ନିର୍ବାଚନ ସରିଲା, ତେଲ ଦର ବଢ଼ିଲା

୧୯ ଦିନ ପରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ସ୍ଥଗିତ ରଖିଥିବା ସରକାରୀ ତେଲ କମ୍ପାନି ଗୁଡ଼ିକ ସୋମବାର ପୁଣି ଏହାର ମୂଲ୍ୟ ବୃଦ୍ଧି ଆରମ୍ଭ କରିଦେଇଛନ୍ତି। ୧୯ ଦିନର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଆଜି ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛିନ୍ତି। ପେଟ୍ରୋଲ ଦର ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଦର ୨୧ ପଇସା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ସରକାରୀ ତେଲ କମ୍ପାନି ଗୁଡ଼ିକ ଶେଷ ଥର ପାଇଁ ଗତମାସ ୨୪ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୧୩ ପଇସା ଲେଖାଏଁ ବୃଦ୍ଧି କରିଥିଲେ। ଆଜିର ଏହି ମୂଲ୍ୟ ବୃଦ୍ଧି ଫଳରେ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ପେଟ୍ରୋଲ ଦର ୫୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଆଜିର ମୂଲ୍ୟ ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୪ ଟଙ୍କା ୬୩ ପଇସାରୁ ୭୪ ଟଙ୍କା ୮୦ ପଇସାକୁ ଏବଂ ଡିଜେଲ ଦର ୬୫ ଟଙ୍କା ୯୩ ପଇସାରୁ ୬୬ ଟଙ୍କା ୧୪ ପଇସାକୁ ବୃଦ୍ଧି ଘଟିଛି। ସେହିଭଳି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲର ଲିଟର ପିଛା ଦର ୭୩ ଟଙ୍କା ୬୪ ପଇସା ଏବଂ ଡିଜେଲର ଲିଟର ପିଛା ଦର ୭୦ ଟଙ୍କା ୮୮ ପଇସାରେ ପହଞ୍ଚି ଯାଇଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେଉଥିଲେ ମଧ୍ୟ କର୍ଣ୍ଣାଟକ ନିର୍ବାଚନ ପାଇଁ ସରକାରଙ୍କ ନିର୍ଦ୍ଦେଶରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି କରୁନାହାନ୍ତି। ଏମିିତି ସନ୍ଦେହ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଥିଲା। ଆଜିର ଏହି ମୂଲ୍ୟ ବୃଦ୍ଧି ଉକ୍ତ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଦେଇଛି।
କେବଳ କର୍ଣ୍ଣାଟକ ନିର୍ବାଚନ ନୁହେଁ ପୂର୍ବରୁ ଗତ ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନବେଳେ ମଧ୍ୟ ତେଲ କମ୍ପାନି ଗୁଡ଼ିକ ଦୈନିକ ପେଟ୍ରୋଲ ଏବଂ ଡିଜେଲ ଦର ୧ରୁ ୩ ପଇସା ଲେଖାଏଁ କମାଇଥିଲେ। ଏହି ଧାରା ପ୍ରାୟ ୧୫ ଦିନ ଧରି ଲାଗି ରହିଥିଲା। କିନ୍ତୁ ନିର୍ବାଚନ ପରେ ପୁଣି ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବା ଆରମ୍ଭ କରିଦେଇଥିଲେ।

ସମ୍ବନ୍ଧିତ ଖବର