ମାଣ କରାଯାଇଥିବା ବେଳେ ୧୩ଟି ଷ୍ଟେସନ୍‌ର ପ୍ରତୀକ୍ଷାଳୟକୁ ନବୀକରଣ କରାଯାଇଛି ଏବଂ ୨୩ଟି ଷ୍ଟେସନ୍‌ରେ ଷ୍ଟେସନ୍ ପରିକ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ କରାଯାଇଛି। ଯାତ୍ରୀମାନଙ୍କ ନିରାପତ୍ତାକୁ ପରିବର୍ଦ୍ଧିତ କରିବା ନିମନ୍ତେ ୩୪ଟି ପ୍ରହରୀଯୁକ୍ତ ଲେଭେଲ୍ କ୍ରସିଂ ଗେଟ୍‌କୁ ବନ୍ଦ କରାଯାଇଛି ଏବଂ ୨୧ଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ କରାଯାଇଛି। ରେଳ ପରିସର ଓ ଟ୍ରେନ୍ ଗୁଡ଼ିକରେ ମହିଳା ଯାତ୍ରୀଙ୍କ ନିରାପତ୍ତା ନିମନ୍ତେ ମହିଳା ରେଳ ସୁରକ୍ଷାବଳଙ୍କୁ ନେଇ ଖୋର୍ଦ୍ଧାରୋଡ଼୍ ଓ ୱାଲ୍‌ଟିୟର୍ ରେଳ ମଣ୍ଡଳରେ ‘ସୁଭଦ୍ରା ବାହିନୀ’ ଗଠନ କରାଯାଇଛି। ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାରେ ପଲିକ୍ରାକ୍ ବୈଷୟିକ ବିଜ୍ଞାନ ପ୍ରଣାଳୀ ପ୍ରୟୋଗ କରି ଭାରତୀୟ ରେଳବାଇରେ ପ୍ରଥମ ସ୍କ୍ରାପ୍‌ରୁ ଶକ୍ତି ବା ଆବର୍ଜନାରୁ ଶକ୍ତି ପ୍ଲାଣ୍ଟ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି। ପୂର୍ବ ତଟ ରେଳପଥ ନୂଆ ଲାଇନ୍‌, ଭିତ୍ତିଭୂମି ସଂରଚନାର ରକ୍ଷଣାବେକ୍ଷଣ, ରେଳ ଷ୍ଟେସନ୍ ଇତ୍ୟାଦି ପ୍ରକଳ୍ପର ନିର୍ମାଣ ଓ ଉନ୍ନତି ନିମନ୍ତେ ୩୩,୦୮୪ କୋଟି ଟଙ୍କା ବିନିଯୋଗ କରିଛି । ଏହିସବୁ ପ୍ରକଳ୍ପ ନିମନ୍ତେ ଆମ ହାତରେ ଚଳିତ ବର୍ଷ ବିନିଯୋଗ କରିବା ପାଇଁ ୪,୦୦୦ କୋଟି ଟଙ୍କା ରହିଛି । ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ନାଗରିକମାନଙ୍କୁ ନୂଆ ରେଳ ସଂଯୋଗ ପ୍ରଦାନ ପୂର୍ବକ ଏହି ରେଳପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ କରି ସେବା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ।

ସମ୍ବନ୍ଧିତ ଖବର