ଅଲଟୋ, ସ୍ୱିଫ୍ଟର ଇଲେକ୍ଟ୍ରିକ ଭର୍ସନ ନିର୍ମାଣ କରୁଛି ମାରୁତି-ସୁଜୁକୀ

ନୂଆଦିଲ୍ଲୀ : ଦେଶର ବୃହତ୍ତମ କାର ନିର୍ମାତା କମ୍ପାନି ମାରୁତି ସୁଜୁକୀ ପକ୍ଷରୁ ନିଜର ଲୋକପ୍ରିୟ ଏଣ୍ଟ୍ରିଲେବଲ କାର ସ୍ୱିଫ୍ଟ, ଅଲଟୋର ଇଲେକ୍ଟ୍ରିକ ଭର୍ସନ ନିର୍ମାଣ କରିବାକୁ କମ୍ପାନି ଯୋଜନା କରୁଛି । ଭାରତରେ ଆଗକୁ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ବଢିବାକୁ ଯାଉଥିବାରୁ କମ୍ପାନି ଏହିଯୋଜନା କରୁଥିବା ଜଣାଯାଇଛି । ମାରୁତି-ସୁଜୁକୀର ମୂଳ କମ୍ପାନି ସୁଜୁକି ମୋଟର୍ସ ପକ୍ଷରୁ କରାଯାଇଥିବା ଅଟକଳ ଅନୁସାରେ ୨୦୩୦ ସୁଦ୍ଧା ଭାରତରେ ବର୍ଷକୁ ୧୦ ନିୟୁତ କାର ବିକ୍ରି ହେଉଥିବ । ଏହା ମଧ୍ୟରେ ଇଲେକ୍ଟ୍ରିକ କାରର ଏକ ବଡ଼ ଭାଗ ଥିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୦ ସୁଦ୍ଧା ଭାରତୀୟ ବଜାରରେ ନିଜର ପ୍ରଥମ ଇଲେକ୍ଟ୍ରିକ କାର ଲଞ୍ଚ୍‌ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ସ୍ୱିଫ୍ଟ ଓ ଅଲଟୋ ମଡେଲର ଇଲେକ୍ଟି୍ରକ ଭର୍ସନ ଏହି ସମୟ ସୁଦ୍ଧା କମ୍ପାନି ଲଞ୍ଚ କରିବାର ସମ୍ଭାବନା ରହିଛି । ପୂର୍ବରୁ ଅଟୋ ଏକ୍ସପୋରେ କମ୍ପାନି ସ୍ୱିଫ୍ଟର ହାଇବ୍ରିଡ ଭର୍ସନର ପ୍ରଦର୍ଶନ କରିଥିଲା ।
୨୦୩୦ ସୁଦ୍ଧା ପ୍ରାୟ ୧୫ ଲକ୍ଷ ଇଲେକ୍ଟ୍ରିକ କାର ବିକ୍ରି କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି ବୋଲି ସୁଜୁକୀର ଅଧ୍ୟକ୍ଷ ଓସାମୁ ସୁଜୁକୀ କହିଛନ୍ତି । ସେ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତରେ ବର୍ଷକୁ ୧୦ ନିୟୁତ କାର ବିକ୍ରି ହେଉଥିବ ଓ ଏହାକର ୫୦ପ୍ରତିଶତ ଭାଗ ଅଧିକାର କରିବାକୁ ମାରୁତି-ସୁଜୁକୀ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର