ଇପିଏଫ୍‌ଓ ସଦସ୍ୟ ପାଇବେ ଅଧିକ ପେନ୍‌ସନ୍‌

ରିଜର୍ଭ ବ୍ୟାଙ୍କକୁ ଝଟ୍‌କା:ଇନ୍‌ସଲ୍‌ଭେନ୍ସି ସର୍କୁଲାର ଅବୈଧ

0

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଅଧିକ ପେନ୍‌ସନ୍ ପାଇବାର ବାଟ ଫିଟିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟଙ୍କୁ ଅଧିକ ପେନ୍‌ସନ୍ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ପେନ୍‌ସନ୍ ହିସାବ ବେଳେ ବେତନକୁ ନେଇ ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ କୋହଳ କରିବାକୁ କୋର୍ଟ କହିଛନ୍ତି।
ବର୍ତ୍ତମାନ ପ୍ରଚଳିତ ଥିବା ନିୟମ ଅନୁସାରେ ଇପିଏଫ୍‌ଓର ସଦସ୍ୟମାନଙ୍କ ପାଇଁ ସର୍ବୋଚ୍ଚ ବେତନକୁ ୧୫ ହଜାର ଟଙ୍କା ହିସାବ କରାଯାଉଛି। ତାହାର ୮.୩୩% ଅର୍ଥ ପେନ୍‌ସନ୍‌ ଖାତାରେ ଜମା କରାଯାଉଛି ଯାହାର ମୂଲ୍ୟ ଯେଉଁ ୧୨୫୦ ଟଙ୍କା। ପେନ୍‌ସନ୍ ହିସାବ ବେଳେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଦରମା (ଫୁଲ ସାଲାରି)କୁ ବିଚାରକୁ ନେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ଘରୋଇ କ୍ଷେତ୍ରରେ କାମ କରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ସେମାନଙ୍କ ଫୁଲ ସାଲାରି ବା ପୁରା ବେତନ ଉପରେ ପେନ୍‌ସନ୍ ହିସାବ କରିବାକୁ କେରଳ ହାଇକୋର୍ଟ ଇପିଏଫ୍‌ଓକୁ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ସେହି ନିର୍ଦେଶକୁ ଖାରଜ କରିବାକୁ ଇପିଏଫ୍‌ଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଇପିଏଫ୍‌ଓର ଦାବିକୁ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏଥି ସହିତ କେରଳ ହାଇକୋର୍ଟ ଦେଇଥିବା ନିର୍ଦେଶ ପାଳନ କରିବାକୁ ଇପିଏଫ୍‌ଓକୁ କହିଛନ୍ତି ଏବଂ ମାମଲାଟିକୁ ଖାରଜ କରିଦେଇଛନ୍ତି। ଇପିଏଫ୍‌ଓରେ ପେନ୍‌ସନ୍ ସ୍କିମ୍ ୧୯୯୫ରେ ଆରମ୍ଭ କରାଯାଇଥିଲା। ଏହାକୁ କର୍ମଚାରୀ ପେନ୍‌ସନ୍ ସ୍କିମ୍ ବା ଇପିଏସ୍‌ କୁହାଯାଉଛି। ସେତେବେଳେ ଘରୋଇ କର୍ମଚାରୀଙ୍କ ସର୍ବୋଚ୍ଚ ବେତନକୁ ୬୫୦୦ ଟଙ୍କା ହିସାବ କରାଯାଉଥିଲା ଏବଂ ତାହାର ୮.୩୩% ରାଶି ବା ୫୪୧ ଟଙ୍କାକୁ ପେନ୍‌ସନ୍‌ ଖାତାରେ ଜମା କରାଯାଉଥିଲା। ଘରୋଇ କ୍ଷେତ୍ରର କର୍ମଚାରୀ ଯେତେ ଅଧିକ ଦରମା ପାଇଲେ ମଧ୍ୟ ପେନ୍‌ସନ୍ ହିସାବ ‌ବେଳେ ତାହାକୁ ୬୫୦୦ ଟଙ୍କା ହିଁ ହିସାବ କରାଯାଉଥିଲା। ୧୯୯୬ରେ ସେହି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଥିଲା। ଏହା ପରେ ୨୦୧୪ରେ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ପେନ୍‌ସନ୍ ହିସାବ ପାଇଁ କର୍ମଚାରୀଙ୍କ ବେତନର ସର୍ବୋଚ୍ଚ ସୀମାକୁ ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। କିଛି ମାସ ପରେ ପ୍ରବୀଣ କୋହଲି ନାମକ ଜଣେ ବ୍ୟକ୍ତି କୋର୍ଟରେ ମାମଲା ଦାୟର କରି ନିଜ ପେନ୍‌ସନ୍‌ରେ ବହୁ ଗୁଣା ବୃଦ୍ଧି ଆଣିବାରେ ସଫଳ ହୋଇଥିଲେ। କୋହଲି ଅବସର ଗ୍ରହଣ କରିବା ପହରେ ତାଙ୍କୁ ୨୩୭୨ ଟଙ୍କାର ପେନ୍‌ସନ୍ ମିଳୁଥିଲା। ଏହା ପରେ ସେ ଇପିଏଫ୍‌ଓ ବିରୋଧରେ ଅଦାଲତରେ ମାମଲା ଦାୟର କରିଥିଲେ। ସମ୍ପୂର୍ଣ୍ଣ ବେତନ ଉପରେ ପେନସନ୍‌ ହିସାବାକୁ ଦାବି କରିଥିଲେ ଏବଂ କୋର୍ଟରେ ବିଜୟୀ ହୋଇଥିଲା। ନିୟମ ଅନୁସାରେ ଆବଶ୍ୟକ ପରିମାଣର ବକେୟା ଟଙ୍କା ଦେଇ ଏବେ ସେ ମାସିକ ୩୦,୫୯୨ ଟଙ୍କାର ପେନସନ୍‌ ପାଉଛନ୍ତି।
ଇପିଏଫ୍‌ଓ ସଦସ୍ୟଙ୍କ ପେନସନ୍‌କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନି‌ର୍ଦେଶରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ୨୦୧୪ ସେପ୍ଟେମ୍ବର ୧ ପରେ ଯେଉଁମାନେ ଚାକିରିରେ ଯୋଗ ଦେଇଛନ୍ତି ସେମାନେ ସମ୍ପୂର୍ଣ୍ଣ ବେତନ ଉପରେ ପେନ୍‌ସନ୍ ପାଇବାର ସମ୍ଭାବନା ଅଧିକ ରହିଛି।

କେତେ ମିଳିବ
ଚାକିରି ବର୍ଷ ‌ଶେଷ ଦରମା(ଟ.) ପେନ୍‌ସନ୍‌(ଟ.)
୩୩ ୫୦,୦୦୦ ୨୫,୦୦୦
୩୦ ୫୦,୦୦୦ ୨୨,୮୫୭
୨୫ ୫୦,୦୦୦ ୧୯,୨୨୫
୨୦ ୫୦,୦୦୦ ୧୪,୨୮୫
୩୩ ୧ ଲକ୍ଷ ୫୦,୦୦୦
୩୦ ୧ ଲକ୍ଷ ୪୫,୭୧୪
୨୫ ୧ ଲକ୍ଷ ୩୮,୫୭୧
୨୦ ୧ ଲକ୍ଷ ୨୮,୫୭୧
(ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ହିସାବ)

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.