ଡିସେମ୍ବରରେ ଖୋଲିବ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କ

ଭୁବନେଶ୍ବର: ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ଇଲେକ୍ଟ୍ରୋପ୍ରେନ୍ୟୁର୍‌ ପାର୍କ ଚଳିତ ବର୍ଷ ଡିସେମ୍ବରରେ ଖୋଲିବ। ଇଲେ‌କ୍‌ଟ୍ରୋନିକ୍‌ ସିଷ୍ଟମ୍ ଡିଜାଇନ୍ ଓ ମାନୁଫାକ୍‌ଚରିଂ (ଇଏସ୍‌ଡିଏମ୍‌) କ୍ଷେତ୍ରର ଷ୍ଟାର୍ଟ-ଅପ୍ ସଂସ୍ଥାଗୁଡ଼ିକ ପାଇଁ ଏହା ଉନ୍‌କୁବେସନ ସେଣ୍ଟର୍‌ (ଉଷ୍ମାୟନ କେନ୍ଦ୍ର) ଭାବେ କାର୍ଯ୍ୟ କରିବ ବୋଲି ସଫ୍‌ଟଓୟାର ଟେକ୍‌ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ)ର ନିର୍ଦେଶକ ମାନସ ପଣ୍ଡା କହିଛନ୍ତି। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସିଆଇଆଇ ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯ ଅବସରରେ ଷ୍ଟାର୍ଟ-ଅପ୍‌କୁ ନେଇ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଗୋଠପାଟଣା ଠାରେ ଥିବା ଏସ୍‌ଟିପିଆଇର କେନ୍ଦ୍ରରେ ଏହାକୁ ସ୍ଥାପନ କରାଯାଉଛି। ଆସନ୍ତା ମାସ ଠାରୁ ଏହାର ସଫ୍‌ଟ ଲଞ୍ଚ୍‌ (ଲଘୁ ଉନ୍ମୋଚନ) ହେବ। ପ୍ରଥମେ ଉଦ୍ୟୋଗୀମାନଙ୍କ ଚିନ୍ତାଧାରାଗୁଡ଼ିକୁ ଗ୍ରହଣ କରାଯିବ। ଯେଉଁ ଚିନ୍ତାଧାରା ନିକଟରେ ଭବିଷ୍ୟତ‌ର ଏକ ବଡ଼ ସଂସ୍ଥାରେ ପରିଣତ ହେବାର କ୍ଷମତା ଥିବ ସେଭଳି ୪୦-୫୦ ପାଖାପାଖି ଚିନ୍ତାଧାରାକୁ ଇଲେକ୍ଟ୍ରୋପ୍ରେନ୍ୟୁଅର ପାର୍କରେ ବିକଶିତ ହେବା ଲାଗି ସୁଯୋଗ ପ୍ରଦାନ କରାଯିବ। ରାଜ୍ୟରେ ଖୋଲିବାକୁ ଥିବା ନୂଆ ଏସ୍‌ଟିପିଆଇଗୁଡ଼ିକର ଅଗ୍ରଗତି ବିଷୟରେ ସୂଚନା ଦେଇ ସେ କହିଛନ୍ତି, ଜୟପୁରରେ ଆମକୁ ଜମି ମିଳିଛି। ସେଠାରେ ଦୁଇ ମାସ ଭିତରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ତାହାର ପରବର୍ତ୍ତୀ ୧୮ ମାସ ଭିତରେ ସେହି ପାର୍କକୁ କାର୍ଯ୍ୟକ୍ଷମ କରିବାକୁ ଆମର ଯୋଜନା ରହିଛି। ଅନ୍ୟ ତିନିଟି ଏସ୍‌ଟିପିଆଇ ଲାଗି ଏପର୍ଯ୍ୟନ୍ତ ଜମି ମିଳିନଥିବା ସେ କହିଛନ୍ତି।

ଏହି ଅବସରରେ ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ କହିଛନ୍ତି, ରାଜ୍ୟ ସରକାର ଷ୍ଟାର୍ଟ-ଅପ୍ ନୀତି ଘୋଷଣା କରିବା ପରେ ଆମ ସହିତ ୪୯୨ ଷ୍ଟାର୍ଟ-ଅପ୍ ଯୋଡ଼ି ହୋଇସାରିଛନ୍ତି। ଆଉ କିଛି ମାସ ଭିତରେ ଆମକୁ ୧୦୦୦ ଷ୍ଟାର୍ଟ-ଅପ୍ ଲକ୍ଷ୍ୟ ପୂରଣ କରିବାକୁ ପଡ଼ିବ। ଷ୍ଟାର୍ଟ-ଅପ୍‌ କ୍ଷେତ୍ରରେ କ’ଣ ସବୁ ଅସୁବିଧା ରହୁଛି ତାହା ଜାଣିବା ଲାଗି ରାଜ୍ୟ ସରକାର ନିଜ ଆଡ଼ୁ ଏକ ସର୍ଭେ କରିଥିଲେ। ସେଥିରେ ୯ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି।

ଖଣିରେ ଡ୍ରୋନ୍‌ର ବ୍ୟବହାର ପାଇଁ ସୁଯୋଗ
ଭୁବନେଶ୍ବର: ବ୍ୟବସାୟ ଜଗତକୁ ରାଜ୍ୟ ସରକାରଙ୍କ ସହ ଯୋଡ଼ିବା ଲକ୍ଷ୍ୟ ନେଇ ଆଜି ଏଣ୍ଟରପ୍ରାଇଜ୍ ଓଡ଼ିଶାରେ ଦୁଇଟି ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା। ଶିଳ୍ପ ୪.୦ରେ ଖଣି କ୍ଷେତ୍ରର ଭୂମିକା ଉପରେ ଆୟୋଜନ କରାଯାଇଥିବା ଅଧିବେଶନରେ ଆର୍ଡେଣ୍ଟ୍‌ ଷ୍ଟିଲ୍‌ର ନିର୍ଦେଶକ ଶୁଭାଶିଷ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ଏସ୍‌ଭିପି ଏନ୍‌ ଡି ରାଓ ଓ ଆଇଡାକ୍ସ କନ୍‌ସଲ୍‌ଟିଂର ଏମ୍‌ଡି ଦୀପକ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ଖଣି କ୍ଷେତ୍ରରେ ଡ୍ରୋନ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ମଲ୍ଲିକ ଆଲୋକପାତ କରିଛନ୍ତି। ସେହିପରି, ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜନେସ୍ ଅଧିବେଶନରେ ଜିନ୍ଦଲ ଷ୍ଟିଲ୍‌ ଲିମିଟେଡ୍‌ର ରେସିଡେଣ୍ଟ୍‌ ଡାଇରେକ୍ଟର ଏସ୍‌ ଏସ୍‌ ଉପାଧ୍ୟାୟ, ଇପିକଲ୍‌ର ଏମ୍‌ଡି ଡକ୍ଟର ନୀତିନ ବି ଜୱାଲେ, ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ ଓ କେପିଏମ୍‌ଜିର ନିର୍ଦେଶକ ଧୱଲ୍‌ ପିପ୍‌ଲାନି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର