ଶ୍ରମମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ଚାକିରି ଅଛି, ଯୋଗ୍ୟ ପ୍ରାର୍ଥୀ ନାହାନ୍ତି
ପ୍ରିୟଙ୍କା ଗାନ୍ଧୀ, ମାୟାବତୀଙ୍କ କଡ଼ା ସମାଲୋଚନା
ବରେଲି: ଦେଶର ଅର୍ଥନୀତି ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ ନିଯୁକ୍ତିକୁ ନେଇ ଆଜି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଏକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ସେ କହିଥିଲେ ଯେ, ରୋଜଗାରର ଅଭାବ ନାହିଁ। ଉତ୍ତର ଭାରତରେ ଯୋଗ୍ୟ ଯୁବକଯୁବତୀଙ୍କ ଅଭାବ ରହିଛି। ଗଙ୍ଗୱାରଙ୍କ ଏହି ମନ୍ତବ୍ୟକୁ ବିରୋଧୀ ଦଳ କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି) ଓ ଅନ୍ୟ କେତେକ ଦଳ ତୀବ୍ର ବିରୋଧ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ବରେଲିରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଗଙ୍ଗୱାର କହିଥିଲେ ଯେ, ମୁଁ ରୋଜଗାର ମନ୍ତ୍ରଣାଳୟ କଥା ବୁଝୁଛି। ସେଥିପାଇଁ ମୁଁ ସତ ଜାଣିଛି। ବିଶେଷ କରି ଉତ୍ତର ଭାରତରେ ଭଲ ଯୋଗ୍ୟତା ଥିବା ଯୁବକଯୁବତୀଙ୍କ ଅଭାବ ରହିଛି। ସେ କହିଥିଲେ ଯେ, ଦେଶରେ ଚାକିରିର ଅଭାବ ନାହଁ। ଉତ୍ତର ଭାରତକୁ ଯେଉଁମାନେ ନିଯୁକ୍ତି ଦେବାକୁ ଆସୁଛନ୍ତି ସେମାନେ ପ୍ରଶ୍ନ କରନ୍ତି ଯେ ଯେଉଁ ପଦ ପାଇଁ ଆମେ ପ୍ରାର୍ଥୀ ଖୋଜୁଛୁ ସେଭଳି ଯୋଗ୍ୟ ପ୍ରାର୍ଥୀ ଆମକୁ ମିଳୁନାହାନ୍ତି। ସେ ଦାବି କରିଛନ୍ତି ଯେ ଦେଶ ଭିତରେ ନିଯୁକ୍ତିର ଅଭାବ ନାହିଁ। ଚାକିରିର ଅନେକ ସୁଯୋଗ ରହିଛି। ଲୋକଙ୍କୁ ଚାକିରି ଦେବା ପାଇଁ ସରକାର ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ମଧ୍ୟ ଗଙ୍ଗୱାର ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମନ୍ତବ୍ୟକୁ ନେଇ ଗଙ୍ଗୱାରଙ୍କୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ତୀବ୍ର ସମାଲୋଚନା କରିବା ସହିତ କହିଛନ୍ତି ଯେ, ଉତ୍ତର ଭାରତୀୟଙ୍କୁ ଅପମାନିତ କରି ଆପଣ ଖସିପାରିବେ ନାହିଁ। ଏକ ଟୁଇଟ୍ କରି ପ୍ରିୟଙ୍କା ଲେଖିଛନ୍ତି ଯେ, ମନ୍ତ୍ରୀ ମହୋଦୟ। ଆପଣଙ୍କ ସରକାର ପାଞ୍ଚରୁ ଅଧିକ ସମୟ ରହିଲାଣି। ନିଯୁକ୍ତି ସୃଷ୍ଟି ହେଉନାହିଁ। ଯେଉଁ ସବୁ ଚାକିରି ଥିବା ସରକାର ଆଣିଥିବା ମାନ୍ଦାବସ୍ଥା ଯୋଗୁ ସେଗୁଡ଼ିକ ଚାଲି ଯାଉଛି। ସରକାର କିଛି ଭଲ କରନ୍ତୁ ବୋଲି ଯୁବପିଢ଼ି ଚାହିରହିଛି। ଆପଣ ଉତ୍ତର ଭାରତୀୟଙ୍କୁ ଅପମାନିତ କରି ଖସିଯିବାକୁ ଚାହୁଛନ୍ତି। ତାହା ଚଳିବ ନାହିଁ।ସେହି ସମୟରେ, ଗଙ୍ଗୱାରଙ୍କ ଏହି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିଏସ୍ପି ମୁଖ୍ୟ ବାୟାବତୀ। ଏହା ଅତ୍ୟନ୍ତ ଅପମାନଜନକ ବୋଲି ସେ କହିଛନ୍ତି। ଏଭଳି ମନ୍ତବ୍ୟ ପାଇଁ ଗଙ୍ଗୱାର ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏକ ଟୁଇଟ୍ କରି ସେ ଲେଖିଛନ୍ତି ଯେ, ଦେଶରେ ଲାଗି ରହିଥିବା ମାନ୍ଦାବସ୍ଥା ଭଳି ଗମ୍ଭୀର ସମସ୍ୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଅଲଗା ଅଲଗା ହାସ୍ୟାସ୍ପଦ ମନ୍ତବ୍ୟ ପରେ ଏବେ ଦେଶରୁ କିମ୍ବା ବିଶେଷ କରି ଉତ୍ତର ଭାରତୀୟଙ୍କ ମଧ୍ୟରେ ରହିଥିବା ବେକାରିକୁ ଦୂର କରିବା ବଳଦରେ ରୋଜଗାରର ଅଭାବ ନାହିଁ, ଯୋଗ୍ୟତାର ଅଭାବ ଅଛି ବୋଲି କହିବା ଅତ୍ୟନ୍ତ ଅପମାନଜନକ। ନିଜ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିବା ପରେ ଗଙ୍ଗୱାର ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରାଯାଇଛି।