ଇପିଏଫ ସୁଧ ୮.୬୫%କୁ ବଢ଼ିଲା

ନୂଆଦିଲ୍ଲୀ: ନିର୍ବାଚନ ବର୍ଷରେ ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ୬କୋଟିରୁ ଅଧିକ ସଦସ୍ୟଙ୍କୁ ଖୁସି କରିଛନ୍ତି। ଇପିଏଫଓର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଆଜି ସଦସ୍ୟମାନଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୮.୬୫ ପ୍ରତିଶତ ସୁଧ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଜିର ବୋର୍ଡ ବୈଠକରେ ଅର୍ଥ ମନ୍ତ୍ରାଳୟକୁ ସୁଧ ହାର ବୃଦ୍ଧି ସଂକ୍ରାନ୍ତରେ ସୁପାରିସ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଇପିଏଫଓ ସଦସ୍ୟମାନେ ୮.୫୫ ପ୍ରତିଶତ ସୁଧ ପାଉଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ୦.୧୦ ପ୍ରତିଶତ ଅଧିକ ସୁଧ ପାଇବେ। କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଏହି ନିଷ୍ପତ୍ତିକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ମଞ୍ଜୁରି ଦେଲେ ଇପିଏଫଓର ପ୍ରାୟ ୬ କୋଟିରୁ ଅଧିକ ସଦସ୍ୟ ଉପକୃତ ହେବେ। ଅର୍ଥ ମନ୍ତ୍ରାଳୟ ମଞ୍ଜୁରି ମିଳିଲେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ବୈଠକ ପରେ ସୁଧ ହାର ‌ବୃଦ୍ଧି ସଂକ୍ରାନ୍ତରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏହି ସୂଚନା ଦେଇଛନ୍ତି। ଅର୍ଥ ମନ୍ତ୍ରାଳୟର ମଞ୍ଜୁରି ପରେ ସଦସ୍ୟମାନଙ୍କ ଖାତାରେ ନୂଆ ସୁଧ ହାର ଚଢ଼ିଥାଏ। ପୂର୍ବରୁ ୨୦୧୫-୧୬ରେ ଇପିଏଫର ସଦସ୍ୟମାନେ ୮.୮୦ ପ୍ରତିଶତ ସୁଧ ପାଉଥିବାବେଳେ ୨୦୧୬-୧୭ରେ ଏହାକୁ ୮.୬୫ ପ୍ରତିଶତକୁ କମାଇ ଦିଆଯାଇଥିଲା। କିନ୍ତୁ ଏହା ପୂର୍ବରୁ ୨୦୧୨-୧୩ରେ ଇପିଏଫ ସୁଧ ହାର ୮.୫୦ ପ୍ରତିଶତ ଥିବାବେଳେ ୨୦୧୩-୧୪ ଏବଂ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ସୁଧ ହାର ଯଥାକ୍ରମେ ୮.୭୫ ପ୍ରତିଶତ ରହିଥିଲା। ତେବେ ଆଜିର ବୈଠକରେ ସଦସ୍ୟମାନଙ୍କ ପେନସନ ବୃଦ୍ଧି ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଇପିଏଫଓ ସଦସ୍ୟ ଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସର୍ବନିମ୍ନ ପେନସନ ରାଶି ମାସିକ ୧୦୦୦ ଟଙ୍କା ଥିବାବେଳେ ଏହାକୁ ୨୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଥିଲା। ବିଶେଷକରି ନିକଟରେ ଅସଙ୍ଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ଅନ୍ତରୀଣ ବଜେଟରେ ସର୍ବନିମ୍ନ ୩୦୦୦ ଟଙ୍କାର ପେନସନ ପ୍ରଦାନ ଲାଗି ଘୋଷଣା କରାଯାଇଥିବାରୁ ଇପିଏଫଓ ସଦସ୍ୟମାନଙ୍କ ପାଇଁ ଏ ନେଇ କିଛି ଠୋସ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଥିଲା।

ସମ୍ବନ୍ଧିତ ଖବର