ଇଲେକ୍ଟ୍ରିକ୍ ଗାଡ଼ି ଆଣିବ ‘ଓମ୍‌ଜୟ ଇଭି’

ଭୁବନେଶ୍ବର: ଅଟୋମୋବାଇଲ୍ କାରବାର ସହିତ ଜଡ଼ିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଭାରତ ମୋଟର୍ସ ତରଫରୁ ଓମ୍‌ଜୟ ଇଭି ଲିମିଟେଡ୍ ନାମକ ଏକ କଂପାନି ସ୍ଥାପନ କରାଯାଇଛି। ଏହି ସଂସ୍ଥା ଇଲେକ୍ଟ୍ରିକ୍ ଗାଡ଼ି ଉତ୍ପାଦନ ଓ ବିକ୍ରି କରିବ। କଂପାନି ପକ୍ଷରୁ ‘ଇଭି’ ନାମରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ପ୍ରସ୍ତୁତ କରାଯାଇଛି। ଅନେକ ଗବେଷଣା ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା ପରେ ଏହି ଗାଡ଼ିକୁ ପ୍ରସ୍ତୁତ କରାଯାଇଛି। ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରୁଥିବା ଅନେକ ସୁବିଧାସୁ‌ଯୋଗ ଏହି ଗାଡ଼ିରେ ରହିଛି। ଏହା ପରିବେଶ ଅନୁକୂଳ ହୋଇଥିବା ବେଳେ ଶବ୍ଦ ପ୍ରଦୂଷଣ କିମ୍ବା ବାୟୁ ପ୍ରଦୂଷଣ କରେ ନାହିଁ। ଅତି ସହଜରେ ଏହି ଗାଡ଼ିକୁ ଚଲାଇ ହେବ। ଏହାର ମୂଲ୍ୟ ଗ୍ରାହକଙ୍କ ପକେଟ୍‌କୁ ସୁହାଇବ। ଏହାର ରକ୍ଷଣାବେକ୍ଷଣରେ ମଧ୍ୟ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ିବ ନାହିଁ। କଂପାନି ପକ୍ଷରୁ ଆଗାମୀ ଦିନରେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ଉତ୍ପାଦନ କରାଯିବ। କିଛି ମାସ ଭିତରେ ଯାଜପୁରର ବଡ଼ଚଣା ଠାରେ କଂପାନିର କାରଖାନାରେ ଗାଡ଼ିଗୁଡ଼ିକର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ। ସାରା ଦେଶରେ କଂପାନି ଡିଲର୍‌ ନିଯୁକ୍ତ କରି ଗାଡ଼ି ବିକ୍ରି କରିବ। ଡିଲର୍‌ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କଂପାନି ପକ୍ଷରୁ କିଛି ନିର୍ଦିଷ୍ଟ ରାଜ୍ୟରେ ୨୫୦ ଡିଲର୍‌ ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଗ୍ରାହକମାନଙ୍କ ପାଇଁ ଗାଡ଼ି କିଣାକୁ ସହଜ କରିବା ନିମନ୍ତେ କଂପାନି ବିଭିନ୍ନ ଫାଇନାନ୍ସ ଓ ବୀମା କଂପାନି ସହିତ ସହଯୋଗିତା ସ୍ଥାପନ କରିବାକୁ କଥାବାର୍ତା ଜାରି ରଖିଛି।

ସମ୍ବନ୍ଧିତ ଖବର