୫ ବର୍ଷରେ ଆର୍ଥିକ ସଂସ୍କାର ପୂରା କର, ପାନଗାରିୟାଙ୍କ ପରାମର୍ଶ

ନ୍ୟୁୟର୍କ: ଶ୍ରମ ଭିତ୍ତିକ କ୍ଷେତ୍ରର ଅଭିବୃଦ୍ଧି ଉପରେ ଭାରତ ଗୁରୁତ୍ବ ଦେବା ଉଚିତ। ଏଥିସହତି ସରକାରୀ ବ୍ୟାଙ୍କ ଗୁଡ଼ିକର ଘରୋଇକରଣ ବିଷୟରେ ଗୁରୁତର ସହିତ ଚିନ୍ତା କରିବା ଆବଶ୍ୟକ। କେବଳ ସେତିକି ନୁହେଁ, ‌ଦେଶର ଅର୍ଥନୈତିକ ସଂସ୍କାର ପ୍ରକ୍ରିୟାକୁ ଆସନ୍ତା ୫ ବର୍ଷ ମଧ୍ୟରେ ଶେଷ କରିବାକୁ ନିତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିୟା ପରାମର୍ଶ ଦେଇଛନ୍ତି। ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ନିର୍ବାଚନ ସରିବା ପରେ ନୂଆ ସରକାର ପାଇଁ କେଉଁସବୁ ବିଷୟ ସର୍ବାଧିକ ଗୁରୁତ୍ବ ରଖିବା ଆବଶ୍ୟକ ବୋଲି ପ୍ରଶ୍ନରେ ପାନଗାରିୟା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସାଧାରଣ ବର୍ଗର ଲୋକଙ୍କ ପାଇଁ ବହୁସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁଥିବା ଶ୍ରମ ଭିତ୍ତିକ କ୍ଷେତ୍ର ଯଥା ପୋଷାକ, ଚପଲ, ଆସବାବପତ୍ର, ରୋଷେଇ ସାମଗ୍ରୀ ଏବଂ ଅନ୍ୟାନ୍ୟ ହାଲ୍‌କା ଉତ୍ପାଦନ ସାମଗ୍ରୀ ଉପରେ ସରକାର ଗୁରୁତ୍ବ ଦେବା ଆବଶ୍ୟକ। ସେ ଏହା ମଧ୍ୟ କହିଛନ୍ତି, ବିଶ୍ବ ସ୍ତରରେ ପ୍ରତିଯୋଗିତା କରି ରପ୍ତାନି ବଜାରକୁ ହାସଲ କରିବା ପାଇଁ କମ୍ପାନି ଏସବୁ କ୍ଷେତ୍ରରେ ଗଢ଼ି ଉଠିବା ଦରକାର। କର୍ମଚାରୀଙ୍କ ଉଚ୍ଚ ପାରିଶ୍ରମିକ କାରଣରୁ ଚୀନ୍ ଏସବୁ କ୍ଷେତ୍ରରୁ ଓହରିଯାଉଥିବାରୁ ଭାରତ ଏକ୍ଷେତ୍ରରେ ପ୍ରବେଶ କରିବା ଆବଶ୍ୟକ। ଏଥିପାଇଁ କୋହଳ ଶ୍ରମ ଏବଂ ଜମି ଆଇନ ସହିତ ଏବେ କେବଳ ବଡ଼ କମ୍ପାନିଙ୍କ ପାଇଁ ଅନୁକୂଳ ଥିବା ପରିବେଶ ଅନ୍ୟମାନଙ୍କ ପାଇଁ ସୃଷ୍ଟି ହେବା ଉଚିତ। ଏହା ହାସଲ କରିବାର ଏକ ଉପାୟ ହେଲା ଚୀନର ସେନଜେନ୍ ଭଳି ଉପକୂଳ ନିଯୁକ୍ତି ଅଞ୍ଚଳ ସୃଷ୍ଟି କରାଯିବା। ଏନପିଏ ବା ଅନାଦାୟ ଋଣ ସମସ୍ୟା ଏବଂ ଦ୍ବୈତ ନିୟନ୍ତ୍ରଣ (ସରକାର ଏବଂ ରିଜର୍ଭ ବ୍ୟାଙ୍କ) ଭଳି ସମସ୍ୟାର ସମାଧାନ ପାଇଁ ସରକାରୀ ବ୍ୟାଙ୍କ ଗୁଡ଼ିକର ଘରୋଇକରଣ କରାଯିବା ଉଚିତ। ଶିକ୍ଷା ଅଧିକାର ଆଇନ ଦେଶରେ ଉଚ୍ଚମାନର ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଛି। ଏହାକୁ ଉଚ୍ଛେଦ ସହିତ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ପାନଗାରିୟା ମତ ଦେଇଛନ୍ତି। ସେହିଭଳି ଦେଶରେ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗ ବଦଳରେ ଉଚ୍ଚ ଶିକ୍ଷା କମିସନ ଆଇନ ଆସିବା ଉଚିତ ବୋଳି ପାନଗାରିୟା କହିଛନ୍ତି। ଏତଦବ୍ୟତୀତ ସେ ଅନ୍ୟ କେତେକ ସଂସ୍କାର ପାଇଁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର