ଅଣ୍ଡା ଦର ଅଧିକ, ଚିକେନ୍‌ କମ୍‌

ମୂଲ୍ୟ ବଢ଼ାଉଛି କମ୍‌ ଯୋଗାଣ

ନୂଆଦିଲ୍ଲୀ: ଗତ କିଛିଦିନ ମଧ୍ୟରେ ଦେଶର ଅଧିକାଂଶ ବଜାରରେ ଅଣ୍ଡା ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହା ୭ ଟଙ୍କାରୁ ୭ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ଦରରେ ମଧ୍ୟ କେତେକ ସ୍ଥାନରେ ଅଣ୍ଡା ବିକ୍ରି ହେଉଛି। ଯୋଗାଣ ସଙ୍କୁଚିତ ହେବା କାରଣରୁ ଅଣ୍ଡା ଦରରେ ଏହି ବୃଦ୍ଧି ଦେଖାଦେଇଛି ବୋଲି ଭାରତୀୟ କୁକ୍କୁଟ ଚାଷ ମହାସଂଘ ସଭାପତି ରମେଶ କାଟ୍ରି ମତ ଦେଇଛନ୍ତି। ଏପରିକି ଆଗାମୀ ମାସ ଗୁଡ଼ିକରେ ଅଣ୍ଡା ଦର ଆହୁରି ଅଧିକ ରହିବ ବୋଲି ସେ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଣ୍ଡା ଉତ୍ପାଦନ ୨୫ରୁ ୩୦ ପ୍ରତିଶତ କମ୍‌ ରହିବା ସମ୍ଭାବନା ରହିଥିବାରୁ ମୂଲ୍ୟ ବୃଦ୍ଧି ନେଇ ସେ ଏହି ଆଶଙ୍କା କରିଛନ୍ତି। ଗତବର୍ଷ କୁକୁଡା ଚାଷୀମାନେ ଅଣ୍ଡାର ଉତ୍ତମ ଦର ପାଇ ନଥିବାରୁ ଚଳିତବର୍ଷ ସେମାନେ ଉତ୍ପାଦନ କମାଇ ଦେଇଥିବା ସେ କହିଛନ୍ତି।

ଅଣ୍ଡା ବ୍ୟବସାୟୀଙ୍କ କହିବାନୁଯାୟୀ, ଶୀତ ଦିନେ ସାଧାରଣତଃ ଅଣ୍ଡାଦର ଅଧିକ ରହିଥାଏ। କିନ୍ତୁ ଚଳିତବର୍ଷ ଯେଉଁ ବୃଦ୍ଧି ଦେଖାଦେଇଛି ତାହା ଅତ୍ୟଧିକ ବୋଲି ବ୍ୟବସାୟୀମାନେ କହିଛନ୍ତି। ଅଣ୍ଡାଦର ବୃଦ୍ଧି ଯୋଗୁଁ ଦେଶର କେତେକ ବଜାରରେ ଅଣ୍ଡା ଡଜନ ମୂଲ୍ୟ ଗତ କିଛି ଦିନ ମଧ୍ୟରେ ୫୫ ଟଙ୍କାରୁ ୮୨ ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ଅନ୍ୟପକ୍ଷରେ ବ୍ରଏଲର କୁକୁଡ଼ାର ଦର କିଲୋପିଛା ୯୦ ଟଙ୍କାରୁ ୬୦ ଟଙ୍କାକୁ ହ୍ରାସ ପାଇଛି।
୨୦୧୬-୧୭ରେ କୁକୁଡ଼ା ଫାର୍ମ ଗୁଡ଼ିକରେ ଅଣ୍ଡାର ପାଇକାରୀ ଦର ଗୋଟିଏ ପିଛା ୪ ଟଙ୍କାରୁ କମ୍‌ ରହିଥିଲା। ଅଧିକ ଉତ୍ପାଦନ ଯୋଗୁଁ ମୂଲ୍ୟ ନିମ୍ନସ୍ତରରେ ରହିଥିଲା।

ଗତବର୍ଷ ଅଣ୍ଡା ବାବଦରେ କୁକୁଡା ଚାଷୀଙ୍କୁ ପ୍ରାୟ ୩ ଟଙ୍କା ୫୦ ପଇସା ଖର୍ଚ ବହନ କରିବାକୁ ପଡ଼ୁଥିଲା ବୋଲି ଶ୍ରୀ କାଟ୍ରି କହିଛନ୍ତି। କୁକୁଡ଼ା ଚାଷୀମାନେ ଗତବର୍ଷ କ୍ଷତି ସହିଥିବାରୁ ଚଳିତବର୍ଷ କ୍ଷତି ହେବାର ଭୟ ସେମାନଙ୍କ ମଧ୍ୟରେ ଦେଖାଦେଇଛି। ଏଥିଯୋଗୁଁ ଅନେକ କୁକୁଡ଼ା ଚାଷୀ ସେମାନଙ୍କ କୁକୁଡ଼ା ପାଳନ ସଂଖ୍ୟାକୁ ହ୍ରାସ କରିଦେଇଛନ୍ତି। ଏଥିଯୋଗୁଁ ଅଣ୍ଡା ଯୋଗାଣ ହ୍ରାସ ପାଇଥିବା କୁହାଯାଉଛି। ଦିଲ୍ଲୀରେ ଗତବର୍ଷ ଅଣ୍ଡା ଦର ୪ରୁ ୫ ଟଙ୍କା ମଧ୍ୟରେ ରହିଥିବାବେଳେ ଏବେ ୭ ଟଙ୍କାରୁ ୭ ଟଙ୍କା ୫୦ ମଧ୍ୟରେ ପହଞ୍ଚିଛି। ତେବେ ସରକାରୀ ତଥ୍ୟରୁ ଜଣାଯାଇଛି ଯେ, ଦେଶରେ ୨୦୧୫-୧୬ରେ ୮୩୦୦ କୋଟି ଅଣ୍ଡା ଉତ୍ପାଦନ ହୋଇଥିବାବେଳେ ୨୦୧୬-୧୭ରେ ଏହା ଅଧିକ ରହିଥିଲା।

ସମ୍ବନ୍ଧିତ ଖବର